ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ କଂପ୍ଲେକ୍ସରେ ଆୟୋଜିତ ଟାବ୍‌ ଆଇଟା-ଓଟିଏ ଚାମ୍ପିଅନ୍‌ସିପ୍ ସିରିଜ୍‌ (ସିଏସ୍‌୭) ଟେନିସ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଭୟ ବାଳକ ଓ ବାଳିକା ୧୪ ଓ ୧୬ ବର୍ଷରୁ କମ୍‌ ବର୍ଗରେ ଓଡ଼ିଶାର ଲଲିତ ଟୁଡୁ, ସାଇ ସ୍ବସ୍ତିକ ମହାନ୍ତି, ସୋହିନୀ ଏସ୍‌ ମହାନ୍ତି ଏବଂ ଅଭିପ୍‌ସା ଦେହୁରୀ ନିଜ ନିଜର ଏକକ ଟ୍ରଫି ହାସଲ କରିଛନ୍ତି। ତେବେ ଲଲିତ ଟୁଡୁ ଏବଂ ସୋହିନୀ ମହାନ୍ତିଙ୍କୁ ଦ୍ବିମୁକୁଟ ମିଳିଯାଇଛି। ଲଳିତ ୧୬ ବର୍ଷରୁ କମ୍‌ ବାଳକ ଫାଇନାଲ୍‌ରେ ସାଇ ସ୍ବସ୍ତିକ ମହାନ୍ତିଙ୍କୁ ୬-୦, ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲା

Advertisment

ବେଳେ ଏହି ବୟସ ବର୍ଗର ଯୁଗଳ ଫାଇନାଲ୍‌ରେ କମଳେଶ ରଥଙ୍କୁ ସାଥୀ କରି ଅନିକେତ ସାହୁ-ସପ୍ତପୂର୍ଣ୍ଣ ଜେନା ଯୋଡ଼ିକୁ ୬-୨ ଓ ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ୧୬ ବର୍ଷରୁ କମ୍‌ ବାଳିକା ଏକକ ଫାଇନାଲ୍‌ରେ ସୋହିନୀ ୬-୦ ଓ ୬-୨ ସିଧାସଳଖ ସେଟ୍‌ରେ ଅଭିପ୍‌ସା ଦେହୁରୀଙ୍କୁ ହରାଇଥିଲା ବେଳେ ଯୁଗଳ ଫାଇନାଲ୍‌ରେ ଆଦ୍ରିକା ପଟ୍ଟନାୟକଙ୍କୁ ସାଥୀ କରି ଅଭିପ୍ସା ଦେହୁରୀ-ପ୍ରିଶା ଦାସଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ୧୪ ବର୍ଷରୁ କମ୍‌ ବାଳକ ଏକକ ଫାଇନାଲ୍‌ରେ ସାଇ ସ୍ବସ୍ତିକ ମହାନ୍ତି ୪-୬, ୬-୩ ଓ ୭-୫ ସେଟ୍‌ରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲା ବେଳେ ବାଳିକା ଏକକ ଫାଇନାଲ୍‌ରେ ଅଭିପ୍ସା ଦେହୁରୀ ସିଧାସଳଖ ୬-୦ ଓ ୬-୧ ସେଟ୍‌ରେ ହାସିନୀ ରନ୍ଧୀଙ୍କୁ ପରାସ୍ତ କରିଥିଲେ। ଓଡ଼ିଶା ଟେନିସ୍‌ ସଂଘ (ଓଟିଏ)ର ଯୁଗ୍ମ ସଂପାଦକ ସଞ୍ଜୀବ ପଣ୍ଡା ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଟ୍ରଫି ବିତରଣ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସଂଘର ଉପସଭାପତି ଶୁଭ୍ରାଂଶୁ ଷଡ଼ଙ୍ଗୀ ଏବଂ ଟୁର୍ଣ୍ଣାମେଣ୍ଟ ରେଫରି ଯତୀନ ବୈଶ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଦେଶର ୮ ରାଜ୍ୟ (ଆସାମ, ସିକିମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର, ଆୟୋଜକ ଓଡ଼ିଶା)ରୁ ପାଖାପାଖି ୮୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।