ଜୀବନ ସଂଗ୍ରାମରେ ଜ୍ୟାକବ୍‌ ମାର୍ଟିନ

ହାତ ବଢ଼ାଇଲେ ଗାଙ୍ଗୁଲିଙ୍କ ସହ ପୂର୍ବତନ ଖେଳାଳି

ଭଦୋଦରା,: ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ବରୋଦାର ରଣଜୀ ବିଜେତା ପୂର୍ବତନ ଅଧିନାୟକ ଜ୍ୟାକବ୍ ମାର୍ଟିନ୍‌। ଏକ ଭଦୋଦରା ହସ୍‌ପିଟାଲ୍‌ରେ ଭେଣ୍ଟିଲେଟର୍‌ରେ ଅଛନ୍ତି। ଏପଟେ ତାଙ୍କ ପରିବାର କ୍ରିକେଟ୍‌ ସମ୍ପ୍ରଦାୟଠାରୁ ଆର୍ଥିକ ସହାୟତା ଲାଗି ଆକୁଳ ନିବେଦନ କରିଛନ୍ତି। ଡିସେମ୍ବର ୨୮ ତାରିଖରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ‌ ହୋଇଥିବା ମାର୍ଟିନଙ୍କ ଫୁସଫୁସ ଏବଂ ବୃକକ୍‌ ଗୁରୁତ୍ତର ଭାବେ ପ୍ରଭାବିତ ହୋଇଛି। ବିସିସିଆଇ ୫ ଲକ୍ଷ, ବରୋଦା କ୍ରିକେଟ୍‌ ସଂଘ ୩ ଲକ୍ଷ ଟଙ୍କା ପ୍ରଦାନ କରି ସାରିଛି। ପୂର୍ବତନ ବିସିସିଆଇ ଓ ବିସିଏ ସମ୍ପାଦକ ସଂଜୟ ପଟେଲ୍ ମଧ୍ୟ ଅଧିକ ପାଣ୍ଠି ଯୋଗାଡ଼ ଲାଗି ଉଦ୍ୟମ କରୁଛନ୍ତି। ହସପିଟାଲ୍ ବିଲ୍ ୧୧ ଲକ୍ଷ ଟପିଯିବାରୁ ସେମାନେ ‌ଔଷଧ ‌ଯୋଗାଇବା ବନ୍ଦ କରି ଦେଇଥିଲେ। ବିସିସିଆଇ ରାଶି ସିଧାସଳଖ ଆସିବା ପରେ ଡାକ୍ତରୀ ସେବା ସ୍ବାଭାବିକ ହୋଇଛି। ୧୯୯୯ରୁ ୨୦୦୧ ମସିହା ମଧ୍ୟରେ ମାର୍ଟିନ ଭାରତ ପାଇଁ ୧୦ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିଲେ। ଘରୋଇ କ୍ରିକେଟ୍‌ରେ ବରୋଦା ଏବଂ ରେଳବାଇ ପାଇଁ ଖେଳୁଥିବା ମାର୍ଟିନ ଶେଷ ଥର ପାଇଁ ୨୦୦୯ ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ତାଙ୍କ ନେତୃତ୍ବରେ ବରୋଦା ୨୦୦୦-୦୧ରେ ରେଳବାଇକୁ ହରାଇ ପ୍ରଥମ ଥର ରଣଜୀ ଟ୍ରଫି ଜିତିଥିଲା। ୨୦୧୧ ମସିହାରେ ଶାରୀରିକ ଶୋଷଣ ଅଭିଯୋଗରେ ମାର୍ଟିନ ମଧ୍ୟ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ଏଥିରୁ ମୁକୁଳିବା ପରଠାରୁ ସେ ବରୋଦାର ବୟସ ବର୍ଗ ଖେଳାଳିଙ୍କୁ ପ୍ରଶିକ୍ଷଣ ‌ଦେଇ ଆସୁଥିଲେ।

କୋଲ୍‌କାତା,: ପରିବାରର ଆକୁଳ ନିବେଦନ ପରେ ଜ୍ୟାକବ୍ ମାର୍ଟିନଙ୍କ ନିକଟରୁ ପୂର୍ବତନ ଖେଳାଳିଙ୍କ ସମର୍ଥନ ଓ ସହାୟତା ଆରମ୍ଭ ହୋଇଛି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହିତ ଜାହିର୍ ଖାନ୍‌, ୟୁସୁଫ୍ ପଠାନ, ଇରଫାନ୍ ପଠାନ୍‌, ମୁନାଫ ପଟେଲ୍‌, ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରମୁଖ ସହାୟତାର ହାତ ବଢ଼ାଇଛନ୍ତି। ‘ତୁମେ ଏକା ନା‌ହଁ’‌ ବୋଲି ଲେଖି ଗାଙ୍ଗୁଲି ନିଜ ସମର୍ଥନ ଜଣାଇଛନ୍ତି। ମାର୍ଟିନ ଓ ମୁଁ ଦଳୀୟ ସାଥୀ ଥିଲୁ। ସେ ‌ଜଣେ ଅନ୍ତଃର୍ମୁଖୀ (ନିରୋଳା) ବ୍ୟକ୍ତିତ୍ବର ଖେଳାଳି। ତୁରନ୍ତ ତାଙ୍କ ଆଶୁ‌ ଆରୋଗ୍ୟ କାମନା କରୁଛି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୯ ମସିହାରେ ଗାଙ୍ଗୁଲିଙ୍କ ଅଧିନରେ ହିଁ ଜ୍ୟାକବ୍ ଦିନିକିଆ ପଦାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର