ଧୋନି ଓ କୋହଲିଙ୍କ କ୍ଲବ୍‌ରେ ଜାଦେଜା: ତିନିଟିଯାକ ଫର୍ମାଟ୍‌ରେ ୫୦ ମ୍ୟାଚ୍‌ ଖେଳିବାରେ ତୃତୀୟ ଭାରତୀୟ

ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍‌ ବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଏବର ଅଧିନାୟକ ବିରାଟ କୋହଲିଙ୍କ ଏଲିଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଟି-୨୦)ରେ ୫୦ ଲେଖାଏଁ ମ୍ୟାଚ୍‌ ଖେଳିବାରେ ସେ ଧୋନି ଓ କୋହଲିଙ୍କ ପଛକୁ ତୃତୀୟ ଭାରତୀୟ ହୋଇଛନ୍ତି। ଜାଦେଜା ୫୦ ଟେଷ୍ଟ୍‌ ଖେଳିଥିଲା ବେଳେ ୧୬୮ ଦିନିକିଆ ଏବଂ ୫୦ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ‘‘ମାହି ଭାଈ (୯୦ ଟେଷ୍ଟ୍‌, ୩୫୦ ଦିନିକିଆ ଓ ୯୮ ଟି-୨୦ ଆନ୍ତର୍ଜାତିକ) ଓ ବିରାଟ (୮୭ ଟେଷ୍ଟ୍‌, ୨୫୧ ଦିନିକିଆ ଓ ୮୫ ଟି-୨୦ ଆନ୍ତର୍ଜାତିକ)ଙ୍କ କ୍ଲବ୍‌ରେ ସାମିଲ ହେବା ମୋ ପାଇଁ ବଡ଼ ସମ୍ମାନ ବୋଲି କହିଛନ୍ତି ଜାଦେଜା। ଏଥିପାଇଁ ସେ ଭାରତୀୟ କ୍ରିକେଟ୍‌ ବୋର୍ଡ ଏବଂ ସପୋର୍ଟ ଷ୍ଟାଫ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉତ୍‌ଥାନ ଓ ପତନ ମଧ୍ୟରେ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ। ଜୟ ହିନ୍ଦ୍‌।’’ ବୋଲି ଜାଦେଜା ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର