ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ଆଇଟା-ଓଟିଏ ଚାମ୍ପିଅନ୍‌ସିପ ସିରିଜ୍‌ (ସିଏସ୍‌) ଟେନିସ୍‌ ପ୍ରତିଯୋଗିତାର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ଓଡ଼ିଆ ଝିଅ ସୋହିନୀ ଏସ୍‌ ମହାନ୍ତି ଏବଂ ବାଳକରେ ପଶ୍ଚିମବଙ୍ଗର ସୌର୍ଯ୍ୟ ସ୍ବରୂପ ଦ୍ବିମୁକୁଟ ହାସଲ କରିଛନ୍ତି। ଦୁହେଁ ଉଭୟ ଏକକ ଏବଂ ଯୁଗଳରେ ଟ୍ରଫି କରାୟତ କରିଛନ୍ତି। ବାଳିକା ଏକକ ଫାଇନାଲ୍‌ରେ ସୋହିନୀ ୬-୧, ୬-୦ ସିଧାସଳଖ ସେଟ୍‌ରେ ନିଜ ରାଜ୍ୟର ଅଭିପ୍ସା‌ ଦେହୁରିଙ୍କୁ ପରାସ୍ତ କରିଥିଲା ବେଳେ ବାଳିକା ଯୁଗଳ ଫାଇନାଲ୍‌ରେ ଓଡ଼ିଶାର ଅଦ୍ରିକା ପଟ୍ଟନାୟକଙ୍କୁ ସାଥୀ କରି ଅନ୍ୟତମ ଓଡ଼ିଶା ଯୋଡ଼ି ଅଭିପ୍ସ‌ା ଦେହୁରୀ ଓ ପ୍ରିସା ଦାସଙ୍କୁ ମଧ୍ୟ ସିଧାସଳଖ ୬-୧ ଓ ୬-୨ ସେଟ୍‌ରେ ପରାସ୍ତ କରିଥିଲେ।

Advertisment

ଅନ୍ୟପକ୍ଷରେ ବାଳକ ଏକକ ଫାଇନାଲ୍‌ରେ ଦ୍ବିତୀୟ ସିଡ୍‌ ସୌର୍ଯ୍ୟ ସ୍ବରୂପ ୭-୫, ୧-୬ ଓ ୬-୩ ସେଟ୍‌ରେ ତୃତୀୟ ସିଡ୍‌ ଓଡ଼ିଶା ଖେଳାଳି ଆଦିତ୍ୟ ବିକ୍ରମ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ସେହିପରି ଯୁଗଳ ଫାଇନାଲ୍‌ରେ ସୌର୍ଯ୍ୟ ଓ ତାଙ୍କ ରାଜ୍ୟ ସାଥୀ ଅରିତ୍ରା ସାସ୍‌ମଲ ସିଧାସଳଖ ୬-୩ ଓ ୭-୫ ସେଟ୍‌ରେ ଓଡ଼ିଶା ଯୋଡ଼ି ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ଓ ଅଦିତେୟ ସିଂହ ଜାଡୋନଙ୍କୁ ପରାସ୍ତ କରିଥିଲେ। ଫଳରେ ଓଡ଼ିଆ ତାରକା ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ଉଭୟ ଏକକ ଓ ଯୁଗଳରେ ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ପ୍ରତିଯୋଗିତାର ବିଜେତା ଏବଂ ଉପବିଜେତା ଯଥାକ୍ରମେ ୨୫ ଓ ୨୦ ଆଇଟା ରୢାଙ୍କିଂ ପଏଣ୍ଟ ହାସଲ କରିବେ।

ଏହି ପ୍ରତିଯୋଗିତାରେ ୮ (ଆୟୋଜକ ଓଡ଼ିଶା ବ୍ୟତୀତ ଆସାମ, ସିକ୍କିମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର) ରାଜ୍ୟରୁ ପାଖାପାଖି ୬୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଟିଏ ଯୁଗ୍ମ ସଂପାଦକ ସଞ୍ଜୀବ ପଣ୍ଡା ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଟିଏର ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ, ଟୁର୍ଣ୍ଣାମେଣ୍ଟ ରେଫରି ଯତୀନ ବଶ୍ୟ ଉପସ୍ଥିତ ଥି‌ଲେ।।