ଆଇଟା ଟେନିସ୍‌ରେ ଓଡ଼ିଆଙ୍କ ଚମକ: ଲଳିତ, ଦୀଶାନ୍ତ, ଯଶରାଜ, ଆର୍ଯ୍ୟନ୍‌ଙ୍କୁ ମୁକୁଟ

ଭୁବନେଶ୍ବର: ‌କୋଲକାତାର ଶ୍ୟାମବଜାର ଟେନିସ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଆଇଟା ଟେନିସ୍ ଚାମ୍ପିଅନସିପ ସିରିଜ୍-୭ରେ ଓଡ଼ିଆ ଖେଳାଳି ଲଳିତ ଟୁଡୁ ଏବଂ ଦିଶାନ୍ତ ମହାନ୍ତିଙ୍କ ଚମକ ଦେଖିବାକୁ ମିଳିଛି। ଲଳିତ ୧୨ ବର୍ଷରୁ କମ୍ ବାଳକ ଏକକରେ ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ତଥା ଟାଣୁଆ ଖେଳାଳି ସୌନକ ଚାଟାର୍ଜୀଙ୍କୁ ୬-୦, ୬-୦ ସିଧାସଳଖ ସେଟ୍‌ରେ ପରାସ୍ତ କରି ବିଜେତା ମୁକୁଟ ପିନ୍ଧିଥିଲେ। ସେହିଭଳି ଲଳିତ ଓ ଦୀଶାନ୍ତ ଯୋଡ଼ି ଶୀର୍ଷ ମାନ୍ୟତା ପ୍ରାପ୍ତ ବେଙ୍ଗଲର ଭି ଅଗ୍ରୱାଲ ଏବଂ ଏସ୍ ସ୍ବରୂପଙ୍କୁ ୬-୪, ୬-୩ ସେଟ୍‌ରେ ହରାଇ ୧୨ ବର୍ଷରୁ କମ୍ ଯୁଗଳରେ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ଅନ୍ୟତମ ଓଡ଼ିଆ ମୟଙ୍କ ମୋଦି ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ଏହି ତିନି ଜଣ ଖେଳାଳି ବାରବାଟୀ କଂପ୍ଲେକ୍ସ କଟକ ଜିଲ୍ଲା ଟେନିସ୍ ସଂଘର ଆବାସିକ ପ୍ରଶିକ୍ଷକ ଲଳିତ ଦାସଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ସେହିଭଳି ଯଶରାଜ ନାୟକ ଓ ଡି ଆର୍ଯ୍ୟନ୍ ସ୍ବାମୀ ଝାଡ଼ଖଣ୍ଡର ଜାମସେଦପୁରଠାରେ ଆୟୋଜିତ ଅନ୍ୟଏକ ଆଇଟା ସିଏସ୍ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ଏହି ଦୁଇ ଜଣ ସାହିଲ ଅମିନ (ଝାଡ଼ଖଣ୍ଡ) ଓ ଆର୍ଯ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ୭-୬ (୮-୬), ୬-୪ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର