ସିଏସ୍‌କେ ନେତୃତ୍ବ ଛାଡ଼ିଲେ ଧୋନି, ଜାଦେଜା ନୂଆ ଅଧିନାୟକ

ପୂର୍ବତନ ବିସିସିଆଇ ଚୟନକର୍ତ୍ତା ବିସ୍ମିତ, ମାଇଲଖୁଣ୍ଟଠାରୁ ୨ କ୍ୟାଚ୍ ଦୂରରେ ଧୋନି

ଚେନ୍ନାଇ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଆଇପିଏଲ୍ ଦଳର ଅଧିନାୟକ ପଦରୁ ଗୁରୁବାର ମହେନ୍ଦ୍ର ସିଂହ ଧୋନି ଇସ୍ତଫା ଦେଇଛନ୍ତି। ଆଇପିଏଲ୍ ଆରମ୍ଭ ପରଠାରୁ ସିଏସ୍‌କେ ଅଧିନାୟକ ପଦ ମଣ୍ଡନ କରିଆସିଥିବା ଧୋନି ପଦ ଛାଡ଼ିବା ସହ ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି। ସିଏସ୍‌କେର ଅଧିନାୟକ ପଦ ସେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ହସ୍ତାନ୍ତର କରିଛନ୍ତି। ୨୦୧୨ ମସିହାଠାରୁ ସିଏସ୍‌କେ ଦଳର ଅଭିନ୍ନ ଅଙ୍ଗ ହୋଇ ରହିଆସିଥିବା ଜାଦେଜା ଏବେ ସିଏସ୍‌କେର ସଫଳତା ଧାରାକୁ ଆଗେଇ ନେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଧୋନି ଅଧିନାୟକ ପଦ ଛାଡ଼ିବା‌ କିନ୍ତୁ କ୍ରିକେଟ୍ ପଣ୍ଡିତଙ୍କ ସହ ତାଙ୍କ ସମର୍ଥକଙ୍କୁ ବିସ୍ମିତ କରିଛି। ଏହା ପୂର୍ବରୁ ଭାରତୀୟ ଟେଷ୍ଟ୍, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେଇ ଅନେକ ଐତିହାସିକ ସଫଳତା ଲାଭ କରିଥିବା ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି। ସିଏସ୍‌କେ ଅଧିନାୟକ ପଦ ଛାଡ଼ିବା‌ ପରେ ତାଙ୍କ ଆଇପିଏଲ୍ ଜୀବନ ମଧ୍ୟ ଆଉ ଗୋଟିଏ କିମ୍ବା ଦୁଇଟି ଋତୁ ପରେ ଶେଷ ହୋଇଯିବାର ଆଭାସ ମିଳିଛି।

୨୦୦୮ ମସିହାରେ ହୋଇଥିବା ଆଇପିଏଲ୍‌ର ପ୍ରଥମ ନିଲାମରେ ସବୁଠାରୁ ଦାମୀ ଖେଳାଳି ହେବାର ଗୌରବ ଲାଭ କରିଥିବା ଧୋନି ୨୦୪ ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେଇ ୧୨୧ ବିଜୟ ହାସଲ କରିଛନ୍ତି। ତାଙ୍କ ଅଧୀନରେ ସିଏସ୍‌କେ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଆଇପିଏଲ୍ ବିଜେତା ହୋଇଥିଲା। ସେହିଭଳି ୨୦୦୮, ୨୦୧୨, ୨୦୧୩, ୨୦୧୫ ଏବଂ ୨୦୧୯ ଏହିଭଳି ପାଞ୍ଚ ଥର ଉପବିଜେତା ଟ୍ରଫି ହାସଲ କରିଥିଲା। ଅନ୍ୟପକ୍ଷରେ ସିଏସ୍‌କେର ଅଧିନାୟକ ହେବାରେ ଜାଦେଜା ତୃତୀୟ ଖେଳାଳି ହେବେ। ତାଙ୍କ ପୂର୍ବରୁ ଧୋନି ଏବଂ ୨୦୧୨ ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଚାମ୍ପିଅନ୍ସ ଲିଗ୍‌ର ‌ୟର୍କସାୟାର ବିପକ୍ଷ ମ୍ୟାଚ୍‌ରେ ସୁରେଶ ରାଇନା ଥରେ ସିଏସ୍‌କେର ଅଧିନାୟକ ପଦ ତୁଲାଇଥିଲେ।

ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ପଦ ହସ୍ତାନ୍ତର କରିବାକୁ ମହେନ୍ଦ୍ର ସିଂହ ଧୋନି ନିଷ୍ପତ୍ତି ନେଇଛନ୍ତି। ଦଳର ପରବର୍ତ୍ତୀ ଅଧିନାୟକ ଭାବେ ରବୀନ୍ଦ୍ର ଜାଦେଜାଙ୍କୁ ବାଛିଛନ୍ତି ସେ। ୨୦୧୨ ମସିହାରୁ ଆମ ସହ ଥିବା ଜାଦେଜା ସିଏସ୍‌କେର ନେତୃତ୍ବ ନେବାରେ ତୃତୀୟ ଖେଳାଳି ହେବେ। ତେବେ ଚଳିତ ଋତୁ ଏବଂ ଆଗାମୀ ଅନେକ ସଂସ୍କରଣରେ ଧୋନି ସିଏସ୍‌କେର ପ୍ରତିନିଧିତ୍ବ କରିବା ଜାରି ରଖିବେ। ଧୋନିଙ୍କ ସଫଳତା ଧାରାକୁ ଜାଦେଜା ଅତୁଟ ରଖିବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ବାସ ରହିଛି।

ପୂର୍ବତନ ବିସିସିଆଇ ଚୟନକର୍ତ୍ତା ବିସ୍ମିତ
ଧୋନି ଅଚାନକ ସିଏସ୍‌କେର ଅଧିନାୟକ ପଦ ଛାଡ଼ିବା ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ବିସ୍ମୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ସତ କହିବାକୁ ଗଲେ ଏ ଖବର ଶୁଣି ମୁଁ ଚକିତ। ଆଇପିଏଲ୍ ଆରମ୍ଭ ହେବାପରଠାରୁ ଧୋନିଙ୍କୁ ସବୁବେଳେ ହଳଦିଆ ରଙ୍ଗର ଜର୍ସିରେ ସିଏସ୍‌କେର ନେତୃତ୍ବ ‌ନେଉଥିବା ଆମେ ଦେଖିଆସିଛେ। ଗତ ଋତୁରେ ହିଁ ସିଏସ୍‌କେ ତାଙ୍କ ଅଧିନାୟକତ୍ବରେ ଆଇପିଏଲ୍ ବିଜେତା ହୋଇଥିଲା। ଅବଶ୍ୟ ‌‌ସିଏସ୍‌କେର ଅଧିନାୟକ ପଦ ଧୋନି ଛାଡ଼ିବେ ବୋଲି ଆଶା କରାଯାଉଥିଲା। ହେଲେ ଏତେ ଶୀଘ୍ର ଘୋଷଣା କରିବେ ବୋଲି ଆଶା ନଥିଲା।

ମାଇଲଖୁଣ୍ଟଠାରୁ ୨ କ୍ୟାଚ୍ ଦୂରରେ ଧୋନି
ଟ୍ବେଣ୍ଟି-୨୦ରେ ଧୋନି ୧୯୮ କ୍ୟାଚ୍ ନେଇସାରିଛନ୍ତି। ଏଣୁ ଆଉ ଦୁଇଟି କ୍ୟାଚ୍ ନେଲେ ଟ୍ବେଣ୍ଟି-୨୦ରେ ୨୦୦ କ୍ୟାଚ୍ ନେବାରେ କିରଣ ପୋଲାର୍ଡ, ଡ୍ବେନ୍ ବ୍ରାଭୋ ଓ ଡେଭିଡ୍ ମିଲରଙ୍କ କ୍ଲବ୍‌ରେ ଯୋଗଦେବେ। ୱିକେଟ୍ ରକ୍ଷକ ଭାବେ ଧୋନି ଏପର୍ଯ୍ୟନ୍ତ ୧୯୩ କ୍ୟାଚ୍ କରାୟତ୍ତ କରିଛନ୍ତି। ଏଣୁ ଆସନ୍ତା ଆଇପିଏଲ୍ ଋତୁରେ ଧୋନିଙ୍କ ପାଖରେ ପ୍ରଥମ ୱିକେଟ୍ ରକ୍ଷକ ଭାବେ ୨୦୦ କ୍ୟାଚ୍ ନେବାର ସୁଯୋଗ ରହିବ। ୱିକେଟ୍ ରକ୍ଷକ ଭାବେ ସେ ନେଇଥିବା ୧୯୩ କ୍ୟାଚ୍ ମଧ୍ୟରୁ ୫୭ କ୍ୟାଚ୍ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୱିକେଟ୍ ରକ୍ଷକ ଭାବେ ନେଇଛନ୍ତି ଧୋନି।

ସମ୍ବନ୍ଧିତ ଖବର