ଗୋଲ୍ଡ କପ୍‌କୁ ନେଇ ଜବାମଣୀ ଉତ୍ସାହିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଆୟୋଜିତ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତାକୁ ନେଇ ଭାରତୀୟ ଦଳର ଓଡ଼ିଆ ଖେଳାଳି ଜବାମଣୀ ଟୁଡୁ ବେଶ୍ ଉତ୍ସାହିତ ଅଛନ୍ତି। ଓଡ଼ିଶାକୁ ଏଭଳି ଏକ ପ୍ରତିଯୋଗିତା ଆଣିଥିବାରୁ ସର୍ବଭାରତୀୟ ଫୁଟବଲ୍ ମହାସଂଘ, ଓଡ଼ିଶା ଫୁଟବଲ୍ ସଂଘ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସେହିଭଳି ଭାରତ ଏହି ପ୍ରତିଯୋଗିତା ଲାଗି ଭଲ ପ୍ରସ୍ତୁତି କରିଛି ବୋଲି ସେ ବୁଧବାର ସୂଚନା ଦେଇଛନ୍ତି। ଗତ ଦୁଇ ବର୍ଷ ହେବ ଭାରତୀୟ ଦଳର ପ୍ରତିନିଧିତ୍ବ କରି ଆସୁଥିବା ଜବାମଣୀ କହିଛନ୍ତି ଯେ ଗୋଲ୍ଡ କପ୍‌କୁ ନେଇ ବ୍ୟକ୍ତିଗତ ଭାବେ ମୁଁ ବେଶ୍ ଉତ୍ସାହିତ ଅଛି। ମୁଁ ଓଡ଼ିଶା ସରକାର ଓ ଫୁଟବଲ୍ ସଂଘକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହି ପ୍ରତିଯୋଗିତା ଲାଗି ପ୍ରସ୍ତୁତି ପାଇଁ ଆମେ ହଂକଂ ଓ ଇଣ୍ଡୋନେସିଆ ଯାଇଥିଲୁ। ସେଠାରେ ମଧ୍ୟ ଜିତିକି ଆସିଛୁ। ପ୍ରଶିକ୍ଷଣ ଶିବିରରେ ଆମେ ବହୁତ ଭଲ ରଣନୀତି କରିଛୁ। ଏହି ପ୍ରତିଯୋଗିତାକୁ ମଧ୍ୟ ଆମେ ଏଏଫ୍‌ସି ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା-ଦ୍ବିତୀୟ ପର୍ଯ୍ୟାୟ ଲାଗି ପ୍ରସ୍ତୁତି ପର୍ବ ଭାବେ ନେଉଛୁ। ସୂଚନାଯୋଗ୍ୟ ଯେ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତା ଚଳିତ ମାସ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ସହ ମ୍ୟାମାର, ଇରାନ ଓ ନେପାଳ ଅଂଶ ଗ୍ରହଣ କରିବେ। ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ ୯ ତାରିଖ ସଂଧ୍ୟା ୭ଟାରେ ଇରାନ ବିପକ୍ଷରେ ଖେଳିବ। ମ୍ୟାମାର (୪୪) ପ୍ରତିଯୋଗିତାର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ଥିଲା ବେଳେ ତା’ ପଛକୁ ଇରାନ (୬୦) ରହିଛି। ଭାରତ ବିଶ୍ବ ମାନ୍ୟତାର ୬୨ ଏବଂ ନେପାଳ ୧୦୮ତମ ସ୍ଥାନରେ ଅଛି। ମୟୂରଭଞ୍ଜ ଝିଅ ଜବାମଣୀ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରୁ ବାହାରି ଭାରତୀୟ କନିଷ୍ଠ ଦଳରେ ଭଲ ପ୍ରଦର୍ଶନ କରିବା ପରେ ବରିଷ୍ଠ ଦଳରେ ସ୍ଥାନ ପାଇଥିଲେ। ୨୦୧୭ ପ୍ରଥମ ଭାରତୀୟ ମହିଳା ଫୁଟ୍‌ବଲ୍ ଲିଗ୍‌ରେ ସେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର