ନୂଆଦିଲ୍ଲୀ: ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ୍ ଖେଳିବାକୁ ଅମଙ୍ଗ ହେବା ଦୁଇ ଭାରତୀୟ କ୍ରିକେଟର୍ ଶ୍ରେୟସ୍ ଆୟର ଓ ଈଶାନ କିଶନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହାକୁ ବିଶୃଙ୍ଖଳିତ ଆଚରଣ କହି ବିସିସିଆଇ ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଛି। ଏହାକୁ ନେଇ କିନ୍ତୁ ଭାରତୀୟ କ୍ରିକେଟ୍ ଦୁଇ ଫାଳ ହୋଇଛି। ବିସିସିଆଇର ଘରୋଇ କ୍ରିକେଟ୍ ଖେଳିବା ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଈଶାନ ଓ ଆୟରଙ୍କ ବିରୋଧରେ ନିଆଯାଇଥିବା ଏଭଳି କଠୋର ପଦକ୍ଷେପକୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଛି। ହେଲେ ଅନେକ ପୂର୍ବତନ କ୍ରିକେଟର୍‌ ବିସିସିଆଇର ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ଆୟର ଓ ଈଶାନଙ୍କ ବିରୋଧରେ ଯଦି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁଛି, ତା‌ହେଲେ ଅନ୍ୟମାନଙ୍କ କ୍ଷେତ୍ରରେ ବିସିସିଆଇ କାହିଁକି ଚୁପ୍ ରହୁଛି ବୋଲି ପ୍ରଶ୍ନ କରିଛନ୍ତି ସେମାନେ। ଏପରିକି କେତେକ ପୂର୍ବତନ କ୍ରିକେଟର୍‌ ହାର୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଘରୋଇ କ୍ରିକେଟ୍ ଖେଳିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ବିସିସିଆଇକୁ ଆହ୍ବାନ କରିଛନ୍ତି।

Advertisment

ଯୁବ ଖେଳାଳି ରଣଜୀ ଖେଳିବାକୁ ଅମଙ୍ଗ ହେବା ନେଇ ଗାଙ୍ଗୁଲି ବିସ୍ମିତ
ରୋହିତ-ବିରାଟ ମଧ୍ୟ ଘରୋଇ କ୍ରିକେଟ୍ ଖେଳିବାକୁ ଦାବି କଲେ ଆଜାଦ
ଇର୍ଫାନଙ୍କ ପ୍ରଶ୍ନକୁ ନେଇ ଅଡ଼ୁଆରେ ବିସିସିଆଇ, କାମ ଦେଲାନି ଆୟରଙ୍କ ଅନୁତାପ

ଏହି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ବିସିସିଆଇ ଚାହୁଛି ସେମାନେ (ଈଶାନ ଓ ଆୟର) ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳନ୍ତୁ। ରଣଜୀ ଟ୍ରଫି ଭଳି ସମ୍ମାନଜନକ ପ୍ରତିଯୋଗିତା ଖେଳିବାକୁ ଆୟର ଓ ଈଶାନ ଅମଙ୍ଗ ହେବା କିନ୍ତୁ ମୋତେ ବିସ୍ମିତ କରିଛି। ମୋ ମତରେ ସମସ୍ତ ଚୁକ୍ତିଭୁକ୍ତ ଖେଳାଳି ଘରୋଇ କ୍ରିକେଟ୍ ଖେଳିବା ଦରକାର। ରଣଜୀ ବଳରେ ହିଁ ଭାରତୀୟ କ୍ରିକେଟ୍ ଆଗକୁ ଯାଇପାରିବ। ସେହିଭଳି ବିସିସିଆଇର ଏହି ପଦକ୍ଷେପକୁ ପୂର୍ବତନ କ୍ରିକେଟର୍‌ ତଥା ୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କୀର୍ତ୍ତି ଆଜାଦ ସ୍ବାଗତ କରିଛନ୍ତି। ତେବେ ଏହି ନିୟମ ସବୁ ଖେଳାଳିଙ୍କ କ୍ଷେତ୍ରରେ ସମାନ ଭାବେ ଲାଗୁ କରିବାକୁ କହିଛନ୍ତି। ଏପରିକି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳି ଯଦି ଜାତୀୟ ଦଳରେ ନାହାନ୍ତି ଓ ଫିଟ୍ ଅଛନ୍ତି, ତାହେଲେ ସେମାନେ ମଧ ଘରୋଇ କ୍ରିକେଟ୍ ଖେଳିବା ଉଚିତ ବୋଲି ଆଜାଦ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏବେ ଆଇପିଏଲ୍‌କୁ ଅଗ୍ରାଧିକାର ଦିଆଯାଉଛି। ଏଥିରେ ଭରପୂର ମନୋରଞ୍ଜନ ରହିଛି। ହେଲେ ପାଞ୍ଚ ଦିନିଆ କ୍ରିକେଟ୍ (ଟେଷ୍ଟ୍ କ୍ରିକେଟ୍) ହିଁ ଅସଲ କ୍ରିକେଟ୍। ଘରୋଇ କ୍ରିକେଟ୍ ଖେଳିବା ଦ୍ବାରା ଖେଳାଳିଙ୍କ ପ୍ରତିଭା ଆହୁରି ଶାଣିତ ହୋଇଥାଏ। ଆଜିକାଲିର ପିଲାମାନେ କାହିଁକି ଘରୋଇ କ୍ରିକେଟ୍ ଖେଳୁନାହାନ୍ତି, ତାହା ମୁଁ ବୁଝିପାରୁନି।

ସେପଟେ ଆଜାଦଙ୍କ ଭଳି ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ ମଧ୍ୟ ବିସିସିଆଇ ନିଷ୍ପତ୍ତିକୁ ପରୋକ୍ଷ କଟାକ୍ଷ କରିଛନ୍ତି। ନିଜ ମତ ରଖିବାକୁ ଇର୍ଫାନ୍ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଯଦି ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଲାଲ୍ ବଲ୍ ଖେଳିବାକୁ ଚହୁନାହାନ୍ତି, ‌ତେବେ ସେ ଓ ତାଙ୍କ ଭଳି ଚିନ୍ତାଧାରା ରଖୁଥିବା ଖେଳାଳିଙ୍କୁ କ’ଣ ଧଳା ବଲ୍ କ୍ରିକେଟ୍ ଖେଳିବାର ସୁଯୋଗ ଦିଆଯିବା ଉଚିତ? ତାଙ୍କର ଏହି ପ୍ରଶ୍ନ ବିସିସିଆଇ ପରେ ବିସିସିଆଇ ହରଡ଼ଘଣାରେ ପଡ଼ିଛି। କାରଣ ଆହତ ହେବା ପରେ ଗତ ୬ ମାସ ହେବ ପାଣ୍ଡ୍ୟା କୌଣସି ପ୍ରକାର କ୍ରିକେଟ୍ ଖେଳି ନାହାନ୍ତି। ଫିଟ୍ ହେବା ପରେ ନିଜ ଘରୋଇ ଦଳ ବରୋଦା ପକ୍ଷରୁ ରଣଜୀ ଟ୍ରଫି କିମ୍ବା ଅନ୍ୟାନ୍ୟ ଘରୋଇ ପ୍ରତିଯୋଗିତା ଖେଳି ନାହାନ୍ତି। ବରଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ନିଯୁକ୍ତ ହେବା ପରେ ଆଇପିଏଲ୍ ଲାଗି ପ୍ରସ୍ତୁତି ହେଉଛନ୍ତି। ତଥାପି ତାଙ୍କୁ ବିସିସିଆଇ ନିଜ କେନ୍ଦ୍ରୀୟ ଚୁକ୍ତିର ‘ଏ’ ଗ୍ରେଡ୍‌ରେ ସ୍ଥାନ ଦେଇଛି।

ଗମ୍ଭୀରଙ୍କୁ ଟପିବେ ରୋହିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ସଂପ୍ରତି ୩-୧ରେ ଆଗୁଆ କବ୍‌ଜା କରି ନେଇଛି। ପଞ୍ଚମ ତଥା ଶେଷ ଟେଷ୍ଟ୍‌ ମାର୍ଚ୍ଚ ୭ ତାରିଖରେ ଧର୍ମଶାଳାରେ ଖେଳାଯିବ। ତାରକା ‌ଖେଳାଳି ମହମ୍ମଦ ସାମି, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ବିନା ଅଧିନାୟକ ରୋହିତ ଶର୍ମା ଟେଷ୍ଟ୍‌ ପଦାର୍ପଣକାରୀ ସର୍‌ଫରାଜ ଖାନ, ଧ୍ରୁବ ଜୁରେଲ ଓ ଆକାଶ ଦୀପଙ୍କୁ ନେଇ ଶୃଙ୍ଖଳା କବ୍‌ଜା କରିସାରିଲେଣି। ଧର୍ମଶାଳାରେ ରୋହିତ ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀରଙ୍କ ଟେଷ୍ଟ୍‌ ରନ୍‌ ଟପିବାର ସମ୍ଭାବନା ରହିଛି। ରୋହିତ ୫୮ ଟେଷ୍ଟ୍‌ରୁ ୪୦୩୪ ରନ୍‌ କରିଥିଲା ବେଳେ ସମାନ ‌ମ୍ୟାଚ୍‌ ଖେଳି ଗମ୍ଭୀର କରିଥିବା ୪୧୫୪ଠୁ ୧୨୦ ରନ୍‌ ପଛରେ ଅଛନ୍ତି। ଭାରତୀୟ ଅଧିନ‌ାୟକ ୪୪.୮୨ ହାରରେ ଏବଂ ଗମ୍ଭୀର ୪୧.୯୫ ହାରରେ ରନ୍‌ କରିଛନ୍ତି।

ଧର୍ମଶାଳା ଟେଷ୍ଟ୍‌: ରାହୁଲ ବାଦ୍‌; ଫେରିଲେ ବୁମ୍‌ରା
ଭାରତର ମଧ୍ୟଭାଗ ବ୍ୟାଟର୍‌ କେଏଲ୍‌ ରାହୁଲ ମାର୍ଚ୍ଚ ୭ ତାରିଖରୁ ଧର୍ମଶାଳାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରୁ ବାଦ୍‌ ପଡ଼ିଛନ୍ତି। ଅନ୍ୟପକ୍ଷରେ ଦଳର ଉପଅଧିନାୟକ ତଥା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ‌ଧର୍ମଶାଳା ଟେଷ୍ଟ୍‌କୁ ଫେରିଛନ୍ତି। ବିସିସିଆଇ ଗୁରୁବାର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ଯେ ‘ଆମର ଡାକ୍ତରୀ ଦଳ ଲଣ୍ଡନର ବିଶେଷଜ୍ଞଙ୍କ ସହ ସମନ୍ବୟ ରଖିବା ସହ ରାହୁଲଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି। ଚତୁର୍ଥ ଟେଷ୍ଟ୍‌ରୁ ଦଳରୁ ମୁକ୍ତ ‌ହୋଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଧର୍ମଶାଳାରେ ଦଳ ସହ ‌ଯୋଗଦେବେ। ତାମିଲନାଡ଼ୁ ପକ୍ଷରୁ ରଣଜୀ ସେମିଫାଇନାଲ୍‌ ଖେଳିବା ପାଇଁ ୱାସିଂଟନ ସୁନ୍ଦରଙ୍କୁ ଦଳରୁ ମୁକ୍ତ କରାଯାଇଛି। ଏହି ମ୍ୟାଚ୍‌ ସରିବା ପରେ ଯଦି ଆବଶ୍ୟକ ପଡ଼େ ପଞ୍ଚମ ଟେଷ୍ଟ୍‌ ବେଳକୁ ସେ ଦଳରେ ଯୋଗ ଦେଇପାରନ୍ତି। ମହମ୍ମଦ ସାମିଙ୍କ ଗୋଇଠିରେ ସଫଳ ଅସ୍ତ୍ରୋପଚାର ଉପରେ ମଧ୍ୟ ସୂଚନା ଦିଆଯାଇଛି। ସେ ସୁସ୍ଥ ହେଉଛନ୍ତି ଓ ଖୁବ୍‌ ଶୀଘ୍ର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମିର ଶାରୀରିକ ପୁନର୍ବାସ କାର୍ଯ୍ୟକ୍ରମରେ ସେ ସାମିଲ ହେବେ।’

ପଦାର୍ପଣ କରିପାରନ୍ତି ପଡ଼ିକଲ
ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌ରେ ଯୁବ ତାରକା ଦେବଦତ୍ତ ପଡ଼ିକଲ ପଦାର୍ପଣ କରିପାରନ୍ତି। ଆଇପିଏଲ୍ ପୂର୍ବରୁ ଏହି ମ୍ୟାଚ୍ ଭାରତର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଯାଉଥିବାରୁ ଦଳୀୟ ଅଧିକାରୀମାନେ ତାଙ୍କୁ ସୁଯୋଗ ଦେବାକୁ ଏକପ୍ରକାର ନୀତିଗତ ନିଷ୍ପତ୍ତି ନେଇସାରିଛନ୍ତି। ୨୩ ବର୍ଷୀୟ ପଡ଼ିକଲ ଦୁଇଟି ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟେଷ୍ଟ୍ କିମ୍ବା ଅନ୍ତର୍ଜାତୀୟ ଦିନିକଆ ଖେଳିନାହାନ୍ତି।

ପଞ୍ଚମ ଟେଷ୍ଟ୍‌ ଲାଗି ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମ୍‌ରା (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ, ରଜତ ପଟିଦାର, ସର୍‌ଫରାଜ ଖାନ, ଧ୍ରୁବ ଜୁରେଲ (ୱିକେଟ୍‌କିପର), କେଏସ୍‌ ଭରତ (ୱିକେଟ୍‌କିପର), ଦେବଦତ୍ତ ପଡ଼ିକଲ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ।