ଜାଦେଜା, ବୁମ୍‌ରାଙ୍କ ଦିନ: ଭାରତ ୪୧୬, ଇଂଲଣ୍ଡ୍‌ ୮୪/୫

ବ୍ରଡ୍‌ଙ୍କୁ ଛେଚିଲେ ବୁମ୍‌ରା: ବିଶ୍ବ କୀର୍ତ୍ତିମାନ, ଗୋଟିଏ ଓଭରରୁ ୩୫ ରନ୍‌

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ ଭଲ ସ୍ଥିତିରେ ରହିଛି। ବର୍ଷା ବାଧାପ୍ରାପ୍ତ ଏହି ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ରବୀନ୍ଦ୍ର ଜାଦେଜାଙ୍କ ଶତକ (୧୦୪), ବ୍ୟାଟିଂ ବେଳେ ଯଶପ୍ରୀତ୍ ବୁମରାଙ୍କ ବିଶ୍ବ କୀର୍ତ୍ତିମାନ ଓଭର (୩୫ ରନ୍‌ ସଂଗ୍ରହ) ପରେ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଇଂଲଣ୍ଡ ୮୪ ରନ୍‌ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ବୁମରା ପ୍ରଥମ ୩ ୱିକେଟ୍‌ ନେଇଥିବାବେଳେ ରୁଟଙ୍କ ପ୍ରାଇଜ୍ ୱିକେଟ୍ ସିରାଜ ଦଖଲ କରିଛନ୍ତି। ଜ୍ୟାକ୍‌ ଲିଚ୍‌ଙ୍କୁ ସାମି ଆଉଟ୍ କରି ଦେଇଛନ୍ତି।

ଶନିବାର ଦ୍ବିତୀୟ ଦିନ ଆରମ୍ଭରୁ ଭାରତ ପାଇଁ ରବୀନ୍ଦ୍ର ଜାଦେଜା ପୂର୍ବଦିନର ସଂଜମତାରୁ ଫାଇଦା ଉଠାଇ ଶତକ ପୂରଣ କରି ନେଇଥିଲେ। ଟେଷ୍ଟ୍‌ କ୍ରିକେଟ୍‌ରେ ଏହା ଜାଦେଜାଙ୍କ ତୃତୀୟ ଶତକ ହୋଇଥିବା ବେଳେ ଚଳିତ ବର୍ଷର ଦ୍ବିତୀୟ ଏବଂ ବିଦେଶ ମାଟିରେ ପ୍ରଥମ। ଶନିବାର ଭାରତ ମାତ୍ର ୧୧.୫ ଓଭର ଖେଳିଥିଲେ ମଧ୍ୟ ୭୮ ରନ୍‌ ଯୋଡ଼ି ନେଇଥିଲା। ଜାଦେଜା ଓ ବୁମରାଙ୍କ ପାଳି କାରଣରୁ ଭାରତ ମଧ୍ୟ ୪୧୬ ରନ୍‌ କରି ନେଇଥିଲା। ବୁମରାଙ୍କ ବିସ୍ଫୋରକ ପାଳି ପୂର୍ବରୁ ମହମ୍ମଦ ସାମିଙ୍କୁ ସାଥି କରି ଜାଦେଜା (୧୦୪ ରନ୍‌, ୧୯୪ ବଲ୍‌, ୧୩ ଚୌକା) ମଧ୍ୟ ୩୩ ରନ୍‌ ସଂଯୋଗ କରିଥିଲେ। ଭାରତ ପ୍ରଥମ ପାଳିରେ କିନ୍ତୁ ତୃତୀୟ ସର୍ବାଧିକ ୪୦ ରନ୍‌ ଅତିରିକ୍ତରୁ ପାଇଥିଲା।
ଜେମ୍ସ ଆଣ୍ଡର୍‌ସନ୍‌ ନିଜ ଟେଷ୍ଟ୍ ଜୀବନର ୩୨ତମ ୫ ୱିକେଟ୍ ସଫଳତା ପୂର୍ଣ୍ଣ କରିଥିଲେ। ଭାରତ ବିପକ୍ଷରେ ଷଷ୍ଠ ୫ ୱିକେଟ୍‌ ସଫଳତା ଥିଲା। ଏକ୍ଷେତ୍ରରେ ସେ ଇଆନ ବୋଥାମ, ଇମ୍ରାନ୍‌ ଖାନ୍‌ ଏବଂ ମାଲକମ୍ ମାର୍ସାଲଙ୍କ ସମକକ୍ଷ ହୋଇଛନ୍ତି। କେବଳ ମୁରଲୀଧରନ୍‌ ଏବଂ ଲାୟନ୍‌ ହିଁ ସର୍ବାଧିକ ୭ ଥର ଲେଖାଏଁ ୫ ୱିକେଟ୍‌ ସଫଳତା ପାଇ ଆଗରେ ରହିଛନ୍ତି। ୧୯୫୧ରେ ଦକ୍ଷିଣ ଆଫ୍ରିକାର ଜିଓଫ୍‌ ଚୁବ୍‌ (ଇଂଲଣ୍ଡ ବିପକ୍ଷ)ଙ୍କ ପରେ ଟେଷ୍ଟ୍‌ରେ ୫ ୱିକେଟ୍‌ ଦଖଲ କରିବାରେ ଆଣ୍ଡରସନ୍‌ (୩୯ ବର୍ଷ ୩୩୭ ଦିନ) ବୟୋଜ୍ୟେଷ୍ଠ ଦ୍ରୁତ ବୋଲର ହୋଇଛନ୍ତି।

ବ୍ରଡ୍‌ଙ୍କୁ ଛେଚିଲେ ବୁମ୍‌ରା: ବିଶ୍ବ କୀର୍ତ୍ତିମାନ, ଗୋଟିଏ ଓଭରରୁ ୩୫ ରନ୍‌

ବର୍ମିଂହାମ: ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ପାଇଥିବା ଯଶପ୍ରୀତ୍ ବୁମରା ଶନିବାର ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଗୋଟିଏ ଓଭରରୁ ୩୫ ରନ୍‌ ଆଦାୟ କରି ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ଏହା ଗୋଟିଏ ଓଭରରୁ ସର୍ବାଧିକ ରନ୍‌ ଆଦାୟ। ଏହି ଅବସରରେ ବୁମ୍‌ରା କିଂବଦନ୍ତି ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ବ୍ରାଏନ୍ ଲାରାଙ୍କ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ୨୦୦୩ ମସିହାରେ ଜୋହାନ୍ସବର୍ଗରେ ଲାରା ଦକ୍ଷିଣ ଆଫ୍ରିକାର ରବିନ୍ ପିଟରସନ୍‌ଙ୍କ ଗୋଟିଏ ଓଭରରୁ ୨୮ ରନ୍ ଆଦାୟ କରି ଦୀର୍ଘ ୧୯ ବର୍ଷ ଧରି କୀର୍ତ୍ତିମାନକୁ ନିଜ ନାମରେ ରଖିଥିଲେ। ୨୦୧୩ରେ ପର୍ଥରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ଙ୍କଠାରୁ ଅଷ୍ଟ୍ରେଲିଆର ଜର୍ଜ ବେଲି ଏବଂ ୨୦୨୦ରେ ପୋର୍ଟ ଏଲିଜାବେଥରେ ଜୋ ରୁଟଙ୍କ ବିପକ୍ଷରେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ମଧ୍ୟ ସମାନ ୨୮ ରନ୍‌ ଆଦାୟ କରି ମିଳିତ କୀର୍ତ୍ତିମାନରେ ରହିଥିଲେ। ବୁମ୍‌ରା ଶନିବାର ଇଂଲଣ୍ଡର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଏଭଳି ଲଜ୍ଜିତ କରିଥିଲେ। ଗୋଟିଏ ଲେଖାଏଁ ନୋ ଓ ୱାଇଡ୍ ବଲ୍ ପକାଇଥିବା ବ୍ରଡଙ୍କ ଏହି ଓଭରରେ ୫ଟି ଚୌକା, ଦୁଇଟି ଛକା ଓ ଗୋଟିଏ ସିଙ୍ଗଲ୍ ରନ୍‌ ସାମିଲ ଥିଲା। ଦ୍ବିତୀୟ ବଲ୍‌ଟି ୱାଇଡ୍ ଥିବାବେଳେ ଏହା ଚୌକା ହୋଇଥିଲା। ସେହିପରି ତୃତୀୟ ବଲ୍‌ ନୋ ଥିଲା ବେଳେ ଏହା ଛକା ହୋଇଥିଲା। ବୁମରା ୧୬ ବଲ୍‌ରୁ ୩୧ ରନ୍‌ କରିଥିଲେ। ତାଙ୍କ ବ୍ୟାଟ୍‌ରୁ ୪ ଚୌକା, ୨ ଛକା ମିଳିଥିଲା।

୧୦୦ ଭିତରେ ୫ ୱିକେଟ୍‌ ପରେ ୪୦୦+

ଭାରତ ବର୍ମିଙ୍ଗ୍‌ହାମ ଟେଷ୍ଟ୍‌ରେ ୧୦୦ ରନ୍‌ ଭିତରେ ୫ ୱିକେଟ୍ ହରାଇ ଦେବା ପରେ ୪୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରି ୯ ବର୍ଷ ପୂର୍ବ ସଫଳତାକୁ ଦୋହରାଇଛି। ଶୁକ୍ରବାର ପ୍ରଥମ ଦିନରେ ଭାରତ ୯୮/୫ରେ ସଂଘର୍ଷ କରିଥିବା ବେଳେ ଋଷଭ ପନ୍ତ୍ (୧୪୬) ଏବଂ ରବୀନ୍ଦ୍ର ଜାଦେଜା (୧୦୪)ଙ୍କ ଶତକ ବଳରେ ୪୧୬ ରନ୍‌ କରିନେଇଛି। ଶେଷ ଥର ପାଇଁ ୨୦୧୩ରେ କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୮୩/୫ରେ ସଂଘର୍ଷ କରିଥିଲେ ମଧ୍ୟ ୪୫୩ ରନ୍‌ ସଂଗ୍ରହ କରିଥିଲା। ଏହାର ୩୦ ବ‌ର୍ଷ ପୂର୍ବରୁ ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୯୨/୫ରେ ସଂଘର୍ଷ କରି ଶେଷକୁ ୪୫୧ ରନ୍‌ କରି ନେଇଥିଲା।

ସମ୍ବନ୍ଧିତ ଖବର