ଓଡ଼ିଶାରେ ପ୍ରଥମ ଥର ଆଇଟିଏଫ୍ ଫ୍ୟୁଚର୍ସ ଆଜିଠୁ
ଓଡ଼ିଶାରୁ ୪ ଜଣଙ୍କୁ ଓ୍ଵାଇଲ୍ଡ କାର୍ଡ, ୪ ଜଣଙ୍କୁ ସମ୍ବର୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେଉଥିବା ଭୁବନେଶ୍ୱରରେ ପୁଣି ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ହେବାକୁ ଯାଉଛି। ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଯାଉଛି ଆଇଟିଏଫ୍ (ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍)ର ପୁରୁଷ ଫ୍ୟୁଚର୍ସ ପ୍ରତିଯୋଗିତା। ୧୫,୦୦୦ ଆମେରିକୀୟ ଡଲାର୍ (ପ୍ରାୟ ୯ ଲକ୍ଷ ୭୫ ହଜାର ଟଙ୍କା) ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭାରତ ଏବଂ ବିଶ୍ୱର ବଛା ବଛା ପ୍ରମୁଖ ଖେଳାଳି ନଜରକୁ ଆସିବେ। ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ଏବଂ ସର୍ବ ଭାରତୀୟ ଟେନିସ୍ ସଂଘ ଅନୁମୋଦିତ ଏହି ପ୍ରତିଯୋଗିତାକୁ ଓଡ଼ିଶା ଟେନିସ୍ ସଂଘ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଆୟୋଜନ କରୁଛନ୍ତି। ଓଡ଼ିଶା ସମେତ ଦେଶର ପ୍ରମୁଖ ଉଦୀୟମାନ ଖେଳାଳିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଆଣିଛି। ଏକକ ବର୍ଗ ମୁଖ୍ୟ ଡ୍ର’ରେ ୩୨ ଜଣ ଏବଂ ଯୁଗଳ ବର୍ଗରେ ୧୬ ଦଳ ଭାଗନେବେ। ଜାନୁଆରି ୧୦ ମାନ୍ୟତା ଅନୁସାରେ ମୁଖ୍ୟ ଡ୍ର’ ପାଇଁ ମନୋନୀତ ୧୮ ଜଣଙ୍କ ମଧ୍ୟରେ ୯ ଜଣ ଭାରତୀୟ ରହିଛନ୍ତି। ଅନ୍ୟ ଖେଳାଳିମାନେ ଜର୍ମାନି, ଆର୍ଜେଣ୍ଟିନା, ଇଟାଲି, ଚେକ୍ ରିପବ୍ଲିକ୍, ରୁଷିଆ, ଚାଇନିଜ୍ ତାଇପେ, ସର୍ବିଆ, ଆମେରିକା ଏବଂ ଫ୍ରାନ୍ସରୁ ରହିଛନ୍ତି। ମୁଖ୍ୟ ଡ୍ର’ର ପ୍ରଥମ ରାଉଣ୍ଡ୍ ବିଜେତାଙ୍କଠାରୁ ଆରମ୍ଭ କରି ଆଇଟିଏଫ୍ ପଏଣ୍ଟ ଅର୍ଜନ କରିବେ। ବିଜେତା ସର୍ବାଧିକ ୧୮ ପଏଣ୍ଟ୍ ଏବଂ ଉପ ବିଜେତା ୧୦ ପଏଣ୍ଟ୍ ପାଇବାର ଥିବାବେଳେ ସେମିଫାଇନାଲିଷ୍ଟ୍କୁ ୬, କ୍ୱାର୍ଟରଫାଇନାଲିଷ୍ଟକୁ ୨, ପ୍ରିକ୍ୱାର୍ଟରଫାଇଲିଷ୍ଟଙ୍କୁ ୧ ପଏଣ୍ଟ୍ ମିଳିବ।
ଭାରତର ଶଶୀ କୁମାର ମୁକୁନ୍ଦ ଅଇଟିଏଫ୍ ତାଲିକା (୪୨୯) ଅନୁସାରେ ଶୀର୍ଷ ମାନ୍ୟତା ଭାବେ ଖେଳିବା ପ୍ରାୟ ନିଶ୍ଚିତ ରହିଛି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏନ୍ ବିଜୟ ସୁନ୍ଦର ପ୍ରଶାନ୍ତ, ସିଦ୍ଧାର୍ଥ ରାଓ୍ଵତ, ଅର୍ଜ୍ଜୁନ ଖାଡେ, କରୁଣୁଦୟ ସିଂହ, ସାକେତ ମିନେନି, ହାଡିନ୍ ବାଭା, ଆର୍ଯ୍ୟନ ଗୋଭିଆସ୍, ଦଲିବିନ୍ଦର ସିଂହ ରହିଛନ୍ତି। ମୁଖ୍ୟ ଡ୍ର’ ପାଇଁ ଓ୍ଵାଇଡ୍ଡ କାର୍ଡ ପାଇଥିବା ୪ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଦୁଇ ପ୍ରମୁଖ ଖେଳାଳି ଅଂଶୁ କୁମାର ଭୂୟାଁ ଏବଂ ଚିନ୍ମୟ ପ୍ରଧାନ। ଅନ୍ୟ ଦୁଇ ଜଣ ହେଲେ ସିଦ୍ଧାର୍ଥ ବିଶ୍ୱକର୍ମା ଓ କୁନାଲ ଆନନ୍ଦ। ସେହିଭଳି ଯୋଗ୍ୟତା ପର୍ଯ୍ୟାୟ ପାଇଁ ମନୋନୀତ ୬ ଜଣଙ୍କ ମଧ୍ୟରେ ଥିବା ଭାରତୀୟଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରତ୍ୟୁଷ ମହାନ୍ତି ଓ କବିର ହଂସଙ୍କୁ ସୁଯୋଗ ମିଳିଛି। ଶୁକ୍ରବାର ସ୍ୱାକ୍ଷରପର୍ବ ହେବା ପରେ ମୁଖ୍ୟ ଡ୍ର’ରେ ୨୦ ଜଣଙ୍କ ସହିତ ୪ ଓ୍ଵାଇଲ୍ଡ କାର୍ଡ ଏବଂ ୮ ଜଣ ଯୋଗ୍ୟତା ପର୍ଯ୍ୟାୟରୁ ଆସି ଖେଳିବେ। ମୁଖ୍ୟ ଡ୍ର’ ଖେଳ ଫେବ୍ରୁଆରି ୨୬ରୁ ମାର୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତା ଅବସରରେ ଓଡ଼ିଶାର ୨ ଜଣ ଝିଅଙ୍କ ସହ ୪ ଜଣ ଆଗଧାଡ଼ିର ଟେନିସ୍ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରି ସମ୍ବର୍ଧିତ କରିବେ ବୋଲି ଓଡ଼ିଶା ଟେନିସ୍ ସଂଘ ସମ୍ପାଦକ ଆଇଏଏସ ମଧୁସୂଦନ ପାଢ଼ୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଭଳି ଏକ ପ୍ରତିଯୋଗିତା ଓଡ଼ିଶାର ଟେନିସ୍ ଦୁନିଆ ତଥା ରାଜ୍ୟ କ୍ରୀଡ଼ାକୁ ସାମଗ୍ରିକ ଭାବେ ବିକଶିତ କରିବ ବୋଲି ଆଶା ପ୍ରକାଶ କରିଥିଲେ ଶ୍ରୀ ସଭାପତି ଆଇଏଏସ୍ ଅସିତ ତ୍ରିପାଠୀ।
‘ଅଲିମ୍ପିକ୍ ଆଗ୍ରହରେ ଓଡ଼ିଶା’
ବିଗତ ୩/୪ ବର୍ଷ ଧରି କଳିଙ୍ଗ ଷ୍ଟାଡିୟମ୍ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ କୁମାର ଦେବ। ଚାମ୍ପିଅନ୍ସ ଟ୍ରଫି ହକି, ଏସୀୟ ଦୌଡ଼କୁଦ, ବିଶ୍ୱ ହକି ଲିଗ୍ ଫାଇନାଲ୍ ପରେ ଚଳିତ ବର୍ଷ ଆମେ ଆଇଏସ୍ଏଲ୍ (ଫେବ୍ରୁଆରି ୨୫) ଆୟୋଜନ କରିଛୁ। ସେପ୍ଟେମ୍ବରରେ ଜାତୀୟ ଦୌଡ଼କୁଦ ଏବଂ ନଭେମ୍ବର-ଡିସେମ୍ବରରେ ହକି ବିଶ୍ୱକପ୍ ଆୟୋଜିତ ହୋଇଛି। ଗତବର୍ଷ ଏସୀୟ ଦୌଡ଼କୁଦର ଅଦ୍ଭୂତପୂର୍ବ ସଫଳତା ପରେ ମୁଖ୍ୟମନ୍ତ୍ରୀ ଅଲିମ୍ପିକ୍ ଆୟୋଜନ ନେଇ ଆଗ୍ରହ ଦେଖାଇଥିବା ବିଶାଲ ଦେବ ସୂଚନା ଦେଇଥିଲେ। ଭବିଷ୍ୟତରେ ଯଦି କେବେ ଭାରତକୁ ଅଲିମ୍ପିକ୍ ଆୟୋଜନର ସୁଯୋଗ ମିଳେ ତେବେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଦାବିଦାର ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଗ୍ରହ ଦେଖାଇଥିବା ଶ୍ରୀ ଦେବ ପ୍ରକାଶ କରିଥିଲେ।