ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ବଢ଼ା‌ଇବା ଆମ ଦାୟିତ୍ବ: ଦେବାଶିଷ

ଭୁବନେଶ୍ବର: ଭାରତରେ କ୍ରିକେଟ୍‌ ପ୍ରତିଭାର ଅଭାବ ନାହିଁ। ଉପଯୁକ୍ତ ଖେଳାଳିଙ୍କୁ ଠିକଣା ସମୟରେ ଚୟନ କରିବା ସହ ଭାରତୀୟ ଦଳର ବେଞ୍ଚ୍‌ ଷ୍ଟ୍ରେଙ୍ଗ୍ଥ ବଢ଼ାଇବା ଆମ ଦାୟିତ୍ବ ହେବ। ଏହା ନିଶ୍ଚିତ ଏକ ଅତିରିକ୍ତ ଦାୟିତ୍ବ, କଷ୍ଟସାଧ୍ୟ ହେଲେ ବି‌ କୌଶଳପୂର୍ଣ୍ଣ ଭାବେ ତୁଲାଇବାକୁ ପଡ଼ିବ। ପ୍ରଦର୍ଶନକାରୀଙ୍କ ଉପରେ ନିଶ୍ଚିତ ନିରଂତର ନଜର ରହିବ ବୋଲି ଗୁରୁବାର ବିସିସିଆଇ ବରିଷ୍ଠ ଚୟନକର୍ତା ମନୋନୀତ ହୋଇଥିବା ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି। ନିଜ ଖେଳ ଜୀବନର ଆଦ୍ୟ ଅନୁଷ୍ଠାନ ସହିଦ ସ୍ପୋର୍ଟିଂ କ୍ଲବ୍ ପରିସରରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କଥା କହିଛନ୍ତି ଦେବାଶିଷ। ମୋ ଉପରେ ଏତେ ଭରସା, ବିଶ୍ବାସ ଓ ଅସ୍ଥା ପ୍ରକଟ କରିଥିବାରୁ ଦେବାଶିଷ ବିସିସିଆଇ, ନିଜ ବୃତ୍ତିଗତ ସଂସ୍ଥା ନାଲ୍‌କୋ ଏବଂ ଓଡ଼ିଶା କ୍ରିକେଟ୍ ସଂଘ ଓ ଏହାର ସମ୍ପାଦକ ସଂଜୟ ବେହେରାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଅନେକ ପ୍ରସଙ୍ଗରେ ବି ଦେବାଶିଷ ନିଜ ମତ ରଖିଥିଲେ।

ଧନ୍ୟବାଦବିହୀନ କାର୍ଯ୍ୟ
ଜାତୀୟ ଦଳର ଚୟନକର୍ତା ସବୁବେଳେ ଏକ ଧନ୍ୟବାଦବିହୀନ କାର୍ଯ୍ୟ। ଖେଳାଳି ବାଛିବା ଆମ ମୁଖ୍ୟ କାର୍ଯ୍ୟ ହୋଇଥିଲେ ମଧ୍ୟ ସମସ୍ତଙ୍କୁ ଦଳରେ ସ୍ଥାନ ଦେବା ସମ୍ଭବ ହୋଇନଥାଏ। ତେଣୁ ପ୍ରତି ଥର ଆପଣଙ୍କୁ କିଛି ଖେଳାଳିଙ୍କ ଅସନ୍ତୋଷର ଶିକାର ହେବାକୁ ପଡ଼ିଥାଏ। ସମସ୍ତଙ୍କୁ ସନ୍ତୁଷ୍ଟ କରିବା କେବେ ବି ସମ୍ଭବ ନୁହେଁ।‌ ତେଣୁ ସଚ୍ଚୋଟତାର ସହ କାମ କରିବା ପରେ ଦେଶର ପ୍ରଦର୍ଶନକୁ ଦେଖିବାକୁ ପଡ଼ିଥାଏ। କୌଣସି ଖେଳାଳି ଯେଭଳି ଅନ୍ୟାୟର ଶିକାର ନ ହୁଏ ସେଥି ପ୍ରତି ନିଶ୍ଚିତ ନଜର ରହିବ। ଦେଶର ସ୍ବାର୍ଥ ପାଇଁ ପ୍ରଦର୍ଶନ ଓ ଭବିଷ୍ୟତକୁ ନଜର ରଖି ସବୁକିଛି କରିବାକୁ ପଡ଼ିବ। ଆଜିଠାରୁ ହିଁ କାମ ଆରମ୍ଭ ହୋଇ ସାରିଛି। ଦଳର ଲକ୍ଷ୍ୟ, ଆଭିମୁଖ୍ୟ ଓ ଆଶା ସ୍ପଷ୍ଟ ରହିଛି।

ପ୍ରଦର୍ଶନକାରୀ ଭବିଷ୍ୟତ
ନିୟମିତ ପ୍ରଦର୍ଶନ କରି ଆସୁଥିବା ଖେଳାଳିଙ୍କ ଉପରେ ନିଶ୍ଚିତ ଜାତୀୟ ଚୟନକର୍ତାଙ୍କ ନଜର ରହିବ। କେବଳ ଓଡ଼ିଶା କି ପୂର୍ବାଞ୍ଚଳ ଖେଳାଳି ନୁହନ୍ତି ସମଗ୍ର ଭାରତ ବର୍ଷରେ ଭଲ ଖେଳୁଥିବା ଖେଳାଳିଙ୍କୁ ଭାରତୀୟ ଦଳର ଭବିଷ୍ୟତ ଭାବେ ବିଚାର କରାଯିବ। ଓଡ଼ିଶାରେ ସମ୍ପ୍ରତି ଅନୁଷ୍ଠିତ ଅନ୍ତଃଜିଲ୍ଲା ଟି-୨୦ ଲିଗ୍‌ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ।‌ କୋଭିଡ୍‌ ସମୟରେ ଏହା ଆୟୋଜିତ ହେବା ଓସିଏକୁ ଅଧିକ ଶ୍ରେୟ ଦେଉଛି। ଟେଷ୍ଟ୍ କ୍ରିକେଟ୍ ତୁଳନାରେ ଏବେ ଟି-୨୦ ଅଧିକ ପସନ୍ଦ ରହୁଛି।

ଖେଳାଳି ଜୀବନ ଉପଭୋଗ୍ୟ
କୌଣସି ଦଳକୁ ପ୍ରଶିକ୍ଷଣ ଦେବା ଏବଂ କୌଣସି ଦଳ ପାଇଁ ଖେଳାଳି ବାଛିବାଠାରୁ ନିଜ ଖେଳାଳି ଜୀବନ ଅଧିକ ଉପଭୋଗ୍ୟ ବୋଲି ପ୍ରକାଶ କରିଥିଲେ ଦେବାଶିଷ। ଫର୍ମାଟ ଯାହା ହେଉ ପଛେ ଖେଳାଳି ବାଛିବା ଆମ ମୁଖ୍ୟ କାର୍ଯ୍ୟ ହେବ। ବଞ୍ଚିତ ରହୁଥିବା ଖେଳାଳିଙ୍କୁ ବି ବିଚାରକୁ ନେବାକୁ ପଡ଼ିବ। ବେଳେ ବେଳେ ପ୍ରଦର୍ଶନ ସହିତ ପ୍ରତିଭା ଥିଲେ ବି ଖେଳାଳିଙ୍କୁ ବିଚାରକୁ ନିଆଯାଇଥାଏ।

ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସ୍ବାଗତ
୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରିବାକୁ ଆସିଥିବା ପ୍ରସ୍ତାବକୁ ବିସିସିଆଇ ଅନୁମୋଦନ ଦେଇଥିବାରୁ ଦେବାଶିଷ ଏହାକୁ ସ୍ବାଗତ କରିଛନ୍ତି। ବଡ଼ କ୍ରୀଡ଼ା ପ୍ରତିଯୋଗିତାରେ କ୍ରିକେଟ୍ ସ୍ଥାନ ପାଇବା ଭଲ କଥା। ଅତୀତରେ ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ କ୍ରିକେଟ୍‌କୁ ସାମିଲ କରାଯାଇଥିଲା, ମୁଁ ଏହାର ଅଂଶବିଶେଷ ଥିବାରୁ ନିଜକୁ ଭାଗ୍ୟବାନ ମଣିଥିଲି। ଭବିଷ୍ୟତରେ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେଲେ ନିଶ୍ଚିତ ଏହି ଖେଳର ସୁଦୂରପ୍ରସାରୀ ପ୍ରଭାବ ରହିବ। ୨୦୨୨ ମସିହାରୁ ୧୦ ଦଳୀୟ ଆଇପିଏଲ୍‌ ଯୋଜନାକୁ ମଧ୍ୟ ଦେବାଶିଷ ସ୍ବାଗତ କରିଥିଲେ।

ରାଜେଶ ଓ ଶୁଭ୍ରାଂଶୁଙ୍କ ଉପରେ ନଜର
ଓଡ଼ିଶା କ୍ରିକେଟର୍‌ଙ୍କ ମଧ୍ୟରୁ ଯଦି ଦୁଇଟି ନାମ କହିବାକୁ ପଡ଼ିବ ତେବେ ମୁଁ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଏବଂ ବ୍ୟାଟ୍ସମ୍ୟାନ୍‌ ଶୁଭ୍ରାଂଶୁ ସେନାପତିଙ୍କ ନାମ ନେବି। ଏମାନେ ନିରଂତର ଭଲ ପ୍ରଦର୍ଶନ କରିପାରିଲେ ନିଶ୍ଚିତ ଭାରତୀୟ ଦଳର ଦ୍ବାରଦେଶରେ ପହଞ୍ଚିପାରିବେ କିମ୍ବା ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଓଡ଼ିଶା ବିଗତ କିଛି ବର୍ଷ ହେବ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ଚଳିତ ବର୍ଷ ବହୁ ପୂର୍ବତନ ଖେଳାଳିମାନଙ୍କୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ବିଭିନ୍ନ ଦାୟିତ୍ବ ଓ ପଦପଦବିରେ ଅବସ୍ଥାପିତ କରିଥିବାରୁ ଏହାର ସୁଫଳ ନିଶ୍ଚିତ ପରବର୍ତୀ ବର୍ଷଗୁଡ଼ିକରେ ପ୍ରତିଫଳିତ ହେବ ବୋଲି ଦେବାଶିଷ କହିଥିଲେ।

ଖେଳାଳି-ଚୟନକର୍ତା ସଂଯୋଗ
ଦେବାଶିଷ ମହାନ୍ତିଙ୍କ ସହ ଏଥର ବିସିସିଆଇ ନୂଆ ଚୟନକର୍ତା ଭାବେ ମନୋନୀତ ହୋଇଛନ୍ତି ଅନ୍ୟ ଦୁଇ ଦ୍ରୁତ ବୋଲର ଆବେ କୁରୁଭିଲା ଏବଂ ଚେତନ ଶର୍ମା। ଏ ତିନିହେଁ ଦ୍ରୁତ ବୋଲର। ଚେତନ ଶର୍ମାଙ୍କୁ ଚୟନ ସମିତିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଦେବାଶିଷ, କୁରୁଭିଲ୍ଲା ଏବଂ ପୂର୍ବରୁ ସଦସ୍ୟ ଥିବା ହରଭିନ୍ଦର ସିଂହ ସଂଯୋଗବଶତଃ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛନ୍ତି। ଦେବାଶିଷ ଏହାକୁ ଏକ ସଂଯୋଗ ଆଖ୍ୟା ମଧ୍ୟ‌ ଦେଇଛନ୍ତି। କାରଣ ଏହି ୩ ଜଣ ୧୯୯୭ରେ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ଦେବାଶିଷ ଓ ହରଭିନ୍ଦର ଏକାଠି ମଧ୍ୟ ଦିନିକିଆ ପଦାର୍ପଣ କରିଥିଲେ ପାକିସ୍ତାନ ବିପକ୍ଷରେ।

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଦେବାଶିଷ ମହାନ୍ତିଙ୍କ ନିକଟକୁ ଶୁକ୍ରବାର ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାଶିଷଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିସିସିଆଇ, ଓସିଏ, ନାଲକୋ ପକ୍ଷରୁ ମଧ୍ୟ ଦେବାଶିଷଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

 

ସମ୍ବନ୍ଧିତ ଖବର