ଭୁବନେଶ୍ବର: କଳିଙ୍ଗ ‌ଷ୍ଟାଡିୟମ୍‌ ଟେନିସ୍‌ କଂପ୍ଲେକ୍ସରେ ଚାଲିଥିବା ଆଇଟିଏଫ୍‌ ବିଶ୍ବ ଟେନିସ୍ ଟୁର୍‌ ଅନ୍ତର୍ଗତ ମେନ୍ସ୨୫ ପ୍ରତିଯୋଗିତାରେ ଓଡ଼ିଶାର ତାରକା ଖେଳାଳି କବିର ହଂସ ପୁରୁଷ ଯୁଗଳ ବର୍ଗର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କବିର ଓ ତାଙ୍କ ଭାରତୀୟ ସାଥୀ ଋଷଭ ଅଗ୍ରୱାଲ ୬-୭, ୬-୩, ୧୦-୬‌ ସେଟ୍‌ରେ ଏସ୍‌ଡି ପ୍ରଜ୍ବଳ ଦେବ ଓ ଆଦିଲ କଲ୍ୟାଣପୁରଙ୍କୁ ହରାଇଛନ୍ତି। ‌ଅଲିମ୍ପିଆନ୍‌ ବିଷ୍ଣୁ ବର୍ଦ୍ଧନ ଓ ତାଙ୍କ ସାଥୀ ସିଦ୍ଧାନ୍ତ ବନ୍ଥିଆ ସହଜରେ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ମ୍ୟାଚ୍‌ ୨-୦ରେ ଏହି ଯୋଡ଼ି ଆଗରେ ଥିଲା ବେଳେ ଏମାନଙ୍କ ପ୍ରତିଦ୍ବନ୍ଦ୍ବୀ ଏମ୍‌ ରିଫ୍‌କି ଫିତ୍ରିଆଦି ଓ କରଣ ସିଂହ ଓହରି ଯିବାରୁ ୱାକ୍‌ଓଭର ପାଇ ଆଗକୁ ବଢ଼ିଛନ୍ତି।

Advertisment

ଏକକରେ ୧୭ ବର୍ଷୀୟ ଯୁବ ଭାରତୀୟ ତାରକା ରେଥିନ ପ୍ରଣବ ସେନ୍ଥିଲ କୁମାର ଗୁରୁବାର ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ରେଥିନ ୨-୬, ୬-୪, ୪-୦ (ରିଟାର୍ଡ) ଚତୁର୍ଥ ମାନ୍ୟତାପ୍ରାପ୍ତ ଇଗର ଆଗାଫୋନଭଙ୍କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଗାଫୋନଭ ତୃତୀୟ ସେଟ୍‌ରେ ପଛରେ ଥିଲା ବେଳେ ଓହରି ଯାଇଥିଲେ। ଦ୍ବିତୀୟ ରାଉଣ୍ଡରେ ଭାରତର ଏସ୍‌ ପ୍ରଜ୍ବଳ ଦେବ ୬-୪, ୩-୦ (ରିଟାର୍ଡ)ରେ ରୋହନ କୁମାରଙ୍କୁ ଏବଂ ପଞ୍ଚମ ମାନ୍ୟତାପ୍ରାପ୍ତ କରଣ ସିଂହ ୬-୧, ୬-୨ ସେଟ୍‌ରେ ଏମ୍‌ ରିଫ୍‌କ୍ବି ଫିତ୍ରିଆଡ଼ିଙ୍କୁ ହରାଇ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର ଡାଲିବର ସ୍ବର୍ସିନା ୭-୫, ୬-୩ ସେଟ୍‌ରେ ମାନସ ଧାମ୍‌ନେଙ୍କୁ, ତୃତୀୟ ମାନ୍ୟତାପ୍ରାପ୍ତ ବୋଗଡାନ ବୋବ୍ରୋଭ ୬-୧, ୬-୧ ସେଟ୍‌ରେ ୟସ ଚୌରାସିଆଙ୍କୁ, ଷଷ୍ଠ ମାନ୍ୟତାପ୍ରାପ୍ତ ଦେବ ଜାଭିଆ ୬-୩, ୬-୧ ସେଟ୍‌ରେ ସିଦ୍ଧାର୍ଥ ବିଶ୍ବକର୍ମାଙ୍କୁ, ସପ୍ତମ ମାନ୍ୟତାପ୍ରାପ୍ତ ଆମେରିକା ନିକ୍‌ ଚାପେଲ ୬-୩, ୬-୪ ସେଟ୍‌ରେ ନିତିନ କୁମାର ସିହ୍ନାଙ୍କୁ, ଅଷ୍ଟମ ମାନ୍ୟତାପ୍ରାପ୍ତ ଆରିୟାନ ସାହୁ ୭-୫, ୬-୩ ସେଟ୍‌ରେ ସିଦ୍ଧାର୍ଥ ରାୱତଙ୍କୁ ପରାସ୍ତ କରିଛନ୍ତି।