ବିଶ୍ୱକପ୍ ସ୍ଥଗିତ ହୋଇନଥିଲେ କଷ୍ଟକର ହୋଇଥା’ନ୍ତା: ମିତାଲି

ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଉଚ୍ଚ ସ୍ତରରେ ପହଞ୍ଚିଛି। ଦଳ ଇଂଲଣ୍ଡରେ ଆୟୋଜିତ ୨୦୧୭ ବିଶ୍ବକପ୍‌ ଉପବିଜେତା ହୋଇଥିଲା ବେଳେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲା। ଇଂଲଣ୍ଡରେ ଆୟୋଜିତ ଦିନିକିଆ ବିଶ୍ବକପ୍‌ରେ ନେତୃତ୍ବ ନେଇଥିବା ମିତାଲି ରାଜ ୨୦୨୧ ଆରମ୍ଭରୁ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ପରେ ଅବସର ନେବାକୁ ଚିନ୍ତା କରିଥିଲେ। ହେଲେ ଏହି ବିଶ୍ବକପ୍‌ କରୋନା ଯୋଗୁଁ ଗୋଟିଏ ବର୍ଷ ଅଥବା ୨୦୨୨କୁ ଘୁଞ୍ଚିଯାଇଛି। ୨୦୯ ଦିନିକିଆ ଓ ୮୯ ଟି-୨୦ରେ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ମିତାଲି ବିଶ୍ବକପ୍‌ ଘୁଞ୍ଚିବା ଏବଂ ତାଙ୍କ ପ୍ରସ୍ତୁତି ଓ ଭବିଷ୍ୟତ ଯୋଜନା ଉପରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

।ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ ପରେ ସମସ୍ତେ ୨୦୨୧ ବିଶ୍ୱକପ୍‌କୁ ଅପେକ୍ଷା କରିଥିଲେ, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି। ତୁମର ଭାବନା କ’ଣ?
।ଏହା ଆମ ପାଇଁ ଭଲ ହୋଇଛି। ଫେବ୍ରୁଆରିରେ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିଲା ବେଳେ କରୋନା ପାଇଁ ଆମ ଘରୋଇ ପ୍ରତିଯୋଗିତାକୁ ଅକ୍ଟୋବର-ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ବିଶ୍ୱକପ୍‌ ପୂର୍ବରୁ ଆମକୁ ମାତ୍ର ୩ ମାସର ପ୍ରସ୍ତୁତି ସମୟ ମିଳିଥା’ନ୍ତା। ଦୀର୍ଘ ବିରତି ପରେ ଖେଳାଳିମାନେ ଲୟକୁ ଫେରିବାକୁ ନିଶ୍ଚିତ କିଛି ସମୟ ଲାଗିବ। ଅଳ୍ପ ସମୟରେ ପ୍ରସ୍ତୁତ ହେବା ନିଶ୍ଚିତ କଷ୍ଟକର ହୋଇଥା’ନ୍ତା। ଏହା ସ୍ଥିଗିତ ହୋଇଛି ଭଲ। କିନ୍ତୁ ସମସ୍ତେ ଅପେକ୍ଷା କରିଥିବାରୁ ନିଶ୍ଚିତ ନିରାଶ ଲଗିବ।
। ୨୦୨୧ ବିଶ୍ୱକପ୍ ପାଇଁ ଆପଣ ବ୍ୟକ୍ତିଗତ ଭାବେ କିଛି ଲକ୍ଷ୍ୟ ରଖିଥିଲେ। ୨୦୨୨ ସଂସ୍କରଣ ପ୍ରାୟ ୧୮ ମାସ ଥିବାରୁ କିପରି ପ୍ରସ୍ତୁତ ହେବେ?
। ମୁଁ ପୂର୍ବରୁ ୨୦୨୧ ପର୍ଯ୍ୟନ୍ତ ଖେଳିବାକୁ ଯୋଜନା କରିଥିଲି। କିନ୍ତୁ ଏହା ଘୁଞ୍ଚିଥିବାରୁ ମୋ ଯୋଜନା ସେହି ଅନୁଯାୟୀ ବଢ଼ିଯାଇଛି। କରୋନା ଯୋଗୁଁ ମିଳିଥିବା ଦୀର୍ଘ ସମୟର ବିରତି ମୋତେ ଶାରୀରିକ ଭାବେ ଶକ୍ତିଶାଳୀ କରିଦେଇଛି ବୋଲି ଭାବୁଛି। ବାଧ୍ୟତାମୂଳକ ଲକ୍‌ଡାଉନ୍‌ ସମୟରେ ଶାରୀରିକ ବ୍ୟାୟାମ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେଉଥିଲି। ଏବେ ସତେଜ ଅନୁଭବ କରୁଛି ଏବଂ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛି। ଆଗାମୀ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ଗୋଟିଏ ବର୍ଷ ସ୍ଥଗିତ ମୋ ମନକୁ ପରିବର୍ତ୍ତନ କରିପାରିବନି।
ମହାମାରୀ ସାରା ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଭାବିତ କରି ଆମକୁ ବଡ଼ ଆଘାତ ଦେଇଛି। କ୍ରିକେଟ୍‌ ପୁନଃ ଆରମ୍ଭ ନେଇ ଅନେକ କ୍ରିକେଟର୍‌ ଉତ୍ସାହିତ ଅଛନ୍ତି। ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ବେଳେ ମହିଳା ପ୍ରଦର୍ଶନୀ ମ୍ୟାଚ୍ ଅନ୍ତର୍ଭୁକ୍ତ କରିବା ଏବଂ ଅନ୍ୟାନ୍ୟ ଶୃଙ୍ଖଳା ସହିତ ଏକ ପ୍ରସ୍ତୁତି ଶିବିର ଆୟୋଜନ ପାଇଁ ଯୋଜନା ହୋଇଥିବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ଆଇପିଏଲ୍ ପରିଚାଳନା ପରିଷଦକୁ ଧନ୍ୟବାଦ ଦେବି। ଏହା ଦ୍ବାରା ମହିଳା କ୍ରିକେଟର୍‌ମା‌ନେ ଉପକୃତ ହେବେ।
। ବହୁ ଦିନର ବିରତି ପରେ ପଡ଼ିଆକୁ ଫେରିବା ଓ ଖେଳିବା ଖେଳାଳିଙ୍କ ପାଇଁ କେତେ କଷ୍ଟକର ହେବ?
। ଯଦି ଜଣେ ଠିକ୍‌ ରାସ୍ତା ଜାଣିଥିବ ତେବେ ଏବର ଆହ୍ବାନକୁ ପରିଚାଳନା କରିବା କଷ୍ଟକର ହେବନି। ମାନସିକସ୍ତରରେ ଶକ୍ତିଶାଳୀ ହେବାକୁ ପଡ଼ିବ। ଲକ୍‌ଡାଉନ୍‌ ସମୟରେ ସମସ୍ତ ଖେଳାଳି ନିଜ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଇଛନ୍ତି। ପ୍ରଶିକ୍ଷକମାନେ ମଧ୍ୟ ଏହା କରିବାକୁ ପରାମର୍ଶ ଦେଇଥିଲେ। ବିଜୟ ପାଇଁ ପରିସ୍ଥିତି ଦେଖି ଖେଳିବା ସହ ଦଳକୁ ‌ଏକ ‌ହେବାକୁ ପଡ଼ିଥାଏ। ସହଜରେ କିପରି ଫେରିବି ସେହି ଭଳି ପ୍ରସ୍ତୁତ ଉପରେ ମୁଁ ଧ୍ୟାନ ଦେଉଛି। ଯାହା ମୋତେ ‌ନେଟ୍ସ, ଦଳୀୟ ଶିବିର ଏବଂ ଶୃଙ୍ଖଳା ପରେ ଶୃଙ୍ଖଳାରେ କାମରେ ଆସିବ।
। ସ୍ମୃତି ମାନ୍ଧନା, ହରମନପ୍ରୀତ କୌର ରନ୍‌ କରିବାକୁ ସଂଘର୍ଷ କରୁଛନ୍ତି। ଆଗାମୀ ପ୍ରତିଯୋଗିତା ସେମାନଙ୍କ ପାଇଁ କିଭଳି ରହିବ?
। ଗତ ତିନି ବର୍ଷ ମଧ୍ୟରେ ଉଭୟ ଭାରତ ପାଇଁ ଅସାଧାରଣ ପ୍ରଦର୍ଶନ କରିଛନ୍ତି ଏବଂ ଦଳର ବହୁ ବିଜୟରେ ଅବଦାନ ରଖିଛନ୍ତି। ଉଭୟ ବହୁତ ପ୍ରତିଭାଶାଳୀ। ପ୍ରତ୍ୟେକ କ୍ରିକେଟର୍‌ଙ୍କ ପାଇଁ କିଛି ଖରାପ ସମୟ ଆସିଥାଏ। ମୁଁ ନିଶ୍ଚିତ ଯେ ଏହି ବିରତି ଉଭୟଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିବ। ସେମାନେ ଆଗକୁ ନିଶ୍ଚିତ ସଫଳତା ପାଇବେ।
। ଡବ୍ଲୁ୍ଭି ରମଣ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବାର ବର୍ଷେରୁ ଅଧିକ ସମୟ ହେଲାଣି। ସେ ଦଳକୁ କିପରି ସାହାଯ୍ୟ କରିଛନ୍ତି?
। ସେ ପେସାଦାର ଏବଂ ଖେଳାଳିଙ୍କ ଅନେକ କାର୍ଯ୍ୟକୁ ସହଜ କରନ୍ତି। ଡ୍ରେସିଂ ରୁମରେ ସକାରାତ୍ମକ ପରିବେଶ ବଜାୟ ରଖିବା ଏବଂ ବରିଷ୍ଠ ଓ ଯୁବ କ୍ରିକେଟର୍‌ଙ୍କ ମଧ୍ୟରେ ଭଲ ସଂପର୍କକୁ ଗୁରୁତ୍ବ ଦିଅନ୍ତି। ଖେଳାଳିମାନେ ନିଜକୁ ଦୁର୍ବଳ ମନେ କଲେ ସେ ସେମାନଙ୍କ ସହ ଆଲୋଚନା କରିଥା’ନ୍ତି ଏବଂ ଶିକ୍ଷଣୀୟ ଉପଦେଶ ଦେଇଥା’ନ୍ତି। ତାଙ୍କର ଉପସ୍ଥିତି ଦଳକୁ ଅଧିକ ଉତ୍ସାହିତ କରିଛି। ସପୋର୍ଟ ଷ୍ଟାଫ୍‌ଙ୍କ ସହ ତାଙ୍କ କାର୍ଯ୍ୟଶୈଳୀ ‌ଖେଳାଳିମାନଙ୍କୁ ବହୁତ ସାହାଯ୍ୟ କରୁଛି।

ସମ୍ବନ୍ଧିତ ଖବର