ଅର୍ଜୁନଙ୍କ ବୋଲିଂକୁ ସାମ୍ନା କରିବା କଷ୍ଟକର: ୱାଟ୍‌

ନୂଆଦିଲ୍ଲୀ: କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ଏପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କିମ୍ବା ଲିଷ୍ଟ୍‌-ଏ କ୍ରିକେଟ୍‌ ଖେଳିନାହାନ୍ତି। ହେଲେ ଏହି ଯୁବ ବାମହାତୀ ଦ୍ରୁତ ବୋଲର ଭାରତ ସହ ଇଂଲଣ୍ଡ ପୁରୁଷ ଓ ମହିଳା ଦଳର ନେଟ୍‌ରେ ବୋଲିଂ କରିବାର ଅଭିଜ୍ଞତା ପାଇଛନ୍ତି। ୨୦୧୭ ବିଶ୍ବକପ୍‌ ପୂର୍ବରୁ ସେ ମଧ୍ୟ ଭାରତୀୟ ମହିଳା ଦଳ ନେଟ୍‌ରେ ବୋଲିଂ କରିଥିଲେ। କିଛି ସପ୍ତାହ ତଳେ ସେ ଜନି ବେୟାରଷ୍ଟୋଙ୍କୁ ନିଖୁଣ ୟର୍କର ପକାଇ ଆହତ କରି ଦେଇଥିଲେ। ବେୟାରଷ୍ଟୋ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଜୁନିୟର ତେନ୍ଦୁଲକର ବର୍ଷକୁ ୨-୩ ମାସ ୟୁକେରେ ରହିଥାନ୍ତି ଏବଂ ଇଂଲଣ୍ଡ ଖେଳାଳିମାନଙ୍କ ସହ ମିଶିଥା’ନ୍ତି। ଇଂଲଣ୍ଡ ମହିଳା ଦଳର ଖେଳାଳି ଡାନିଏଲ୍‌ ୱାର୍ଟଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ମଧ୍ୟ ରହିଛି। ୱାଟ୍‌ଙ୍କ ସହ ‌ଅର୍ଜୁନ ପଡ଼ିଆରେ ଅଭ୍ୟାସ କରିଛନ୍ତି। ଅର୍ଜୁନଙ୍କ ଅଭ୍ୟାସ ବେଳର ସ୍ମୃତିକୁ ମନେ ପକାଇ ୱାର୍ଟ ତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଅର୍ଜୁନଙ୍କ ବୋଲିଂକୁ ସାମ୍ନା କରିବା କଷ୍ଟକର ବୋଲି ୱାଟ୍‌ କହିଛନ୍ତି। ଦିନେ ସଚିନଙ୍କ ସହ ଅର୍ଜୁନ ଲର୍ଡସ୍‌ ପଡ଼ିଆକୁ ଆସିଥିଲେ। ମୁଁ ସେତେବେଳେ ନେଟ୍‌ ଅଭ୍ୟାସ କରୁଥିଲି। ସେମାନଙ୍କୁ ଦେଖି ଅର୍ଜୁନଙ୍କ ପାଖକୁ ଯାଇ କହିଲି ମୋତେ ନୂଆ ବଲ୍‌ରେ ବୋଲିଂ କରିବ। ସେ ସଙ୍ଗେ ସଙ୍ଗେ ରାଜି ହେବା ସହ କହିଲେ ‘ମୁଁ ତୁମକୁ ବାଉନ୍‌ସର ମାରିବି ଏବଂ ତୁମ ମୁଣ୍ଡରେ ବାଜିବ। ତୁମେ ରାଜି।’ ଏହା ଶୁଣି ମୁଁ ରାଜି ହୋଇନଥିଲି। ସତରେ ତାଙ୍କ ବୋଲିଂକୁ ସାମ୍ନା କରିବା କ‌ଷ୍ଟକର ଓ ବିପଦପୂର୍ଣ୍ଣ ବୋଲି ୱାଟ୍‌ କ୍ରିକେଟ୍‌ ଡଟ୍‌ କମ୍‌ରେ ଅଭ୍ୟାସ ସମୟର ପୁରୁଣା ସ୍ମୃତିକୁ ମନେ ପକାଇ କହିଛନ୍ତି। ତାଙ୍କର ଏକ ସୁନ୍ଦର ପରିବାର। ଅର୍ଜୁନଙ୍କ ମା’ ବହୁତ ବଢ଼ିଆ ଲୋକ। ବିଶ୍ବକପ୍‌ ସମୟରେ ମୁଁ ସଚିନଙ୍କୁ ଭେଟିଥିଲି ବୋଲି ୨୦୧୭ ବିଶ୍ବ ବିଜେତା ଦଳର ସଦସ୍ୟା ୱାଟ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର