କଳିଙ୍ଗରେ ଆଇଟିଏଫ୍‌ ଏସୀୟ ଜୁନିୟର୍‌ ଫାଇନାଲ୍ସ ବୁଧବାରଠୁ: ଭାଗନେବେ ୧୮ ଦେଶରୁ ୪୭ ‌ଖେଳାଳି, ପ୍ରବୀଣ ଏକମାତ୍ର ଓଡ଼ିଆ ରେଫରି

ଭୁବନେଶ୍ବର: ଆଇଟିଏଫ୍‌ କ୍ୟାଲେଣ୍ଡର୍‌ର ଅନ୍ୟତମ ପ୍ରମୁଖ ବୟସ ବର୍ଗ ପ୍ରତିଯୋଗିତା ଏସୀୟ ଜୁନିୟର୍ (୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା) ଡେଭଲପମେଣ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍ସ ବୁଧବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍ କଂପ୍ଲେକ୍ସରେ ଖେଳାଯିବ। ୧୧ ଦିନିଆ ଏହି ପ୍ରତିଯୋଗିତାରେ ୧୮ ଦେଶରୁ ୪୭ ଖେଳାଳି ଓ ୧୨ ଜଣ ଅଫିସିଆଲ୍ ଅଂଶଗ୍ରହଣ କରିବେ। ଦୁଇ ଦିନ ତଳେ କଳିଙ୍ଗ ଷ୍ଟାଡିୟମ୍‌ କଂପ୍ଲେକ୍ସରେ ଉଦ୍‌ଘାଟିତ ‘ସେଣ୍ଟର୍ କୋର୍ଟ’ ସହିତ ଅନ୍ୟ ୭ଟି ସିନ୍ଥେଟିକ୍ କୋର୍ଟରେ ମ୍ୟାଚ୍‌ ଖେଳାଯିବ। ଏପ୍ରିଲ୍ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ବାଳକ ଏକକ, ବାଳକ ଯୁଗଳ, ବାଳିକା ଏକକ, ବାଳିକା ଯୁଗଳ ବର୍ଗରେ ଖେଳହେବ। ପ୍ରତିବର୍ଗର ଶୀର୍ଷ ୩୨ ଖେଳାଳି ଅଂଶଗ୍ରହଣ କରିବେ। ବିଜେତାଙ୍କୁ ୧୨୦୦, ଉପବିଜେତାକୁ ୧୦୦୦, ତୃତୀୟ ସ୍ଥାନ ଦଖଲକାରୀ ୮୦୦ ଆଇଟିଏଫ ପଏଣ୍ଟ ସହିତ ପଦକ ପାଇବେ। ଉଭୟ ବର୍ଗରେ ଭଲ ପ୍ରଦର୍ଶନ କରିଥିବା ଦଳକୁ ମଧ୍ୟ ଶ୍ରେଷ୍ଠ ଟ୍ରଫି ପ୍ରଦାନ କରାଯିବ। ମୋଟ ୧ କୋଟି ଟଙ୍କାର ବ୍ୟୟ ଅଟକଳରେ ଆୟୋଜିତ ଏହି ପ୍ରତିଯୋଗିତା ଲାଗି ଅନ୍ତର୍ଜାତୀୟ ଟେନିସ୍ ସଂଘ (ଆଇଟିଏଫ) ୫୦ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀ ଅବସରରେ ପ୍ରକାଶ କରିଥିଲେ ଓଡ଼ିଶା ଟେନିସ୍ ସଂଘ (ଓଟିଏ) ସଭାପତି ଅସିତ ତ୍ରିପାଠୀ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଟିଏ ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା, ଟୁର୍ଣ୍ଣାମେଣ୍ଟ ଟେକନିକାଲ୍ କମିଟି ଅଧ୍ୟକ୍ଷ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ଦର୍ଶକଙ୍କ ପାଇଁ ମୁକ୍ତ ପ୍ରବେଶ
ରାଜ୍ୟରେ ଟେନିସ୍‌କୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏସୀୟ ଟେନିସ୍ ପ୍ରତିଯୋଗିତାର ମ୍ୟାଚ୍‌ଗୁଡିକୁ ଦେଖିବା ଲାଗି ଦର୍ଶକଙ୍କୁ ଦେୟମୁକ୍ତ ପ୍ରବେଶ ସୁଯୋଗ ଦିଆଯାଇଛି। ଅଗ୍ରହୀ ଖେଳାଳି ଓ ପ୍ରଶଂସକ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌-୩ ନିକଟରୁ ପାସ୍ ସଂଗ୍ରହ କରି କଳିଙ୍ଗ ଷ୍ଟାଡିୟମ୍‌ ଇନର୍‌ ସର୍କଲରେ ଯାନବାହାନ ରଖି ପ୍ରତିଟି ମ୍ୟାଚ୍‌ ଦେଖିପାରିବେ। www.odishatennis.comରୁ ଗୋଟିଏ ଦିନ ପୂର୍ବରୁ ପାସ ସଂଗ୍ରହ କରିହେବ।

ପ୍ରବୀଣ ରେଫରି
ଓଡ଼ିଶାର ଆଗଧାଡ଼ିର ଟେନିସ୍ ରେଫରି ତଥା ଅନ୍ତର୍ଜାତୀୟ ଅମ୍ପାୟାର୍‌ ପ୍ରବୀଣ କୁମାର ନାୟକ ଏକମାତ୍ର ଓଡ଼ିଆ ଭାବେ ରେଫରି ପାନେଲ୍‌ରେ ରହିଛନ୍ତି। ୪୧ ବର୍ଷୀୟ ପ୍ରବୀଣ ପୂର୍ବରୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପରିଚାଳନା କରି ଅଭିଜ୍ଞତା ଅର୍ଜନ କରିଛନ୍ତି।‌ ଜୋନାଥନ୍ ଷ୍ଟବ୍ସ ଆଇଟିଏଫ୍‌ ଅଫିସିଆଲ୍ ଭାବେ ଏସୀୟ ଜୁନିଅର୍‌ ଫାଇନାଲ୍ସ ପରିଚାଳନା କରିବାକୁ ଯାଉଛନ୍ତି। ଯିଏ ପ୍ରଶିକ୍ଷଣ ସହିତ ଭାରତୀୟ ତଥା ଏସୀୟ ଟେନିସ୍ ସହ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ କାଟିଛନ୍ତି। ପ୍ରତିଯୋଗିତା ସହ ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କୁ ଯୋଡ଼ିବା ଲାଗି ପ୍ରାୟ ୨୦୦ ଯୁବ ଖେଳାଳି ଏବଂ ସେମାନଙ୍କ ପରିବାରକୁ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର