ଭୁବନେଶ୍ବର: ଆଇଟା ଓ ଓଟିଏ ଆନୁକୂଲ୍ୟରେ ସହର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ଏକାଡେମୀରେ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏମ୍‌ଓଏସ୍‌ଏଫ୍‌ ଆଇଟା-ଓଟିଏ ପୁରୁଷ ୧ ଲକ୍ଷ ଚାମ୍ପିଅନ୍‌ସିପ୍‌ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ କିଟ୍‌ ଛାତ୍ର କବୀର ହଂସ ଦ୍ବିମୁକୁଟ ହାସଲ କରିଛନ୍ତି। ସେ ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗରେ ଟ୍ରଫି କରାୟତ କରିଛନ୍ତି। ଶୁକ୍ରବାର ପ୍ରତିଯୋଗିତାର ଅନ୍ତିମ ଦିବସରେ କବୀର ପୁରୁଷ ଏକକ ଫାଇନାଲ୍‌ରେ ମଧ୍ୟପ୍ରଦେଶର ୟାଶ୍‌ ଯାଦବଙ୍କୁ ୬-୧ ଓ ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରି ବିଜେତା ହୋଇଥିଲେ। ଏହି ବିଜୟ ବଳରେ କବୀର ମଧ୍ୟ ଏକକ ବର୍ଗରେ ସର୍ବଭାରତୀୟ ରୢାଙ୍କିଙ୍ଗ୍‌ରେ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି ପୁରୁଷ ଯୁଗଳ ଫାଇନାଲ୍‌ରେ କବୀର (ଓଡ଼ିଶା) ଓ ତାଙ୍କ ରାଜସ୍ଥାନ ସାଥୀ ଅଭିବୀର ସେଖାୱତ୍‌ ୬-୦, ୪-୬ ଓ ୧୦-୬ ସେଟ୍‌ରେ ଓଡ଼ିଶା ଯୋଡ଼ି ସତୀର୍ଥ ପଟନାୟକ ଓ ଆଦିତ୍ୟ ଶତପଥୀଙ୍କୁ ପରାସ୍ତ କରି ଟ୍ରଫି ହାତେଇଥିଲେ। କବୀରଙ୍କ ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ନିଜର ଟେନିସ୍‌ ଯାତ୍ରାରେ ସମସ୍ତ ସମର୍ଥନ ଓ ସହଯୋଗ ଯୋଗାଇ ଦେଇଥିବାରୁ ଅତ୍ୟୁତ ସାମନ୍ତଙ୍କୁ କବୀର ଧନ୍ୟବାଦ ଜଣାଇଥିଲେ।