ଭୁବନେଶ୍ବର: ଜାତୀୟ ସ୍ତରର ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଉପସ୍ଥିତି ଜାହିର ଜାରି ରହିଛି। ଶୁକ୍ରବାର ପଞ୍ଜାବର ଜସୋବାଲରେ ଖେଳାଯାଇଥିବା ୧୪ ବର୍ଷରୁ କମ୍ ଆଇଟା ସୁପର୍ ସିରିଜ୍ରେ ଓଡ଼ିଶାର ଆହାନ ମିଶ୍ର ବାଳକ ଯୁଗଳ ବର୍ଗରେ ଉପ ବିଜେତା ହୋଇଛନ୍ତି। ପଞ୍ଜାବର ଆର୍ଯ୍ୟବୀର ଶର୍ମାଙ୍କୁ ସାଥି କରି ଖେଳିଥିବା ଆହାନ ଫାଇନାଲ୍ରେ ଅନୂଜ ଶାରଦା (ୟୁପି)-ଅଥର୍ବ ଶୁକ୍ଳା (ମହାରାଷ୍ଟ୍ର) ଯୋଡ଼ିଙ୍କଠାରୁ ୪-୬, ୪-୬ରେ ହାରିଯାଇଥିଲେ। ଉପ ବିଜେତା ଟ୍ରଫି ସହିତ ଆହାନ ଆଇଟା ଡବଲ୍ସ ମାନ୍ୟତାରୁ ୪୦ ପଏଣ୍ଟ ଅର୍ଜନ କରିବେ।
ସେହିଭଳି ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲ୍ରେ ଅନୁଷ୍ଠିତ ଆଇଟା ଓଟିଏ ୧ ଲକ୍ଷ ପୁରୁଷ ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶା ଯୋଡ଼ି ଅମୃତଜୟ ମହାନ୍ତି-ଆଦିତ୍ୟ ମହାପାତ୍ର ରନ୍ର୍ସ ଅପ୍ ହୋଇଛନ୍ତି। ଫାଇନାଲରେ ଅମୃତଜୟ-ଆଦିତ୍ୟ ୧-୬, ୬-୨, ୬-୧୦ରେ ମହମ୍ମଦ ଫର୍ଦିନ (ବେଙ୍ଗଲ) ଓ ଖାଟେ ଭିଲାସିଏରଙ୍କଠାରୁ ହାରିଯାଇଥିଲେ। ଖାଟେ ଭିଲାସିଏର ମଧ୍ୟ ଏକକ ପଦକ ଜିତି ଦ୍ବିମୁକୁଟ ଅର୍ଜନ କରିଥିଲେ।