ଜାତୀୟ ଦଳକୁ ଫେରିବା ଧୋନିଙ୍କ ପାଇଁ କଷ୍ଟକର ହେବ: ପ୍ରସାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ସବୁଠୁ ସଫଳ ଅଧିନାୟକ କିଏ ବୋଲି ଯଦି କାହାରିକୁ ପଚରାଯାଏ, ତାହାଲେ ନିଃସନ୍ଦେହରେ ଧୋନିଙ୍କ ନାମ ଆସିବ। ନିଆରା ନେତୃତ୍ବ ‌ଶୈଳୀ ତାଙ୍କୁ ‘କ୍ୟାପ୍‌ଟେନ୍‌ କୁଲ୍‌’ ଭାବେ ପରିଗଣିତ କରିଥାଏ। ତାଙ୍କୁ ମଧ୍ୟ ଅନ୍ୟତମ ସର୍ବଶ୍ରେଷ୍ଠ ଫିନିସର୍‌ ଆଖ୍ୟା ଦିଆଯାଇଥାଏ। ମଧ୍ୟକ୍ରମରେ ସେ ଦଳ ପାଇଁ ସବୁବେଳେ ମୂଲ୍ୟବାନ ସମ୍ପତ୍ତି ହୋଇ ରହିଥିଲେ। ଏକାମତ୍ର ଅଧିନାୟକ ଭାବେ ତାଙ୍କ ନେତୃତ୍ବରେ ମଧ୍ୟ ଭାରତ ତିନିଟି ବୃହତ୍‌ ଆଇସିସି ଟ୍ରଫି (ଦିନିକିଆ ବିଶ୍ବକପ୍‌, ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ଚାମ୍ପିଅନ୍‌ସ ଟ୍ରଫି) କରାୟତ୍ତ କରିଛି। କେବେ ବି ସେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ପଡ଼ିନଥିଲେ। କିନ୍ତୁ ୬ ମାସ ଧରି କ୍ରିକେଟ୍‌ ଖେଳିନଥିବାରୁ ଗତ ଜାନୁଆରିରେ ବିସିସିଆଇ ପକ୍ଷରୁ ଅକ୍ଟୋବର ୨୦୧୯ରୁ ‌ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଘୋଷିତ ଚୁକ୍ତିବଦ୍ଧ ତାଲିକାରୁ ଧୋନିଙ୍କ ନାମ ବାଦ୍‌ ପଡ଼ିଥିଲା। ଏହି ମହାନ୍‌ ୱିକେଟ୍‌ରକ୍ଷକ/ବ୍ୟାଟ୍‌ସମ୍ୟାନ୍‌ ଭାରତ ପକ୍ଷରୁ ଶେଷ ଥର ପାଇଁ ୨୦୧୯ ବିଶ୍ବକପ୍‌ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିଥିଲେ। ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫୋର୍ଡ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସେହି ମ୍ୟାଚ୍‌ରେ ଭାରତ ହାରିଯାଇଥିଲା। ଏହାପରେ ପାଖାପାଖି ଗୋଟିଏ ବର୍ଷ ହେଲାଣି ଧୋନି ଆଉ ଦଳକୁ ଫେରିନାହାନ୍ତି। ପ୍ରଥମେ ପ୍ରଥମେ ନିଜଆଡୁ ବିରତି ନେଇଥିଲେ ମଧ୍ୟ ପରେ ଦଳକୁ ଫେରିବା ସମ୍ଭବ ହୋଇନାହିଁ। ଯାହା ଫଳରେ ତାଙ୍କ ୱିକେଟ୍‌ରକ୍ଷଣ ଗ୍ଲୋବ୍‌ସ ଏବଂ ଶକ୍ତିଶାଳୀ ବ୍ୟାଟିଂ ଅବତାରକୁ ଦେଖିବାରୁ ଦର୍ଶକ ବଞ୍ଚିତ ହୋଇଛନ୍ତି।

ମୁଖ୍ୟତଃ ମ୍ୟାଚ୍‌ ପ୍ରାକ୍ଟିସ୍‌ ଅଭାବରୁ ତାଙ୍କୁ ଦଳରେ ସାମିଲ କରିବା ମଧ୍ୟ ମନୋନୟନକର୍ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ତେଣୁ ଚଳିତ ବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଖେଳି ମ୍ୟାଚ୍‌ ପ୍ରାକ୍ଟିସ୍‌ ପାଇବା ସାଙ୍ଗକୁ ଫିଟ୍‌ନେସ୍‌ ପ୍ରମାଣିତ କରି ସେ ଭାରତୀୟ ଦଳକୁ ଫେରିବାର ଆଶା ରଖିଥିଲେ। ତେବେ କରୋନା ମହାମାରୀ ଯୋଗୁଁ କ୍ରୀଡ଼ା ସ୍ଥାଣୁ ଅବସ୍ଥାକୁ ଯାଇଥିବାରୁ ଆଇପିଏଲ୍‌ ମଧ୍ୟ ଆଶଙ୍କା ମଧ୍ୟରେ ରହିଛି। ଏହା‌ସତ୍ତ୍ବେ ଧୋନିଙ୍କ କ୍ରିକେଟ୍‌ ଭବିଷ୍ୟତ ନେଇ ଚର୍ଚ୍ଚାର ଅନ୍ତ ଘଟୁନି। ୯୦ ଟେଷ୍ଟ୍‌, ୩୫୦ ଦିନିକିଆ ଆନ୍ତର୍ଜାତିକ ଏବଂ ୯୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ଧୋନି କ’ଣ ଆଉ ଭାରତ ପାଇଁ ଖେଳିବେ ନାହିଁ? ସେ କ’ଣ ଦଳକୁ ପ୍ରତ୍ୟାବର୍ତନ କରିବେ ତ? ଭାରତୀୟ ଦଳର ଜର୍ସି ପରିଧାନ କରିବେ ନା ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ସହିତ ପ୍ରଶଂସକ ଓ କ୍ରିକେଟ୍‌ ପଣ୍ଡିତଙ୍କୁ ଆନ୍ଦୋଳିତ କରୁଛି। ଏଭଳି ଏକ ବିତର୍କ ବେଳରେ ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ କିନ୍ତୁ ଧୋନିଙ୍କ ପ୍ରତ୍ୟାବର୍ତନ ଆଦୌ ସହଜ ନୁହେଁ ବୋଲି କହିଛନ୍ତି। ପାଖାପାଖି ଗୋଟିଏ ବର୍ଷ ଧରି କ୍ରିକେଟ୍‌ରୁ ଦୂରେଇ ରହିବା ପରେ ଏବଂ ବର୍ତମାନର ଭାରତୀୟ ଦଳ ସନ୍ତୁଳନ ଦେଖିଲେ ଧୋନିଙ୍କୁ ଫେରିବା ପାଇଁ ବହୁତ କଷ୍ଟକର ହୋଇପଡ଼ିବ ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରସାଦ ମତ ରଖିଛନ୍ତି।

୨୦୧୯ ଆଇସିସି ବିଶ୍ବକପ୍‌ର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଧୋନି ୭୨ ବଲ୍‌ ଖେଳି ୫୦ ରନ୍‌ କରିଥିଲେ। ଏହି ମ୍ୟାଚ୍‌କୁ ଭାରତ ୧୮ ରନ୍‌ରେ ହାରି ବିଶ୍ବକପ୍‌ରୁ ବିଦାୟ ନେଇଥିଲା। ଏହାପରଠୁ ୩୮ ବର୍ଷ ବୟସ୍କ ଧୋନି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ତେବେ ଧୋନିଙ୍କ ଫିଟ୍‌ନେସ୍‌ ନେଇ କୌଣସି ପ୍ରଶ୍ନ ଉଠିନଥାଏ। ହେଲେ ବାସ୍ତବତା ହେଉଛି, ସେ ବିଶ୍ବକପ୍‌ ପରଠ‌ାରୁ ଏକାଧିକ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ତାଙ୍କୁ ଆସନ୍ତା ଜୁଲାଇକୁ ୩୯ ବର୍ଷ ଚାଲିବ। ସେଥିପାଇଁ ଧୋନି କ’ଣ ଦଳକୁ ଫେରି ଖେଳିବାକୁ ଚାହାନ୍ତିକି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। ନିସେନ୍ଦେହରେ କୁହାଯାଇପାରେ ଯେ ଧୋନି ଏବେ ବି ପୂରା ଫିଟ୍‌। କିନ୍ତୁ ୪୦ ପାଖାପାଖି ବର୍ଷ ହେବାକୁ ଯାଉଥିବାରୁ ବୟସର ଛାପ ତାଙ୍କଠାରୁ ବାରି ହୋଇପଡ଼ିଲାଣି। ‌ତେଣୁ କ୍ରିକେଟ୍‌ ପଡ଼ିଆରେ ଚମକ ଦେଖାଇବା ତାଙ୍କ ପାଇଁ ଏତେଟା ସହଜ ହୋଇନପାରେ। ତଥାପି ତାଙ୍କ ପ୍ରତ୍ୟାବର୍ତନ କଥା ଦଳୀୟ କର୍ତ୍ତୃପକ୍ଷଙ୍କ ଉପରେ ନିର୍ଭର କରେ। ଯଦି ସେ ଭଲ ଫିଟ୍‌ନେସ୍‌ ଦେଖାଇପାରିବେ ଏବଂ ଦଳୀୟ କର୍ତ୍ତୃପକ୍ଷ ଭିନ୍ନ କିଛି କୌଶଳ ଅବଲମ୍ବନ କରିବାକୁ ଚାହିବେ ତାହାଲେ କିଛିଟା ସମ୍ଭବ ହୋଇପାରେ ବୋଲି ପ୍ରସାଦ କହିଛନ୍ତି।

ପୁଣି ପ୍ରସାଦଙ୍କ ମତରେ ଧୋନିଙ୍କୁ ଜଣେ ଶ୍ରେଷ୍ଠ ଫିନିସର ଆଖ୍ୟା ଦିଆଯାଇଥିଲେ ମଧ୍ୟ ସେ ଉପରକ୍ରମରେ ବ୍ୟାଟିଂ କରିବାକୁ ମୁଁ ଚାହେଁ। ମୋ ମତରେ ଧୋନି ୩ କିମ୍ବା ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲେ ଦଳ ପାଇଁ ଭଲ। ନାହିଁତ ଯଦି ମୋ ପାଖରେ ମାତ୍ର ୧୦ ଓଭର ବାକି ରହିଛି ତାହାଲେ ଧୋନିଙ୍କୁ ବ୍ୟାଟିଂ ପାଇଁ ଯିବାକୁ ଏବଂ ତାଙ୍କ ମ୍ୟାଚ୍‌ ଫିନିସର୍‌ ଢଙ୍ଗରେ ଖେଳିବାକୁ କହିବି ବୋଲି ପ୍ରସାଦ କହିଛନ୍ତି। ଏସବୁସତ୍ତ୍ବେ ଧୋନିଙ୍କ ବିପୁଳ ଅଭିଜ୍ଞତା ଓ ଦଳ ତଥା କ୍ରିକେଟ୍‌ ପାଇଁ ତାଙ୍କର ଅମୂଲ୍ୟ ଅବଦାନକୁ ଭୁଲିବା ଉଚିତ ନୁହେଁ ବୋଲି ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର