ନୂଆଦିଲ୍ଲୀ: ଗତ ଆଇପିଏଲ୍‌ ନିଲାମିରେ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିବା ଭାରତୀୟ ବ୍ୟାଟର୍ ଶ୍ରେୟସ ଆୟର ଏବେ ଆଉ ଏକ ନୂଆ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଖେଳାଳି ଭାବେ ତିନିଟି ଆଇପିଏଲ୍‌ ଦଳର ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି। ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସକୁ ନେତୃତ୍ବ ଦେଇ ବିଜେତା କରାଇଥିବା ଆୟରଙ୍କୁ ନଭେମ୍ବର ନିଲାମରେ ୨୬.୭୫ କୋଟିରେ କିଣି ନେଇଥିଲା ପଞ୍ଜାବ କିଙ୍ଗ୍ସ। ଏବେ  ଆୟରଙ୍କୁ ପଞ୍ଜାବ ଅଧିନାୟକ ନିଯୁକ୍ତ କରି ନିଜ ବହୁ ପ୍ରତୀକ୍ଷିତ ଭାଗ୍ୟରେ ପରିବର୍ତନ ଆଶା ରଖିଛି। ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସର ବି ନେତୃତ୍ବ ନେଇଥିଲେ ଏବଂ ୨୦୨୦ ସଂସ୍କରଣରେ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ଆୟର ମଧ୍ୟ ଏକମାତ୍ର ଖେଳାଳି ଭାବେ ଦୁଇଟି ଭିନ୍ନ ଦଳର ଅଧିନାୟକ ଭାବେ ଫାଇନାଲ୍‌ ଖେଳିଛନ୍ତି। ଆଇପିଏଲ୍‌ ଇତିହାସରେ ଆୟରଙ୍କ ପୂର୍ବରୁ ମାତ୍ର ୨ ଜଣ ‌ଖେଳାଳି ୩ଟି ଭିନ୍ନ ଦଳର ନେତୃତ୍ବ ନେଇଛନ୍ତି।

Advertisment

ସେମାନେ କିନ୍ତୁ କେହି ଭାରତୀୟ ନୁହନ୍ତି। ସେ ଦୁଇ ଜଣ ହେଉଛନ୍ତି ଶ୍ରୀଲଙ୍କାର ମହାନ ମାହେଲା ଜୟବର୍ଦ୍ଧନେ (କିଙ୍ଗସ ଇଲେଭେନ୍ ପଞ୍ଜାବ, କୋଚି ଟସ୍କର୍ସ, ଦିଲ୍ଲୀ କ୍ୟାପିଟାଲ୍ସ) ଏବଂ ଅଷ୍ଟ୍ରେଲୀୟ କିଂବଦନ୍ତି ଷ୍ଟିଭେନ୍ ସ୍ମିଥ୍ (ପୁନେ ୱାରିୟର୍ସ ଇଣ୍ଡିଆ, ରାଇଜିଂ ପୁନେ ସୁପର୍ ଜାଏଣ୍ଟସ୍‌, ରାଜସ୍ଥାନ ରୟାଲ୍‌ସ)।
‘ପଞ୍ଜାବ କିଙ୍ଗସ ମୋ ଉପରେ ବିଶ୍ବାସ ରଖିଥିବାରୁ ମୁଁ ନିଜକୁ ଧନ୍ୟ ମଣୁଛି। ପୁଣି ଥରେ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ସହ କାମ କରିବାକୁ ମୁଁ ଆତୁର ଅଛି। ଦଳକୁ ପ୍ରଥମ ଥର ବିଜେତା କରାଇବାକୁ ଆଶା ରଖିଛି’ ବୋଲି ଆୟର ପ୍ରକାଶ କରିଛନ୍ତି। କେବଳ ଆଇପିଏଲ୍‌ ଟାଇଟଲ୍ ନୁହେଁ ୨୦୨୪ରେ ଆୟର ମଧ୍ୟ ମୁମ୍ବାଇକୁ ସୟଦ ମୁସ୍ତାକ ଅଲୀ ଟ୍ରଫି ବିଜେତା କରାଇଥିଲେ। ଏହା ପୂର୍ବରୁ ସେ ମଧ୍ୟ ମୁମ୍ବାଇର ରଣଜୀ ଟ୍ରଫି ଓ ଇରାନୀ ଟ୍ରଫି ବିଜୟୀ ଦଳର ଅନ୍ୟତମ ସଦସ୍ୟ ବି ଥିଲେ।