ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୟୁଏଇରେ ଖେଳାଯିବ ଏସିଆ କପ୍। ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନି। ବିସିସିଆଇ ଭାରତୀୟ ଦଳ ଘୋଷଣା ଚଳିତ ମାସ ୨୦ରେ କରିବାର ସମ୍ଭାବନା ରହିଛି। ତେବେ ଦଳରେ କିଏ ସ୍ଥାନ ପାଇବ କି ନାହିଁ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଆଇପିଏଲ୍ ପରେ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା କେଏଲ୍ ରାହୁଲ ଦଳରେ ସ୍ଥାନ ପାଇବା ଦୌଡ଼ରେ ଆଗରେ ରହିଛନ୍ତି। ହେଲେ ତାଙ୍କ ପାଇଁ ଏହା ସହଜ ହେବନି ବୋଲି ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କହିଛନ୍ତି ପୂର୍ବତନ ଭାରତୀୟ ଓପନର୍ ଆକାଶ ଚୋପ୍ରା। ସେ ପୁଣି କହିଛନ୍ତି, ଏହି ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଶ୍ରେୟସ ଆୟର ଦଳରେ ସ୍ଥାନ ପାଇବେ ହେଲେ ଚୂଡ଼ାନ୍ତ ଏକାଦଶ ଲାଗି ତାଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ରାହୁଲ ଆଇପିଏଲ୍ରେ ଭଲ ରନ୍ କରିଛନ୍ତି। ହେଲେ ତାଙ୍କ ଷ୍ଟ୍ରାଇକ୍ରେଟ୍ ନେଇ ପ୍ରଶ୍ନବାଚୀ ରହିଛି। ସେ କେତେବେଳେ ସକାରାତ୍ମକ ମାନସିକତାରେ ଖେଳନ୍ତି ତ କେତେବେଳେ ମୁକ୍ତ ଭାବେ ଖେଳନ୍ତି। ବେଳେବେଳେ ନିଜ ଚିନ୍ତାଧାରାରେ ସୀମିତ ହୋଇ ଶୀଘ୍ର ସ୍କୋର୍ କରିବାରେ ବିଫଳ ହୁଅନ୍ତି।
ମୁଁ ଭାବୁଛି ତାଙ୍କ ନିକଟରେ ଖେଳ ଅଛି, ଟ୍ବେଣ୍ଟି-୨୦ରେ ସଫଳ ହୋଇପାରିବେ। ହେଲେ ତାଙ୍କ ବାଟ ଓଗାଳୁଛନ୍ତି ଅଭିଷେକ ଶର୍ମା, ସଂଜୁ ସାମ୍ସନ୍, ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍ଙ୍କ ଭଳି ଯୁବ ଓପନର୍। ରାହୁଲ ବ୍ୟାଟିଂ କ୍ରମରେ ତଳକୁ ଖସିଲେ ଏହା ତାଙ୍କ ପାଇଁ ଠିକ୍ ରହିବ। ଏହି କ୍ରମରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଆଇପିଏଲ୍ରେ ସଫଳ ଥିବା ଜିତେଶ ଶର୍ମା, ସଂଜୁ ସାମ୍ସନ୍ ଓ ଧ୍ରୁବ ଜୁରେଲ। ୱିକେଟ୍କିପର ଭାବେ ତାଙ୍କର ଆବଶ୍ୟକତା ବି ଦଳକୁ ଲୋଡ଼ା ନାହିଁ। ତେଣୁ ତାଙ୍କ ପାଇଁ ସହଜ ହେବନି। ଏସିଆ କପ୍ରେ ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିବ। ତାଙ୍କ ବ୍ୟାଟିଂକୁ ନେଇ କେହି ପ୍ରଶ୍ନ କରିପାରିବେନି। ତାଙ୍କ ପାଖରେ ଚମତ୍କାର ପ୍ରତିଭା ଭରି ରହିଛି। ତାଙ୍କ ଆଇପିଏଲ୍ ପ୍ରଦର୍ଶନ ସମସ୍ତେ ଦେଖିଛନ୍ତି। ସର୍ଟ ବଲ୍ ଅସୁବିଧା ଦୂର ପରେ ସେ ବଡ଼ ସ୍କୋର୍ କରୁଛନ୍ତି। ସୂର୍ଯ୍ୟକୁମାର ୟାଦବ ଓ ତିଳକ ବର୍ମା ଟ୍ବେଣ୍ଟି-୨୦ ପାଇଁ ପରଫେକ୍ଟ। ତାଙ୍କୁ କେହି ବାଦ୍ ଦେଇପାରିବେନି। ଶ୍ରେୟସ ୫ ନମ୍ବରରେ ବ୍ୟାଟିଂ କଲେ ହାର୍ଦିକ ପାଣ୍ଡ୍ୟା ସେହି ସ୍ଥାନ ପାଇଁ ଅଛନ୍ତି। ସେହିଭଳି ନୀତୀଶ କୁମାର ରେଡ୍ଡୀ ଓ ରିଙ୍କୁ ସିଂହଙ୍କ ପୋଜିସନ୍କୁ ନେଇ ପ୍ରଶ୍ନ ରହିଛି। ତେଣୁ ଶ୍ରେୟସ ଦଳ ସହ ଗସ୍ତ କଲେ ମଧ୍ୟ ପୂରା ପ୍ରତିଯୋଗିତାରେ ବେଞ୍ଚ୍ରେ ବସି ଫେରିବାର ସମ୍ଭାବନା ରହିଛି ବୋଲି ଆକାଶ ଆଶଙ୍କା ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/18/kl-shreyas-2025-08-18-01-31-35.jpg)