ଭୁବନେଶ୍ବର: ଓଡ଼ିଆ ପୁଅ କବିର ହଂସ କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କଂପ୍ଲେକ୍ସରେ ଚାଲିଥିବା ଆଇଟିଏଫ୍ ବିଶ୍ବ ଟେନିସ୍ ଟୁର୍ ଅନ୍ତର୍ଗତ ମେନ୍ସ୨୫ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଏକକରୁ ବିଦାୟ ନେଇଥିବା ଏହି ତାରକା ଓଡ଼ିଆ ଖେଳାଳି ଯୁଗଳ ଫାଇନାଲ୍ରେ ପହଞ୍ଚି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ସେମିଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କବିର ଓ ତାଙ୍କ ଭାରତୀୟ ସାଥୀ ଋଷଭ ଅଗ୍ରୱାଲ ୬-୨, ୭-୬ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ବିଷ୍ଣୁ ବର୍ଦ୍ଧନ ଓ ତାଙ୍କ ସାଥୀ ସିଦ୍ଧାନ୍ତ ବନ୍ଥିଆଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍କୁ ସହଜରେ ଜିତିଥିବା କବିର ଓ ଋଷଭ ଦ୍ବିତୀୟ ସେଟ୍କୁ ଟ୍ରାଇବ୍ରେକର୍ରେ ଜିତି ଅଲିମ୍ପିଆନ୍ ବିଷ୍ଣୁ ଓ ସିଦ୍ଧାନ୍ତଙ୍କ ଟ୍ରଫି ଆଶା ଭାଙ୍ଗି ଦେଇଥିଲେ।
ଶନିବାର ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ଶୀର୍ଷ ମାନ୍ୟତାପ୍ରାପ୍ତ ରୁଷିଆର ଇଗର ଆଗାଫୋନଭ ଓ ବୋଗଡାନ ବୋବ୍ରୋଭଙ୍କୁ ଭେଟିବେ। ସେମିଫାଇନାଲ୍ରେ ଏହି ରୁଷୀୟ ଯୋଡ଼ି ୩-୬, ୭-୬, ୧୦-୮ ସେଟ୍ରେ ଫୈଜଲ କ୍ବାମର ଓ ଈଶାକ ଇକ୍ବାଲଙ୍କୁ ହରାଇଥିଲେ। ଏକକ ବର୍ଗ ସେମିଫାଇନାଲ୍ରେ ଭାରତର ଆରିଆନ ଶାହଙ୍କ ସହ ଶୀର୍ଷ ମାନ୍ୟତାପ୍ରାପ୍ତ ଡାଲିବୋର ସ୍ବର୍ସିନା, ୩ ନମ୍ବର ବୋଗଡାନ ବୋବ୍ରୋଭ ଓ ୭ ନମ୍ବର ନିକ୍ ଚାପେଲ ପ୍ରବେଶ କରିଛନ୍ତି। ଆରିଆନ୍ ୫-୭, ୬-୪, ୬-୨ରେ ନିଜ ଦେଶର ପ୍ରଣବ ସେନ୍ଥିଲ କୁମାରଙ୍କୁ, ଚେକ୍ ଗଣରାଜ୍ୟର ସ୍ବର୍ସିନା ୬-୪, ୬-୧ରେ ଜେବ ଜାଭିଆଙ୍କୁ, ରୁଷିଆର ବୋବ୍ରୋଭ ୬-୩, ୬-୦ରେ ଭାରତୀୟ ତାରକା କରଣ ସିଂହଙ୍କୁ ଏବଂ ଚାପେଲ ୫-୭, ୭-୫, ୧-୦ (ରିଟାର୍ଡ)ରେ ଭାରତର ଏସ୍ଡି ପ୍ରଜ୍ବଳ ଦେବଙ୍କୁ ପରାସ୍ତ କରିଛନ୍ତି।