ବିହାରୀଙ୍କ ସ୍ଥାନ ନେଇପାରନ୍ତି ଜାଦେଜା

ଅଭ୍ୟାସ ଅଧିବେଶନ ବାତିଲ, ସିଡ୍‌ନିରେ ରୋହିତ ସଙ୍ଗରୋଧ

ମେଲବର୍ନ: ଆଡିଲେଡ୍‌ର ଅବିଶ୍ବସନୀୟ ତଥା ଲଜ୍ଜାଜନକ ବ୍ୟାଟିଂ ବିପର୍ଯ୍ୟୟରେ ଦୋହଲି ଯାଇଥିବା ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୨୬ ତାରିଖରୁ ମେଲବର୍ନରେ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍‌ ଲାଗି ତା’ ଚୂଡ଼ାନ୍ତ ଏକାଦଶରେ ବ୍ୟାପକ ଅଦଳ ବଦଳ କରିପାରେ। ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅନୁପସ୍ଥିତି ପାଇଁ ଦୁଇଟି ପରିବର୍ତ୍ତନ କରିବାକୁ ଭାରତ ବାଧ୍ୟହେବ। ତେବେ ଟିମ୍ ଏହାଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍ ଅନ୍ୟୁନ ପାଞ୍ଚଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଫର୍ମରେ ନଥିବା ପୃଥ୍ବୀ ସ’ଙ୍କ ସ୍ଥାନରେ ‌କେଏଲ୍ ରାହୁଲ, କୋହଲିଙ୍କ ସ୍ଥାନରେ ଶୁବମନ ଗିଲ୍, ଋଦ୍ଧିମାନଙ୍କ ସାହାଙ୍କ ବଦଳରେ ଋଷବ ପନ୍ତ, ମହମ୍ମଦ ସାମିଙ୍କ ସ୍ଥାନରେ ନଭଦୀପ ସୈନି କିମ୍ବା ମହମ୍ମଦ ସିରାଜ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି। ଅନ୍ୟପକ୍ଷରେ ହନୁମା ବିହାରୀଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ସୁଯୋଗ ମିଳିପାରେ। ତେବେ ଗତ ୫ ଟେଷ୍ଟ୍‌ରେ ମାତ୍ର ୭.୧ ହାରରେ ରନ୍ କରିଥିବା ରାହୁଲଙ୍କୁ ଦଳରେ ନେବା ନେଇ ଅବଶ୍ୟ କିଛିଟା ଦ୍ବନ୍ଦ୍ବ ଓ ସଂଶୟ ରହିଛି।

ଅଭ୍ୟାସ ଅଧିବେଶନ ବାତିଲ
ଲଗାଣ ବର୍ଷା ପାଇଁ ସୋମବାର ଆଡିଲେଡ୍‌ରେ ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତାବିତ ଅଭ୍ୟାସ ଅଧିବେଶନକୁ ବାତିଲ କରି ଦିଆଯାଇଥିଲା। ଫଳରେ ଖେଳାଳିମାନେ ହୋଟେଲ ଭିତରେ ହିଁ ଅବଦ୍ଧ ରହିବାକୁ ବାଧ୍ୟ ହୋଇଥିଲେ। ମଙ୍ଗଳବାର ଅଧିନାୟକ ବିରାଟ କୋହଲି ପିତୃତ୍ବ ଅବକାଶ ନେଇ ସ୍ବଦେଶ ଫେରିବାର ଅଛି। ସେହିଭଳି ବକ୍ସିଂ ଡେ’ ଟେଷ୍ଟ୍ ଲାଗି ଦଳ ଆସନ୍ତାକାଲି ମଧ୍ୟ ମେଲବର୍ନ ଅଭିମୁଖେ ଯାତ୍ରା କରିବ। ତେବେ ଅଷ୍ଟ୍ରେଲିଆ ଛାଡ଼ିବା ପୂର୍ବରୁ କୋହଲି ଢେର ସମୟ ସାଥୀ ଖେଳାଳିଙ୍କ ସହ କଟାଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ଆଡିଲେଡ୍ ଟେଷ୍ଟ୍‌ରେ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ହେବାର ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ଘଟଣାକୁ ଭୁଲି ଆଗକୁ ବଢ଼ିବାକୁ ସେ ସମସ୍ତ ଭାରତୀୟ ଖେଳାଳିଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସିଡ୍‌ନିରେ ରୋହିତ ସଙ୍ଗରୋଧ
ଫିଟ୍ ହୋଇ ଅଷ୍ଟ୍ରେଲିଆ ଯାଇଥିବା ହିଟ୍‌ମ୍ୟାନ୍ ରୋହିତ ଶର୍ମା ସଂପ୍ରତି ଅଷ୍ଟ୍ରେଲିଆର ସିଡ୍‌ନି ସହରର ଡବଲ୍ ବେଡ୍‌ରୁମ୍ ଆପାର୍ଟମେଣ୍ଟ୍‌ରେ ସଙ୍ଗରୋଧ ଅଛନ୍ତି। ବାଧ୍ୟତାମୂଳକ ସଙ୍ଗରୋଧ ଅବଧି ଶେଷ ହେବା ପରେ ଯାଇ ଜାନୁଆ‌ରି ୩ ତାରିଖରୁ ସେ ଅଭ୍ୟାସ ଆରମ୍ଭ କରିପାରିବେ। ନ୍ୟୁସାଉଥ୍ ୱେଲ୍ସ ପ୍ରଦେଶରେ କରୋନା ମାମଲା ହଠାତ୍ ବଢ଼ିବା ପରେ ଲକଡାଉନ୍ ଆଶଙ୍କାରେ କ୍ରିକେଟ୍ ଅଷ୍ଟ୍ରେଲିଆ କିନ୍ତୁ ଡେଭିଡ୍ ୱାର୍ନର ଏବଂ ସିନ୍‌ ଆବୋଟଙ୍କ ଭଳି ଖେଳାଳିଙ୍କୁ ଆଗୁଆ ମେଲବର୍ନ ସ୍ଥାନାନ୍ତର କରିଛି। ହେଲେ ଅଷ୍ଟ୍ରେଲୀୟ ନିୟମ ଅନୁସାରେ ରୋହିତଙ୍କୁ ବିସିସିଆଇ ସଙ୍ଗରୋଧ ଅଧାରୁ ଅନ୍ୟତ୍ର ସ୍ଥାନାନ୍ତର କରି ପାରିବ ନାହିଁ। ଏଣୁ ସିଡ୍‌ନିରେ ହିଁ ସେ ତାଙ୍କ ସଙ୍ଗରୋଧ ଶେଷ କରିବେ। କରୋନା ମାମଲା ବଢ଼ିବା ସତ୍ତ୍ବେ କ୍ରିକେଟ୍ ଅଷ୍ଟ୍ରେଲିଆ ସିଡ୍‌ନିରେ ହିଁ ତୃତୀୟ ଟେଷ୍ଟ୍ ଆୟୋଜନ କରିବାକୁ ଚାହୁଥିବାରୁ ‌ରୋହିତଙ୍କୁ ମେଲବର୍ନ କିମ୍ବା ଅନ୍ୟ କୌଣସି ସହର ସ୍ଥାନାନ୍ତର କରିବା ବି ଠିକ୍ ହେବନି। ଯଦି ତୃତୀୟ ଟେଷ୍ଟ୍ ସିଡ୍‌ନି ବାହାରକୁ ସ୍ଥାନାନ୍ତର ହୁଏ, ତାହାଲେ ରୋହିତଙ୍କୁ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ବିସିସିଆଇ କହିପାରେ।

ଶ୍ରେଷ୍ଠ ଖେଳାଳିଙ୍କୁ ‘ମୁଲାଗ୍‌ ମେଡାଲ’
ବକ୍ସିଂ ଡେ’ ଟେଷ୍ଟ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଜନି ମୁଲାଗ ପଦକ ପ୍ରଦାନ କରିବ। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପ୍ରଥମ ଅନ୍ତର୍ଜାତୀୟ ଗସ୍ତରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ସେ। ୧୮୬୮ ମସିହାର ଏହି ଗସ୍ତରେ ମୁଲାଗଙ୍କ ‌ନେତୃତ୍ବରେ କଙ୍ଗାରୁ ଦଳ ଇଂଲଣ୍ଡ ଗସ୍ତ କରି ସମସ୍ତଙ୍କ ମନ ଜିତି ନେଇଥିଲା। କିଂବଦନ୍ତି ମୁଲାଗଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ‘ମୁଲାଗ ମେଡାଲ’ ଦେବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସୋମବାର କ୍ରିକେଟ୍ ଅଷ୍ଟ୍ରେଲିଆ ଟ୍ବିଟ୍ କରିଛି। ଅଷ୍ଟ୍ରେଲିଆର ଆଦିମ ଅଧିବାସୀଙ୍କ ବଂଶଜ ମୁଲାଗଙ୍କ ଅସଲ ନାଁ କିନ୍ତୁ ଥିଲା ୟୁନାରିମିନ। ୧୮୬୮ର ସେହି ଚର୍ଚିତ ଗସ୍ତରେ ଅଷ୍ଟ୍ରେଲିଆର ମୂଳ ଅଧିବାସୀ ଦଳ ମୋଟ ୪୭ ମ୍ୟାଚ୍ ଖେଳିଥିଲା। ସେଥିମଧ୍ୟରୁ ୪୫ଟିରେ ମୁଲାଗ ଅଂଶଗ୍ରହଣ କରିଥିଲେ। ସେ ଜଣେ କୁଶଳୀ ଅଲରାଉଣ୍ଡର ଥିଲେ ଏବଂ ମୋଟ ୧୬୯୮ ରନ୍ କରିଥିଲେ। ମୁଲାଗ ମଧ୍ୟ ୧୮୭୭ ଓଭର ବୋଲିଂ କରି ୮୩୧ ମେଡେନ୍ ପକାଇଥିଲେ। ଇଂଲିସ୍ ବ୍ୟାଟର୍‌ଙ୍କୁ ଚକିତ କରି କେବଳ ୧୦ ହାରରେ ୨୪୫ ୱିକେଟ୍ ଅକ୍ତିଆର କରିଥିଲେ ଏହି ମହାନ ଖେଳାଳି। ନିଜ ଘଟଣାବହୁଳ ତଥା ଜାଜ୍ଜୁଲ୍ୟମାନ ଖେଳ ଜୀବନରେ କିଛି ସମୟ ପାଇଁ ମୁଲାଗ ମଧ୍ୟ କାମଚଳା ୱିକେଟ୍ ରକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ। ବକ୍ସିଂ ଡେ’ ଟେଷ୍ଟ୍‌ରେ ଦିଆଯିବାକୁ ଥିବା ପଦକ ପ୍ରକୃତରେ ମୁଲାଗ ସେହି ଗସ୍ତରେ ପିନ୍ଧିଥିବା ବେଲ୍ଟ ବକଲ୍‌ର ପ୍ରତିକୃତି ‌ହେବ। ଏହା କରି କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ଦେଶର ମୂଳ ଅଧିବାସୀମାନଙ୍କୁ ସମ୍ମାନ ଏବଂ ଧନ୍ୟବାଦ ଜଣାଇବ। ଚଳିତବର୍ଷ କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ନିଆରା ଅଭିଯାନରେ ନିୟମିତ ଭାବେ ଆଦିମ ଅଧିବାସୀମାନଙ୍କୁ ଭିନ୍ନ ଭିନ୍ନ ଉପାୟରେ ସମ୍ମାନଜଣାଇ ଆସୁଛି। ସେଥିପାଇଁ ଭାରତ ବିପକ୍ଷ ‌ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ‌ଏହି ଦେଶର ଖେଳାଳିମାନେ ସ୍ବଦେଶୀ ସାର୍ଟ ପିନ୍ଧିଥିଲେ। ସେମାନେ ମଧ୍ୟ ଦିନିକିଆ ଏବଂ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ‘ଖାଲିପାଦ ବୃତ୍ତ’ ରଚନା କରି ଆଦିବାସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର