ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆଇଟିଏଫ୍‌ ଏସୀୟ ଜୁନିୟର୍ (୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା) ଡେଭଲପମେଣ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍ସ ଉଦ୍‌ଯାପିତ ହୋଇଛି। ଦ୍ବିତୀୟ ଚରଣରେ କୋରିଆ ୪ରୁ ୩ଟି ବର୍ଗରେ ବିଜେତା ହେବା ସହ ଦଳଗତ ଟ୍ରଫି ହାସଲ କରିଛି। ସେଣ୍ଟର କୋର୍ଟରେ ଖେଳାଯାଇଥିବା ବାଳକ ଏକକ ଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ କୋରିଆର କିମ୍ ୱନମିନଙ୍କଠାରୁ ସିଧାସଳଖ ସେଟ୍ ୧-୬, ୦-୬ରେ ହାରିଯାଇଥିଲେ। ୱନମିନ୍‌ ମଧ୍ୟ ମିନ୍ ହ୍ୟୁକ୍‌ ଚୋ’ଙ୍କୁ ସାଥି କରି ପୁରୁଷ ଯୁଗଳ ବି‌ଜେତା ହେବା ସହ ବ୍ୟକ୍ତିଗତ ଦ୍ବିମୁକୁଟ ଅର୍ଜନ କରିଥିଲେ। ହଂକଂର ଆଲେକ୍ସ ଲାପ୍‌ ହଙ୍ଗ୍‌ ହୁଇ ବାଳକ ଏକକ ବର୍ଗର କାଂସ୍ୟ ପଦକ ଜିତିଥିଲେ। ବାଳିକା ଏକକ ଫାଇନାଲ୍‌ରେ କୋରିଆର ୟେରି ହଙ୍ଗ୍‌ ୬-୩, ୬-୦ରେ କାଜାକସ୍ତାନର ଇଭା କୋରିସେଭାଙ୍କୁ ପରାସ୍ତ କରିଥିଲେ। କୋରିଆର ଓ ଜିୟୁନ୍‌ କାଂସ୍ୟ ପଦକ ହାସଲ କରିଥିଲେ। ବାଳିକା ଯୁଗଳରେ କିନ୍ତୁ କାଜାକସ୍ଥାନ ଯୋଡ଼ି ଇଭା କୋରିସେଭା-ୟେର୍କେଜାନ୍‌ ଝନତାୟେଭା ୬-୧, ୬-୨ରେ ଉଜ୍‌ବେକିସ୍ତାନର ଇଲିମା ସୁଗେନୋଭା-ଏମିଲି କିମ୍‌ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ସପ୍ତାହ ତଥା ପ୍ରଥମ ଚରଣ ପ୍ରତିଯୋଗିତାରେ କୋରିଆ ସମସ୍ତ ୪ ସ୍ବର୍ଣ୍ଣ ପଦକ ପୋଛି ନେଇଥିଲା।

Advertisment

publive-image

‌ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପଦକ ବିଜେତାଙ୍କୁ ପୁରସ୍କୃତ କରିବା ସହ ଦଳଗତ ବିଜେତା କୋରିଆକୁ ଟ୍ରଫି ପ୍ରଦାନ କରିଥିଲେ। ଓଡ଼ିଶା ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଖେଳାଳିମାନଙ୍କ ପାଇଁ ଏହି ଦୁଇ ସପ୍ତାହ ଭଲରେ ବିତିଥିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ। ସରକାରଙ୍କ ସମର୍ଥନ ପାଇଁ ଓଟିଏ କୃତଜ୍ଞ ବୋଲି ସଭାପତି ଅସିତ ତ୍ରିପାଠୀ ପ୍ରକାଶ କରିଥିଲେ। କଳିଙ୍ଗ ଟେନିସ୍ କଂପ୍ଲେକ୍ସରେ ମୋ ଖେଳ ଜୀବନର ପ୍ରଥମ ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ଜିତିଥିବାରୁ ଏହା ମୋ ପାଇଁ ସ୍ମରଣୀୟ ରହିବ ବୋଲି କହିଥିଲେ ଦ୍ବିମୁକୁଟ ବିଜେତା‌ କୋରିଆ ବାଳକ କିମ୍ ୱନମିନ୍‌। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍ ଭିନିଲ କ୍ରିଷ୍ଣା, ଓଡ଼ିଶା ଟେନିସ୍ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଟେକନିକାଲ୍ ସମିତି ଅଧ୍ୟକ୍ଷ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ, ଓଡ଼ିଆ ରେଫରି ପ୍ରବୀଣ କୁମାର ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରତିଯୋଗିତା ସାରା ପ୍ରଶଂସକ ବିହୀନ ରହିଥିବା ଏହି ପ୍ରତିଯୋଗିତା କିନ୍ତୁ ଶୁକ୍ରବାର ଅନ୍ତିମ ଦିବସରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ, କିସ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଭରପୁର ରହିଥିଲା।