ସେହି ୬ ସେକେଣ୍ଡ୍‌, ୬ ଦିନ ଭଳି ଲାଗିଥିଲା: ବୀରେନ୍ଦ୍ର

ଭୁବନେଶ୍ବର(ଦେବାଶିଷ ସୁନ୍ଦରାୟ): ଦୀର୍ଘ ଚାରି ଦଶନ୍ଧିର ସ୍ବପ୍ନକୁ ସାକାର କରି ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବାର ଅନନ୍ୟ ଓ ଐତିହାସିକ ସଫଳତା ଲାଭ କରିଥିବା ଭାରତୀୟ ପୁରୁଷ ହକି ଦଳର ଅନ୍ୟତମ ରକ୍ଷାପ୍ରାଚୀର ଥିଲେ ଓଡ଼ିଆ ବୀର ବୀରେନ୍ଦ୍ର ଲାକ୍ରା। ଟୋକିଓରେ ବୀରୁ ଖାଲି ଭାରତୀୟ ଦଳର ରକ୍ଷଣଭାଗକୁ ସମ୍ଭାଳୁ ନଥିଲେ ଉପଅଧିନାୟକର ଗୁରୁ ଦାୟିତ୍ବକୁ ବି ସଫଳତାର ସହ ତୁଲାଇଥିଲେ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ଭାବେ ଯୁବ ତାରକାଙ୍କର ମାର୍ଗଦର୍ଶନ କରୁଥିଲେ। ବ୍ୟକ୍ତିଗତ ଭାବେ ୨୦୧୨ରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିଥିବା ବୀରେନ୍ଦ୍ର ଆଘାତପ୍ରାପ୍ତ ହୋଇ ଦୁର୍ଭାଗ୍ୟଜନକ ଭାବେ ୨୦୧୬ ରିଓ ଅଲିମ୍ପିକ୍ସ ଖେଳି ପାରିନଥିଲେ।

ହେଲେ ନିଜ କଠିନ ପରିଶ୍ରମ, ଦୃଢ଼ ଏକାଗ୍ରତା, ନିରନ୍ତର ଅଧ୍ୟବସାୟ ଓ ଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। କରୋନା ସଙ୍କଟ ପାଇଁ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବରେ ଆୟୋଜିତ ହେବା ମଧ୍ୟ ତାଙ୍କ ତ୍ୟାଗ ଓ ନିଷ୍ଠା ଆଗରେ ହାର ମାନିଥିଲା। ଟୋକିଓ ଅଲିମ୍ପିକ୍ସ ବେଳେ ନିଜ ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ପୂର୍ବରୁ ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୬ କୁଆନତାନ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୨ ଦୋହା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ‌ରୌପ୍ୟ, ୨୦୧୫ ରାୟପୁର ବିଶ୍ବ ହକି ଲିଗ୍ ଓ ସେହିବର୍ଷର ଭୁବନେଶ୍ବର ବିଶ୍ବ ହକି ଲିଗ୍‌ରେ କାଂସ୍ୟ, ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ କାଂସ୍ୟ, ୨୦୧୩ ଇପୋ ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୧୮ ବ୍ରେଡା ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ଜିତିଛନ୍ତି। ୩୧ ବର୍ଷୀୟ ବୀରେନ୍ଦ୍ରଙ୍କ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା କ୍ୟାରିୟରରେ ଅଲିମ୍ପିକ୍ସ ପଦକର ଶୂନ୍ୟସ୍ଥାନ ଟୋକିଓରେ ହିଁ ପୂରଣ ହୋଇଛି। ନିଜ ଦ୍ବିତୀୟ ଅଲିମ୍ପିକ୍ସ ଅଭିଯାନରେ ଜୀବନର ସବୁଠାରୁ ବଡ଼ ପଦକ ଜିତିଥିବା ସୁନ୍ଦରଗଡ଼ ଜିଲ୍ଲାର ଏହି ସୁଯୋଗ୍ୟ ସନ୍ତାନ ଟୋକିଓ ଅଲିମ୍ପିକ୍ସର ନିଜ ସ୍ମରଣୀୟ ଓ ସ୍ବତନ୍ତ୍ର ଅଭିଯାନକୁ ନେଇ ‘ସମ୍ବାଦ’କୁ ଦେଇଥିଲେ ସ୍ବତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: ଦିଲୀପ, ଲାଜରୁସ, ଇଗ୍ନେସଙ୍କ ଭଳି ମହାନ ଖେଳାଳି ଯାହା କରିନଥିଲେ ଆପଣ ତାହା କରି ଦେଖାଇଲେ। କେମିତି ଲାଗୁଛି?
