ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍ ଏସୀୟ ଜୁନିୟର୍ (୧୪ ବର୍ଷରୁ କମ୍ ବାଳକ ଓ ବାଳିକା) ଡେଭଲପମେଣ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ସର ଦ୍ବିତୀୟ ଚରଣରେ ୪ ଭାରତୀୟ ଖେଳାଳି ହାରିଥାଶ୍ରୀ ଭେଙ୍କଟେଶ ଓ ଶିବଦେଜ ଶିର୍ଫୁଲେ ଏକକ ବର୍ଗର କ୍ବାର୍ଟରଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ବାଳକ ଏକକ ପ୍ରିକ୍ବାର୍ଟରରେ ମଙ୍ଗଳବାର ଶିବତେଜ ଶିର୍ଫୁଲେ ପଞ୍ଚମ ସିଡ୍ ଉଜବେକିସ୍ତାନର ଆକମଲ ଅବଦୁଲାଇଭଙ୍କୁ ୬-୩, ୬-୩ରେ ପରାସ୍ତ କରିଥିବା ବେଳେ ବାଳିକା ଏକକ ପ୍ରି-କ୍ବାର୍ଟରରେ ହାରିଥାଶ୍ରୀ ଭେଙ୍କଟେଶ ଶ୍ରୀଲଙ୍କାର ଗିଥମି ରିୟାନା ଫର୍ଣ୍ଣାଣ୍ଡୋ ୱେଲଦେନିୟାଗଙ୍କୁ ୬-୦, ୬-୩ରେ ପରାସ୍ତ କରିଥିଲେ। ବାଳକ ଏକକ କ୍ବାର୍ଟରଫାନାଲରୁ କିନ୍ତୁ ଅଷ୍ଟମ ମାନ୍ୟତାପ୍ରାପ୍ତ ଭାରତୀୟ ପ୍ରକାଶ ଶରଣ ବିଦାୟ ନେଇଛନ୍ତି। ପ୍ରକାଶଙ୍କୁ କାଜାକସ୍ତାନର ୟାରାସ୍ଲାଭ ଶ୍ଚେନିନି ୬-୩, ୬-୩ରେ ପରାସ୍ତ କରି କ୍ବାର୍ଟରଫାଇନାଲ୍ ଉଠିଛନ୍ତି।
ଯୁଗଳ ବର୍ଗରେ କିନ୍ତୁ ଉଭୟ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉଠିଛନ୍ତି। ପ୍ରକାଶ ଶରଣ-ଶିବତେଜ ଶିର୍ଫୁଲେ କ୍ବାର୍ଟରଫାଇନାଲ୍ରେ ପାକିସ୍ତାନ ଯୋଡ଼ି ହାମଜା ରୋମାନ ଓ ଅବୁବାକର ତାଲହାଙ୍କୁ ୬-୪, ୬-୩ରେ ପରାସ୍ତ କରିଛନ୍ତି। ବାଳିକା ଯୁଗଳ ବର୍ଗରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ହାରିଥାଶ୍ରୀ ଭେଙ୍କଟେଶ-ମାୟା ରାଜେଶ୍ବରନ ରେବତୀ ୨-୬, ୬-୪ (୧୦-୪)ରେ ଥାଇଲାଣ୍ଡ୍ର ତାରିତା ହଙ୍ଗସୋକ୍-ନତ୍ରାଦା ସକୁଲଭୋଙ୍ଗଣ୍ଟାନାଙ୍କୁ ପରାସ୍ତ କରି ସେମିକୁ ଉଠିଛନ୍ତି। ବାଳକ ଏକକ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ କୋରିଆର ୱନମିନ୍ କିମ୍ ୬-୨, ୬-୪ରେ ଇରାନ୍ର ରାଫାଲେଣ୍ଟିନୋ ଅଲୀ ଦା କୋଷ୍ଟାଙ୍କୁ ଏବଂ ବାଳିକା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ କୋରିଆର ଜିୟୁନ ଓ’ ୬-୧, ୬-୦ରେ ଭିଏତନାମର ଏନ୍ କ୍ବାଙ୍ଗ୍ ଥି ୟେନଙ୍କୁ ପରାସ୍ତ କରି ମଧ୍ୟ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି।