ଚେନ୍ନାଇନ୍‌କୁ ଚିତ୍‌ କଲା ଆଇଜଲ୍‌

ଭୁବନେଶ୍ୱର: ଶନିବାର ସୁପର କପ୍‌ର ରୋମାଞ୍ଚକର ଶୁଭାରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଖେଳା ଯାଉଥିବା ଏହି ପେସାଦାର ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଆଇଲିଗ୍‌ ଦଳ ଆଇଜଲ୍‌ ଏଫସି ଆଇଏସ୍‌ଏଲ୍‌ ବିଜେତା ଚେନ୍ନାଇନ୍‌ ଏଫ୍‌ସି ବିପକ୍ଷରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ନିର୍ଧାରିତ ସହ ଅତିରିକ୍ତ ସମୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍‌ ଦେଇ ସମାନ ସ୍ତରରେ ରହିବା ପରେ ସୁଟଆଉଟରେ ଆଇଜଲ୍‌ ବାଜି ମାରି ନେଇଥିଲା। ଆଇଜଲ ୭-୫ (୨-୨, ୫-୩) ଗୋଲ୍‌ରେ ଚେନ୍ନାଇନ୍‌ ଏଫସିକୁ ପରାସ୍ତ କରିଥିଲା। ଦୁଇଟି ଗୋଲ୍‌ ସହ ସୁଟଆଉଟରେ ସଫଳତା ଅର୍ଜନ କରିଥିବା ଆନ୍ଦ୍ରେଇ ଇନସ୍କୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମାନ୍ଦା ଆରମ୍ଭ ପରେ ରୋମାଞ୍ଚକର ଶେଷ ଏହି ୧୬ ଦଳିଆ ପ୍ରତିଯୋଗିତାକୁ ଆରମ୍ଭକୁ ସ୍ମରଣୀୟ କରି ଦେଇଥିଲା।

ଆଇଏସଏଲ୍‌ ବିଜେତା ଚେନ୍ନାଇନ୍‌ ଏଫ୍‌ସି ଏବଂ ଆଇଲିଗ୍‌ ଦଳ ଆଇଜଏଲ ଏଫ୍‌ସି ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧରେ ଆଶ୍ଚର୍ଯ୍ୟଜନକ ଭାବେ ଆଇଜଲ୍‌ ଆଧିପତ୍ୟ ବିସ୍ତାର କରିଥିଲା। ଚେନ୍ନାଇନ୍‌ କାଗଜ କଲମରେ ଶକ୍ତିଶଳୀ ଥିଲେ ମଧ୍ୟ ପଡ଼ିଆରେ ଆଇଜଲ୍‌ ଉନ୍ନତ ତାଳମେଳର ଝଲକ ଦେଖାଇ ଥିଲା। ଏହି ଦଳ ମ୍ୟାଚ୍‌ର ୨୩ ମିନିଟ୍‌ରେ ଆଗୁଆ ହୋଇ ଯାଇଥିଲା। ରୋମାନିଆରୁ ଆସିଥିବା ବିଦେଶୀ ଖେଳାଳି ଆନ୍ଦ୍ରେଇ ଇନସ୍କୁ ମ୍ୟାଚ୍‌ର ପ୍ରଥମ ଗୋଲ୍‌ ଦେଇ ଆଇଜଲ୍‌କୁ ଆଗୁଆ କରି ଦେଇଥିଲେ। ୨୨ ନମ୍ବର ଜର୍ସି ପରିହିତ ଏହି ଖେଳାଳିଙ୍କ ଜବରଦସ୍ତ ସଟ୍‌କୁ ଚେନ୍ନାଇନ୍‌ ଗୋଲ୍‌ ରକ୍ଷକ କରଣଜିତ ସିଂହ ଅଟକାଇ ପାରି ନଥିଲେ। ଚେନ୍ନାଇ ପ୍ରଥମାର୍ଧର ବଳକା ୨୨ ମିନିଟ୍‌ରେ କେତେକ ଭଲ ସୁଯୋଗ ପାଇଥିଲା। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ଫଳରେ ପ୍ରଥମାର୍ଧ ଆଇଜଲ୍‌ ସପକ୍ଷରେ ଯାଇଥିଲା। ଏହି ଦଳ ସେହି ଗୋଟିଏ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧର ଅଧିକାଂଶ ସମୟ ମଧ୍ୟ ବଲ୍‌ ଆଇଜଲ୍‌ ନିୟନ୍ତ୍ରଣରେ ରହିଥିଲା। ମ୍ୟାଚ୍‌ ଶେଷ ହେବାକୁ ଆଉ ଗୋଟିଏ ମିନିଟ୍‌ ପୂର୍ବରୁ କିନ୍ତୁ ଚେନ୍ନାଇନ୍‌ ଏହି ଦଳର ରକ୍ଷଣଭାଗକୁ କୌଶଳକ୍ରମେ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲା। ଅଧିନାୟକ ତଥା ବ୍ରାଜିଲୀୟ ତାରକା ମେଲସନ୍‌ ଆଲଭିସ୍‌ ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ସମାନ ସ୍ତରକୁ ନେଇ ଆସିବା ସହ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ଇଞ୍ଜୁରି ଟାଇମର ଅତିରିକ୍ତ ୫ ମିନିଟ୍‌ରେ ଆଉ ଗୋଲ୍‌ ନହେବାରୁ ମ୍ୟାଚ୍‌ ୧-୧ରେ ରହି ଅତିରିକ୍ତ ସମୟକୁ ଯାଇଥିଲା । ଆଇଜଲ୍‌ ଏଥିରେ ମଧ୍ୟ ଆଗୁଆ ଗୋଲ୍‌ ଦେଇଥିଲା। ଇନସ୍କୁ ଦ୍ୱିତୀୟ ବାର ସଫଳ ହେବା ସହ ଅତିରିକ୍ତ ସମୟର ପ୍ରଥମ ମିନିଟରେ ମ୍ୟାଚ୍‌ର ତୃତୀୟ ଗୋଲ୍‌ ଦେଇ ସ୍ଥିତି ୨-୧ କରି ନେଇଥିଲେ। ତେବେ ଅତିରିକ୍ତ ସମୟର ୨୪ତମ ମିନିଟ୍‌ରେ ଧନଚନ୍ଦ୍ର ସିଂହଙ୍କ ଗୋଲ୍‌ ବଳରେ ଚେନ୍ନାଇନ୍‌ ପୁଣି ଥରେ ସ୍ଥିତି ୨-୨ରେ ସମାନ ସ୍ତରକୁ ନେଇ ଆସିଥିଲା। ଅତିରିକ୍ତ ସମୟରେ ମଧ୍ୟ ଫଳାଫଳ ମିଳି ନପାରିବାରୁ ମ୍ୟାଚ୍‌ ପେନାଲ୍ଟି ସୁଟଆଉଟ୍‌କୁ ଯାଇଥିଲା। ପେନାଲ୍ଟିରେ ଆଇଜଲର ଆଦ୍ରେଇ ଇନସ୍କୁ, ଜିକାହି ଲୋରେନ୍ସ, ମାସି ସାଇଘନି, ଲାଳଚନକିମା ଓ ଲାଲ ମୁଆନ କିମା ଗୋଲ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ଚେନ୍ନାଇର ମହମ୍ମଦ ରଫି, ଧନପାଲ ଗଣେଶ ଓଧନଚନ୍ଦ୍ର ସିଂହ ଗୋଲ୍‌ ଦେଇଥିଲା ବେଳେ ବିକ୍ରମ ସିଂହ ବିଫଳ ହୋଇଥିଲେ। ପୂର୍ବରୁ ନିରାଡମ୍ବର ଉଦଘାଟନୀ ଉତ୍ସବରେ ଫାଓ ସଭାପତି ଦେବାଶିଷ ସାମନ୍ତରାୟ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଅତିଥି ଥିଲେ। ପୂର୍ବତନ କ୍ରୀଡ଼ାମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲ।

ସମ୍ବନ୍ଧିତ ଖବର