ବୀରେନ୍ଦ୍ର: ଏମାନଙ୍କୁ ଦେଖିଦେଖି ମୁଁ ବଡ଼ ହୋଇଛି। ସେମାନଙ୍କ ଖେଳରୁ ବହୁତ କିଛି ଶିଖିଛି। ଦିଲୀପ ଭାଇଙ୍କଠାରୁ ଅନେକ ଟିପ୍ସ ପାଇଛି, ଏହାକୁ ଖେଳ ଜୀବନରେ ଉପଯୋଗ କରି ସଫଳ ବି ହୋଇଛି। ମୁଁ ଓ ଅମିତ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିବାରେ ସବୁଠାରୁ ବେଶି ଉଲ୍ଲସିତ ବୋ‌ଧେ ଦିଲୀପ ଭାଇ ହୋଇଛନ୍ତି। ଆପଣ ଦେଖିପାରୁଥିବେ ସେ ଅନେକ ସମୟରେ ଭାବବିହ୍ବଳ ହୋଇ ଯାଉଛନ୍ତି। ମୁଁ ଏତିକି କହିପାରିବି ଯେ ଏମାନଙ୍କ ଛଡ଼ା ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ଓଡ଼ିଆ ଖେଳାଳି ବହୁତ ପ୍ରତିଭାବାନ ଥିଲେ। ହୁଏତ ଭାଗ୍ୟ ସେମାନଙ୍କୁ ସହାୟ ହୋଇନଥିଲା। ବ୍ୟକ୍ତିଗତ ଭାବେ ଓଡ଼ିଶାର ପ୍ରଥମ ଅଲିମ୍ପିକ୍ସ ବିଜେତା ହେବା ନେଇ ମୋତେ ବହୁତ ଗର୍ବ ଲାଗୁଛି।
ପ୍ରଶ୍ନ: ଭାରତ ଏଥର ଟୋକିଓରେ ପଦକ ଜିତି ପାରିବ ବୋଲି କେତେବେଳେ ଓ କାହିଁକି ହୃଦୟଙ୍ଗମ ହୋଇଥିଲା, ପୂର୍ବର ଦଳ ଏବଂ ଏବେକାର ଦଳ ଭିତରେ କ’ଣ ଫରକ ଥିଲା ବୋଲି ଭାବୁଛନ୍ତି?

ବୀରେନ୍ଦ୍ର: ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଆମେ ବହୁତ କଷ୍ଟ କରିଥିଲୁ। ୭ ମାସ ଧରି ଘରଠାରୁ ଦୂରେଇ ରହିଥିଲୁ। ଆମ ସହ ପରିବାରବର୍ଗ ବି ବହୁ ତ୍ୟାଗ କରିଛନ୍ତି। ଅଲିମ୍ପିକ୍ସର ଦୁଇ ବର୍ଷ ପୂର୍ବରୁ ଆମେ ମଧ୍ୟ ବହୁତ ଭଲ ଖେଳୁଥିଲୁ। ତା‌’ଛଡ଼ା ଜାପାନ ପରିବେଶ ଆମ ଦେଶର ପରିବେଶ ସହ ପ୍ରାୟ ସମାନ ରହୁଥିବାରୁ ସମସ୍ତଙ୍କ ମନରେ ଦୃଢ଼ବିଶ୍ବାସ ଥିଲା ଯେ ଏଥର ଆମେ ନିଶ୍ଚିତ ଭାବେ ପଦକ ଜିତିବୁ। ଶେଷରେ ଏହି ଆତ୍ମବଳ ହିଁ ଆମକୁ ଐତିହାସିକ ପଦକ ଜିତାଇ ଦେଇଥିଲା। ପୂର୍ବର ସବୁଦଳ ବି ବହୁତ ଭଲ ଥିଲେ। ଫରକ କେବଳ ସମୟର ଥିଲା।
ପ୍ରଶ୍ନ: ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ ଦଳର ମନୋବଳ କିଭଳି ଥିଲା, ଏହା ପରେ ରଣନୀତି ବଦଳାଇ ଖେଳିବାକୁ ପ୍ରଶିକ୍ଷକ ଗ୍ରାହାମ ରିଡ୍ ପରାମର୍ଶ ଦେଇଥିଲେ କି?

ବୀରେନ୍ଦ୍ର: ଅଷ୍ଟ୍ରେଲିଆ ବିପକ୍ଷ ପରାଜୟରେ ଆମେ ସମସ୍ତେ ଦୁଃଖିତ ଥିଲୁ। ହେଲେ ପ୍ରଶିଷକ ପରାଜୟକୁ ଭୁଲି ପରବର୍ତ୍ତୀ ମ୍ୟାଚ୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପରାମର୍ଶ ଦେଇଥିଲେ। ଆମେ ମଧ୍ୟ ଠିକ୍ ତାହା ହିଁ କରିଥିଲୁ। ରଣନୀତିରେ କିନ୍ତୁ ସେତେଟା ଅଦଳ ବଦଳ କରାଯାଇ ନଥିଲା
ପ୍ରଶ୍ନ: ଟୋକିଓ ଅଲିମ୍ପିକ୍ସର କେଉଁ ମ୍ୟାଚ୍ ସବୁଠାରୁ କଷ୍ଟକର ଏବଂ କେଉଁଟି ଅପେକ୍ଷାକୃତ ସହଜ ଥିଲା?

ବୀରେନ୍ଦ୍ର: ଅଲିମ୍ପିକ୍ସ ଅଭିଯାନର କୌଣସି ଗୋଟିଏ ବି ମ୍ୟାଚ୍‌ ସହଜ ନଥିଲା। ସବୁ ମ୍ୟାଚ୍ ଆହ୍ବାନପୂର୍ଣ୍ଣ ଓ ସଂଘର୍ଷପୂର୍ଣ୍ଣ ଥିଲା। ଆଉ ଏକଥା‌ ମଧ୍ୟ ମୁଁ ଜୋର ଦେଇ କହି ପାରିବି ଯେ କୌଣସି ମ୍ୟାଚ୍ ଜିତିବା କୌଣସି ଦଳ ପାଇଁ ଆଦୌ ସହଜ ହୋଇ ନଥିଲା।
ପ୍ରଶ୍ନ: କାଂସ୍ୟ ମୁକାବିଲାର ଶେଷ ୨ ମିନିଟ୍‌ରେ ଜର୍ମାନି ଯେତେବେଳେ ଦୁଇଟି ପେନାଲ୍ଟି କର୍ଣ୍ଣର ଅର୍ଜନ କଲା ସବୁ ଭାରତୀୟଙ୍କ ହୃତ୍‌ସ୍ପନ୍ଦନ ହଠାତ୍ ବଢ଼ିଯାଇଥିଲା, ଆପଣଙ୍କ ମନରେ ସେତେବେଳେ କି ଭାବନା ଆସିଥିଲା?

ବୀରେନ୍ଦ୍ର: ସେହି ୬ ସେକେଣ୍ଡ ଆମ ପାଇଁ ୬ ଦିନ ଭଳି ଲାଗିଥିଲା। ହେଲେ ଆମ ରକ୍ଷଣଭାଗ ଉପରେ ଆମର ପୂର୍ଣ୍ଣ ଭରସା ଥିଲା। ଆମେ ଯୋଜନାବଦ୍ଧ ଭାବେ ରକ୍ଷଣାତ୍ମକ ହକି ଖେଳି ଜର୍ମାନି ଆକ୍ରମଣକୁ ପ୍ରତିହତ କରିଥିଲୁ। ମନ ଭିତରେ କିନ୍ତୁ ଜର୍ମାନିର ପୂର୍ବ ରେକର୍ଡ କଥା ଥିଲା। କାରଣ ୨୦୧୬ ରିଓ ଅଲିମ୍ପିକ୍ସରେ ଜର୍ମାନି ନାଟକୀୟ ଭାବେ କାଂସ୍ୟ ପଦକ ଜିତିଥିଲା। ସେଥର ଜର୍ମାନି ଶେଷ କିଛି ସେକେଣ୍ଡରେ ହିଁ ଦୁଇଟି ଗୋଲ୍ ଦେଇ ନ୍ୟୁଜିଲାଣ୍ଡକୁ ୨-୧ରେ ହରାଇ ପଦକ ଛଡ଼ାଇ ନେଇଥିଲା।
ପ୍ରଶ୍ନ: ପଦକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ କଥା ହେବାକୁ ଆପଣ କିଭଳି ଭାବେ ବର୍ଣ୍ଣନା କରିବେ?
ବୀରେନ୍ଦ୍ର: ମୁଁ ଭାବୁଛି ଏଭଳି ଏକ ଘଟଣା ସମ୍ଭବତଃ ପ୍ରଥମ ଥର ପାଇଁ ଆମ ସହ ଘଟିଥିଲା। ପଦକ ବିଜୟ ପରେ ଦେଶର ପ୍ରଧାନମନ୍ତ୍ରୀ ନିଜେ ଫୋନ୍ କରି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ସହ କଥା ହେବା ବହୁତ ବଡ଼ କଥା। ସଂପୂର୍ଣ୍ଣ ଦଳର ଛାତି ସେତେବେଳେ ଗର୍ବରେ ଫାଟି ପଡ଼ୁଥିଲା।
ପ୍ରଶ୍ନ: ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍ ମ୍ୟାଚ୍ ପରେ କହିଥିଲେ ଯେ ଆମେ ସମସ୍ତେ ପଦକକୁ ଧରି ଶୋ‌ଇବୁ। ଏଭଳି କ’ଣ ସତରେ ଘଟିଥିଲା?
ବୀରେନ୍ଦ୍ର: ଆପଣ ଦେଖିଥିବେ ମ୍ୟାଚ୍ ପରେ ଆମ ଦଳର ଖେଳାଳିମାନେ କିଭଳି ଭାବବିହ୍ବଳ ହୋଇ ପଡ଼ିଆ ଭିତରେ କାନ୍ଦି ପକାଇଥିଲେ। ପଡ଼ିଆ ବାହାରକୁ ଆସିବା ପରେ ଆମେ ପରସ୍ପରକୁ ଆଲିଙ୍ଗନ କରି ଖୁସି ମନାଇଥିଲୁ। ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ଜିତିଛୁ ‌ବୋଲି ଯେମିତି ବିଶ୍ବାସ ହେଉ ନଥିଲା। ସବୁ ଖେଳାଳିଙ୍କୁ ତ ମୁଁ ଦେଖିନି, ହେଲେ ମୁଁ ଓ ମୋ ରୁମ୍‌ମେଟ୍ ପଦକ ଧରି ଶୋଇଥିଲୁ। ସେଦିନ ଆତ୍ମସନ୍ତୋଷ ଭରା ନିଦ ହୋଇଥିଲା।
ପ୍ରଶ୍ନ: ଆପଣ ଓ ଅମିତଙ୍କ ସଫଳତା ଓଡ଼ିଶାରେ ହକିକୁ ଆହୁରି ସମୃଦ୍ଧ କରିବ ବୋଲି ଭାବୁଛନ୍ତି କି?
ବୀରେନ୍ଦ୍ର: ନିଶ୍ଚିତ ଭାବେ ଏହା ଓଡ଼ିଶା ସହ ଭାରତୀୟ ହକିର ଟର୍ନିଂ ପଏଣ୍ଟ୍‌। ପ୍ରତୀକ୍ଷିତ ପୁନର୍ଜନ୍ମ। ଓଡ଼ିଶାରେ ହକି ଆହୁରି ସମୃଦ୍ଧ ହେବା ସହ ଅଧିକରୁ ଅଧିକ ପିଲା ହକି ଖେଳକୁ ଆସିବେ। ସୁନ୍ଦରଗଡ଼ର ସବୁ ବ୍ଲକ୍‌ରେ ଟର୍ଫ ବିଛାଇବାର ଯେଉଁ ନିଷ୍ପତ୍ତି ଓଡ଼ିଶା ସରକାର ନେଇଛନ୍ତି, ତାହା ମଧ୍ୟ ଏହି କ୍ଷେତ୍ରରେ ବଳିଷ୍ଠ ଭୂମିକା ନେବ ବୋଲି ଆଶା କରୁଛି।
ପ୍ରଶ୍ନ: ଭାରତୀୟ ମହିଳା ଦଳର ଐତିହାସିକ ସଫଳତା ନେଇ କ’ଣ କହିବେ?
ବୀରେନ୍ଦ୍ର: ମହିଳା ଦଳର ଐତିହାସିକ ସଫଳତାରେ ମୁଁ ବହୁତ ଖୁସି। ପ୍ରଥମ ତିନିଟି ମ୍ୟାଚ୍ ସେମାନଙ୍କ ପାଇଁ ଭଲ ଯାଇନଥିଲା। ହେଲେ ପରବର୍ତ୍ତୀ ସମୟରେ ସେମାନେ ଯେଭଳି ଖେଳିଲେ, ତାହା ଅବିଶ୍ବସନୀୟ। ବ୍ରିଟେନ୍ ଓ ଅଷ୍ଟ୍ରେଲିଆକୁ ‌ଭାରତୀୟ ମହିଳା କଡ଼ା ଟକ୍କର ଦେଲେ। ଭାରତ ଏମିତି ଖେଳିବ ବୋଲି ଏହି ଦୁଇ ଦଳ ସ୍ବପ୍ନରେ ବି ଭାବି ନଥିବେ। ମୋ ମତରେ ଭାରତୀୟ ମହିଳା ଦଳ ପାଇଁ ଟୋକିଓ ଅଲିମ୍ପିକ୍ସ ସ୍ବପ୍ନର ଅଲିମ୍ପିକ୍ସ ଥିଲା।
ପ୍ରଶ୍ନ: ଶେଷରେ ୨୦୨୩ରେ ଓଡ଼ିଶାରେ ଲଗାତାର ଦ୍ବିତୀୟବାର ହକି ବିଶ୍ବକପ୍ ଆୟୋଜିତ ହେବାକୁ ଯାଉଛି, ଏହାକୁ ନେଇ ଆପଣ କେ‌ତେ ଉତ୍ସାହିତ ଅଛନ୍ତି?
ବୀରେନ୍ଦ୍ର: ବିଶ୍ବକପକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ଘରୋଇ ପରିବେଶରେ ଲଗାତାର ଦ୍ବିତୀୟ ଥର ବିଶ୍ବକପ୍ ଖେଳିବାକୁ ଯାଉଥିବା ଆମ ଦଳ ପୂର୍ବାପେକ୍ଷା ନିଶ୍ଚିତ ଭଲ କରିବ ବୋଲି ମୁଁ ଦୃଢ଼ ନିଶ୍ଚିତ। ଅଲିମ୍ପିକ୍ସ ପଦକ ବିଜୟ ପରେ ହକି ପ୍ରେମୀଙ୍କ ଆଶା ଆକାଂକ୍ଷା ବଢ଼ି ଯାଇଛି। ଆମେ ମଧ୍ୟ ଭଲ କରିବୁ ବୋଲି ପୂର୍ଣ୍ଣ ବିଶ୍ବାସ ରହିଛି। ଏହା ଆମ ପ୍ରଦର୍ଶନରେ ହୋଇଥିବା ଉନ୍ନତିରୁ ବି ଆପଣ ଅନୁମାନ କରି ପାରୁଥିବେ।
ପ୍ରଶ୍ନ: କଥାରେ ଅଛି ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ, ଆପଣଙ୍କୁ ଓଡ଼ିଶା ସରକାର ଡିଏସ୍‌ପି ଚାକିରି ଦେଇଛନ୍ତି, ଏ ବିଷୟରେ କ’ଣ କହିବେ?
ବୀରେନ୍ଦ୍ର: ପୁଲିସ ଚାକିରି ପାଇ ମୁଁ ବହୁତ ଖୁସି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବି। ମୁଁ ପୂର୍ବରୁ ଭାରତ ପେଟ୍ରୋଲିୟମ୍‌ରେ କାର୍ଯ୍ୟ କରୁଥିଲି। ‌ଏବେ ଡିଏସ୍‌ପି ହୋଇ ରାଜ୍ୟବାସୀଙ୍କ ସେବା କରିବାକୁ ଆଶା ରଖିଛି। ଏକଥା ମଧ୍ୟ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଇ ପାରିବି ଯେ ମୁଁ ଓଡ଼ିଶା ପୁଲିସରେ ନିଶ୍ଚିତ ଯୋଗଦେବି।

ସମ୍ବନ୍ଧିତ ଖବର