ଲଣ୍ଡନ: ୪ ଥରର ବିଶ୍ବ ବିଜେତା ଇଟାଲି ୧୯୬୮ ପରେ ପ୍ରଥମ ଥର ଲାଗି ୟୁରୋ କପ୍ ଜିତିଛି। ରବିବାର ସ୍ଥାନୀୟ ୱେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଏହି ଦଳ ସୁଟ୍ଆଉଟ୍ରେ ଘରୋଇ ଇଂଲଣ୍ଡକୁ ୩-୨ (୧-୧) ଗୋଲ୍ରେ ପରାସ୍ତ କରି ଦ୍ବିତୀୟ ଥର ଲାଗି ଏହି ସମ୍ମାନଜନକ ଓ ଲୋକପ୍ରିୟ ପ୍ରତିଯୋଗିତା ଜିତିବାକୁ ସକ୍ଷମ ହୋଇଛି। ୨୦୦୦ ଓ ୨୦୧୨ ଫାଇନାଲ୍ରେ ହାରି ଟ୍ରଫି ଜିତିବାରେ ବିଫଳ ହୋଇଥିବା ଇଟାଲି ୫୩ ବର୍ଷ ପରେ ଏହି ମରୁଡ଼ିର ଅବସାନ କରିଛି। ସେହିପରି ୫୫ ବର୍ଷ ପରେ ଏକ ବଡ଼ ପ୍ରତିଯୋଗିତା ଜିତିବା ଅଶା ରଖିଥିବା ଇଂଲଣ୍ଡର ସ୍ବପ୍ନକୁ ଭାଙ୍ଗି ଚୁରମାର କରି ଦେଇଛି ସଂପୂର୍ଣ୍ଣ ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଇଟାଲି। ଶେଷ ଥର ଲାଗି ଇଂଲଣ୍ଡ ୧୯୬୬ ବିଶ୍ବକପ୍ ଜିତିଥିଲା। ଏହା ପରେ କିନ୍ତୁ କୌଣସି ବଡ଼ ପ୍ରତିଯୋଗିତା ଜିତି ପାରିନାହିଁ। ଏପରିକି ୟୁରୋକପ ଫାଇନାଲ୍ରେ ପ୍ରଥମ ଥର ପ୍ରବେଶ କରିଥିଲା ଏହି ଦଳ। ହେଲେ ଲଢ଼ୁଆ ଖେଳ ଖେଳିବା ସତ୍ତ୍ବେ ସୁଟ୍ଆଉଟ୍ରେ ବିଫଳ ହେବା ପରେ ତାର ୟୁରୋକପ୍କୁ ତୋଳି ଧରିବାର ଅନ୍ତହୀନ ଅପେକ୍ଷା ଆହୁରି ଲମ୍ବିତ ହୋଇଛି। ୧୯୭୬ ପରେ ପ୍ରଥମ ଥର ୟୁରୋ ବିଜେତା ସୁଟ୍ଆଉଟ୍ରେ ମିଳିଥିଲା। ଚେକ୍ସ୍ଲୋଭାକିଆ ୧୯୭୬ରେ ୱେଷ୍ଟ୍ ଜର୍ମାନିକୁ ସୁଟ୍ଆଉଟ୍ରେ ପରାସ୍ତ କରି ଟ୍ରଫି କରାୟତ୍ତ କରିଥିଲା। ଏଥର ଏହି କଥା ଦୋହରାଇଛି ଇଟାଲି।
ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ଇଂଲଣ୍ଡ ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ହିଁ ଆଗୁଆ ହୋଇଥିଲା। ଲୁକ୍ ସ’ଙ୍କ ଏହି ଗୋଲ୍ଟି ଦେଇ ୧୯୬୬ ବିଶ୍ବ ବିଜେତା ଇଂଲଣ୍ଡକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ।
ପ୍ରଥମାର୍ଦ୍ଧ ୧-୦ରେ ମଧ୍ୟ ଇଂଲଣ୍ଡ ଆଗରେ ରହିଥିଲା। ହେଲେ ୬୭ତମ ମିନିଟ୍ରେ ଇଟାଲିର ଲିଓନାର୍ଡୋ ବୋନୁସି ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ଦ୍ବିତୀୟାର୍ଦ୍ଧ ୧-୧ରେ ଶେଷ ହେବା ପରେ ମ୍ୟାଚ୍ ଫଳାଫଳ ଲାଗି ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟରେ ପୂର୍ବ ପରି ୧-୧ ସ୍ଥିତି ରହିଥିଲା। ତେଣୁ ଫଳାଫଳ ସୁଟ୍ଆଉଟ୍ରେ ବାହାରିଥିଲା। ଇଟାଲି ଗୋଲ୍ରକ୍ଷକ ଜିଆନ୍ଲୁଗି ଡୋନ୍ନାରୁମ୍ମା ଇଂଲଣ୍ଡର ତିନିଟି ସଟ୍କୁ ନିଷ୍ଫଳ କରି ଦେବାରୁ ଦଳ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ସୁଟ୍ଆଉଟ୍ରେ ଇଟାଲିର ଡୋମିନିକୋ ବେରାର୍ଡି, ବୁନୁସି, ଫେଡ୍ରିକୋ ବର୍ନାର୍ଡେଶ୍ଚି ଗୋଲ୍ କରିବାକୁ ସକ୍ଷମ ହୋଇଥିଲା ବେଳେ ଆନ୍ଦ୍ରିଆ ବେଲୋଟି ଓ ଜର୍ଗିନୋ ବିଫଳ ହୋଇଥିଲେ। ଇଂଲଣ୍ଡର ହାରି କେନ୍, ହାରି ମୁଗୁରେ ଗୋଲ୍ କରିଥିଲା ବେଳେ ମାର୍କସ ରସଫୋର୍ଡ, ଜୋର୍ଡାନ ସାଞ୍ଚୋ ଓ ବୁକାୟା ସାକା ବିଫଳ ହୋଇଥିଲେ। ଡୋନ୍ନାରୁମ୍ମାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ସ୍ପେନ୍ର ପେଡ୍ରିଙ୍କୁ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ମିଳିଥିଲା।
୪୯ ଊଗ୍ର ଇଂଲଣ୍ଡ ପ୍ରଶଂସକ ଗିରଫ, ୧୯ ଅଫିସିଆଲ୍ ଆହତ
ୟୁରୋ କପ୍ ଫାଇନାଲ୍ରେ ଇଂଲଣ୍ଡ ହାରିବା ପରେ ଏହାର ପ୍ରଶଂସକମାନେ ରାସ୍ତାକୁ ଚାଲିଆସି ଜୋରଦାର ହଙ୍ଗାମା କରିଥିଲେ। ସୁରକ୍ଷା କର୍ମଚାରୀ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ପ୍ରଶଂସକମାନେ ପାଲଟା ଆକ୍ରମଣ କରିବା ସହ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ। ସୁରକ୍ଷା କର୍ମଚାରୀଙ୍କୁ ସହାୟତା କରିବାକୁ ସେଠାରେ ପହଞ୍ଚିଥିଲା ପୁଲିସ। ବିଶୃଙ୍ଖଳିତ ଆଚରଣ କରିଥିବା ପ୍ରଶଂସକଙ୍କୁ ଗିରଫ କରି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା। ‘‘ଆମ ଅଫିସରମାନେ ପୁରା ରାତି ୱେମ୍ବଲି ଷ୍ଟାଡିୟମ୍ ବାହାରେ ପହରା ଦେଇଥିଲେ। ଆମେ ବିଭିନ୍ନ ଦଫାରେ ବିଶୃଙ୍ଖଳିତ ୪୯ ଜଣ ସମର୍ଥକଙ୍କୁ ଗିରଫ କରିଛୁ। ହଙ୍ଗାମା ବେଳେ ୧୯ ସୁରକ୍ଷା କର୍ମଚାରୀ ଆହତ ହୋଇଥିଲେ’’ ବୋଲି ମେଟ୍ରୋପଲିଟାନ ପୁଲିସ ଟ୍ବିଟରରେ ପ୍ରକାଶ କରିଛି।