ନୂଆଦିଲ୍ଲୀ: ଆଇପିଏଲ୍ର ଲୋକପ୍ରିୟତା କେବଳ ଏସିଆ, ଆଫ୍ରିକା କିମ୍ବା ଆମେରିକାରେ ସୀମିତ ନାହିଁ। ଏପରିକି ଏହା ଗ୍ରେଟ୍ ବ୍ରିଟେନ୍ର ସୀମା ସରହଦ ପାର ହୋଇ ୟୁରୋପ ମହାଦେଶର ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଲାଣି। ଇଟାଲୀର ଯୁବ କ୍ରିକେଟର୍ ଥୋମାସ ଡ୍ରାକା ଚଳିତବର୍ଷର ଖେଳାଳି ନିଲାମ ପାଇଁ ନାମ ପଞ୍ଜୀକରଣ କରିବା ପରେ ଏହା ସ୍ପଷ୍ଟ ହୋଇଛି। ପ୍ରଥମ ଇଟାଲୀୟ ଖେଳାଳି ଭାବେ ସାଉଦି ଆରବର ଜେଦା’ଠାରେ ଚଳିତମାସ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଆଇପିଏଲ୍ ମେଗା ନିଲାମ ଲାଗି ନାମ ପଞ୍ଜୀକରଣ କରିଛନ୍ତି। ୧୧୬୫ ଭାରତୀୟ ଓ ୪୦୯ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇ ଡ୍ରାକା ଇତିହାସ ରଚିଛନ୍ତି। କାନାଡାର ଗ୍ଲୋବାଲ ଟ୍ବେଣ୍ଟି-୨୦ ଲିଗ୍ରେ ବ୍ରାମ୍ପଟନ୍ ଉଲ୍ଭ୍ସ ଦଳର ପ୍ରତିନିଧିତ୍ବ କରି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ଅଲରାଉଣ୍ଡର୍ ଭୂମିକାରେ ଅବତୀର୍ଣ୍ଣ ହୋଇ ୧୧ ୱିକେଟ୍ କରାୟତ୍ତ କରିବା ସହ ୬ ମ୍ୟାଚ୍ରୁ ୧୫୦ରୁ ଅଧିକ ରନ୍ କରିଥିଲେ।
ସେହିଭଳି ୟୁଏଇରେ ଆୟୋଜିତ ହେଉଥିବା ଇଣ୍ଟରନ୍ୟାସନାଲ ଲିଗ୍ ଟ୍ବେଣ୍ଟି-୨୦ରେ ଏମ୍ଆଇ ଏମିରେଟ୍ସ ଦଳର ପ୍ରତିନିଧିତ୍ବ କରି ବଡ଼ବଡ଼ ଛକାରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ ସେ। ୨୪ବର୍ଷୀୟ ଡ୍ରାକା ଚଳିତବର୍ଷ ଜୁନ୍ ମାସରେ ଲକ୍ସେମବର୍ଗ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରି ୪ ଓଭରରେ ୧୫ ରନ୍ ବ୍ୟୟ କରି ୨ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ବଳିଷ୍ଠ ପ୍ରଦର୍ଶନ ବଳରେ ଇଟାଲୀ ୭୭ ରନ୍ରେ ଲକ୍ସେମବର୍ଗକୁ ହରାଇଥିଲା। ଆଇପିଏଲ୍ ନିଲାମରେ ମଧ୍ୟ ଡ୍ରାକା ନିଜକୁ ଅଲରାଉଣ୍ଡର୍ ଭାବେ ପଞ୍ଜୀକରଣ କରିଛନ୍ତି। ତାଙ୍କ ମୂଳଦର ରହିଛି ୩୦ ଲକ୍ଷ। ତେବେ ଫ୍ରାଞ୍ଚାଇଜ ତାଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କି ନାହିଁ, ତାହା ଆଉ ମାତ୍ର ୧୮ ଦିନ ପରେ ସ୍ପଷ୍ଟ ହୋଇଯିବ।
ଷ୍ଟୋକ୍ସ ଦୂରେଇ ରହିଲେ, ୨୦୨୬ରେ ବି ଖେଳିବେନି
ଅନ୍ୟଏକ ଘଟଣାକ୍ରମେ ଇଂଲଣ୍ଡର ଟେଷ୍ଟ୍ ଅଧିନାୟକ ତଥା ପୂର୍ବତନ ବିଶ୍ବବିଜୟୀ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଚଳିତବର୍ଷର ଆଇପିଏଲ୍ ନିଲାମରେ ନାମ ପଞ୍ଜୀକରଣ କରି ନଥିବା ଜଣାପଡ଼ିଛି। ସେ ମଧ୍ୟ ୨୦୨୬ର ଆଇପିଏଲ୍ ମିନି ନିଲାମ ଲାଗି ନାମ ପଞ୍ଜୀକରଣ କରିବାକୁ ଯୋଗ୍ୟ ବିବେଚିତ ହେବେନି। ଫଳରେ ଷ୍ଟୋକ୍ସ ଆସନ୍ତା ଦୁଇଟି ଋତୁରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ୩୩ ବର୍ଷୀୟ ଚର୍ଚ୍ଚିତ ଅଲରାଉଣ୍ଡର୍ ମଧ୍ୟ ଆଇପିଏଲ୍ର ଗତ ଋତୁରେ ଖେଳି ପାରି ନଥିଲେ। ହେଲେ ଅବସରପ୍ରାପ୍ତ ଇଂଲଣ୍ଡ ବୋଲର୍ ଜେମ୍ସ ଆଣ୍ଡରସନ୍ ପ୍ରଥମ ଥର ଲାଗି ଆଇପିଏଲ୍ ନିଲାମରେ ନାମ ପଞ୍ଜୀକରଣ କରିଛନ୍ତି। ଆଣ୍ଡରସନ୍ ଶେଷ ଥର ଲାଗି ୨୦୧୪ରେ ଆଇପିଏଲ୍ ଖେଳିଥିଲେ। ଗତ ଋତୁରେ କିଣାବିକା ହୋଇ ନଥିବା ଅଷ୍ଟ୍ରେଲିଆର ନାମୀ ସ୍ପିନର ନାଥନ ଲାୟନ ମଧ୍ୟ ୨ କୋଟିର ମୂଳ ଦଳରେ ନାମ ପଞ୍ଜୀକରଣ କରିଛନ୍ତି। ଗତ ଋତୁର ମିନି ନିଲାମରେ ସବୁଠାରୁ ଦାମୀ ଖେଳାଳି ଭାବେ ୨୪.୫୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ନିଲାମ ତାଲିକାକୁ ଫେରିଛନ୍ତି।