ନୂଆଦିଲ୍ଲୀ: ଭାରତୀୟ ବୋଲରଙ୍କ ମଧ୍ୟରେ ଯଶ୍ପ୍ରୀତ ବୁମ୍ରାଙ୍କୁ ଖେଳିବା କଷ୍ଟକର ବୋଲି ବ୍ରିସ୍ବେନ୍ରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅଷ୍ଟ୍ରେଲୀୟ ଯୁବ ବ୍ୟାଟ୍ମ୍ୟାନ୍ ମାର୍ନସ ଲବୁସାନ୍ କହିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବା ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ୍ ଖେଳିଥିବା ଲବୁସାନ୍ ଏହି ଶୃଙ୍ଖଳା ଖେଳିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ୨୬ ବର୍ଷୀୟ ଲବୁସାନ୍ ଭାରତୀୟ ବୋଲରଙ୍କୁ ନେଇ ଅଙ୍କ କଷିବା ଆରମ୍ଭ କଲେଣି। ଭାରତୀୟ ବୋଲରମାନେ ଭଲ କିନ୍ତୁ ବୁମ୍ରାଙ୍କୁ ଖେଳିବା କଷ୍ଟକର ବୋଲି ସେ ବ୍ରିସ୍ବେନ୍ରେ ଏକ ସ୍ବତନ୍ତ୍ର ସାକ୍ଷାତକାରେ କହିଛନ୍ତି।
ବୁମ୍ରା ଲଗାତାର ପ୍ରାୟ ୧୪୦ କିଲୋମିଟର ଗତିରେ ବୋଲିଂ କରିବା ସହ ସୁଇଙ୍ଗ୍ କରିବାର କ୍ଷମତା ରଖିଛନ୍ତି। ଏଥିସହ ବଲ୍କୁ ଘୁରାଇ ଷ୍ଟମ୍ପ୍ ନିକଟକୁ ଆଣିବାର କ୍ଷମତା ମଧ୍ୟ ରଖିଛନ୍ତି। ଯଦି ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ଖେଳିବାକୁ ଚାହିଁବେ ତାହାଲେ ଏହି ଦୌଡ଼ରେ ବୋଧହୁଏ ବୁମ୍ରା ନିଶ୍ଚିତ ଆଗରେ ରହିବେ ବୋଲି ୧୪ ଟେଷ୍ଟ୍ରୁ ୪ ଶତକ ଓ ୧୩ ଅର୍ଧଶତକ ଏବଂ ୬୩ରୁ ଅଧିକ ହାରରେ ରନ୍ ହାସଲ କରିଥିବା ଲବୁସାନ୍ କହିଛନ୍ତି। ଗତ ଦୁଇ ବର୍ଷ ହେଲା ଈଶାନ୍ତ ଶର୍ମା ବହୁତ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତାଙ୍କୁ ମଧ୍ୟ ସମ୍ନା କରିବା ଆମ ପାଇଁ ଆହ୍ବାନ ହେବ। ମୋର ପ୍ରଥମ ଋତୁ ଭଲ ରହିଥିଲା। ଦ୍ୱିତୀୟ ଋତୁରେ ଭଲ କରିବାକୁ ଆଶା ରଖିଛି। ଭାରତ ଭଳି ସନ୍ତୁଳିତ ଦଳ ଏବଂ ସଂପ୍ରତି ବିଶ୍ୱ କ୍ରିକେଟ୍ର ଏକ ଶ୍ରେଷ୍ଠ ବୋଲିଂ ଆକ୍ରମଣ ବିରୋଧରେ ନିଜକୁ ପରୀକ୍ଷା କରିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି।
ମୁଁ ସିଡ୍ନିରେ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ୍ ଖେଳିଛି। ଏଥିରେ ସେମାନଙ୍କ ଆକ୍ରମଣର ସମ୍ମୁଖୀନ ହେବାର ଟିକିଏ ଅଭିଜ୍ଞତା ପାଇଛି। ଏଥିସହ ଧଳାବଲ୍ ପ୍ରତିଯୋଗିତା ଖେଳିବା ଲାଗି ଭାରତ ଗସ୍ତରେ ଆଉ କିଛି ଅଭିଜ୍ଞତା ପାଇଛି। ଜଣେ ଭଲ ଖେଳିଲେ ପ୍ରଶଂସକମାନେ ବାଛିବା ଆରମ୍ଭ କରିଦିଅନ୍ତି। ଏହି ସମୟରେ ନିଜର ଖେଳ ଉପରେ ନଜର ରଖିବା ଆବଶ୍ୟକ। ଏଥିପାଇଁ ମୋତେ ମୋ ଖେଳକୁ ବୁଝିବାକୁ ପଡ଼ିବ। ଭାରତୀୟ ବୋଲରଙ୍କୁ ସାମ୍ନା କଲାବେଳେ ସେମାନଙ୍କଠୁ ଅଗରେ ରହିବାକୁ ଚେଷ୍ଟା କରିବି ବୋଲି ଲବୁସାନ୍ କହିଛନ୍ତି। ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କଠୁ ବହୁତ କିଛି ଶିଖିଛି। ଆମେ ଦୁହେଁ କ୍ରିକେଟ୍ ଏବଂ ବ୍ୟାଟିଂ ବିଷୟରେ ସବୁବେଳେ ଆଲୋଚନା କରିବାକୁ ଭଲ ପାଉ। ତେଣୁ ମୁଁ ତାଙ୍କଠାରୁ ବହୁତ କିଛି ଶିଖିବାର ସୌଭାଗ୍ୟ ପାଇଥିଲି। ଏଥିପାଇଁ ନିଜକୁ ଭାଗ୍ୟବାନ୍ ମଣୁଛି ବୋଲି କହିଛନ୍ତି ଲବୁସାନ୍।