କ୍ରମାଗତ ପଞ୍ଚମ ଥର ସାଫ୍‌ କପ୍‌ ଜିତିଲା ଭାରତ, ଜବାମଣୀଙ୍କୁ ଫାଓ ପୁରସ୍କାର

ବିରାଟ ନଗର (ନେପାଳ): ଶନିବାର ସାରା ଦେଶ ହୋଲିର ରଙ୍ଗରେ ରଙ୍ଗାୟିତ ହେଉଥିଲା ବେଳେ ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ବିଜେତା ହୋଇ ଆଉ ଏକ ଖୁସିର ମାହୋଲ ସୃଷ୍ଟି କରିଥିଲା। ଶନିବାର ସାହିଦ ରଙ୍ଗଶାଳା ଷ୍ଟାଡିୟମରେ ଖେଳାଯାଇଥିବା ସାଫ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଆସିଥିବା ଭାରତ ୩-୧ ଗୋଲ୍‌ରେ ଆୟୋଜକ ନେପାଳକୁ ପରାସ୍ତ କରି କ୍ରମାଗତ ପଞ୍ଚମଥର ଲାଗି ଟ୍ରଫି ହାତେଇ ନେଇଥିଲା। ଭାରତ ପକ୍ଷରୁ ଦାଲିମା ଛିବେର୍‌ (୨୬ ମିନିଟ୍‌), ଗ୍ରେସ୍‌ ଡାଙ୍ଗ୍‌ମେଇ (୬୩ ମିନିଟ୍‌) ଏବଂ ବଦଳ ଖେଳାଳି ଅଞ୍ଜୁ ଟମାଙ୍ଗ (୭୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଆୟୋଜକ ନେପାଳ ପାଇଁ ଏକମାତ୍ର ଗୋଲ୍‌ ସବିତ୍ରା (୩୪ ମିନିଟ୍‌) କରି ବ୍ୟବଧାନ କମାଇଥିଲେ। କେବଳ ସେତିକି ନୁହେଁ ଫାଇନାଲ୍‌ ବିଜୟ ସହ ସାଫ୍‌ ଚାମ୍ପିଅନ୍‌ସିପ୍‌ ଇତିହାସରେ ଭାରତ ତା’ର ଅପରାଜେୟ ଧାରାକୁ ୨୩ ମ୍ୟାଚ୍‌ ପର୍ଯ୍ୟନ୍ତ ଲମ୍ବାଇଥିଲା।

ଜବାମଣୀଙ୍କୁ ଫାଓ ପୁରସ୍କାର
କଟକ, କ୍ରମାଗତ ପଞ୍ଚମ ଥର ପାଇଁ ସାଫ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ସଦସ୍ୟା ଥିବା ଓଡ଼ିଆ ଝିଅ ଜବାମଣୀ ଟୁଡୁଙ୍କୁ ଫାଓ (ଫୁଟ୍‌ବଲ୍‌ ଆସୋସିଏସନ୍‌ ଅଫ୍ ଓଡ଼ିଶା) ପକ୍ଷରୁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଫାଓ ସଂପାଦକ ସଞ୍ଜୟ ବେହେରା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଜବାମଣୀଙ୍କୁ ଜାତୀୟ ଦଳରେ ତାଙ୍କ ଅବଦାନ ପାଇଁ ଅଭିନନ୍ଦନ ଜଣାଇବା ସାଙ୍ଗକୁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଶ୍ରୀ ବେହେରା ମଧ୍ୟ ବିଜେତା ଭାରତୀୟ ଦଳକୁ ବଧାଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର