ଜାଦେଜା ଦେଲେ ଫିଟନେସ୍ ପ୍ରମାଣ

ମେଲବର୍ନ : ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ଏଠାରେ ଏକ ନୂଆ ପ୍ରକାର ଅଭ୍ୟାସରେ ମାତିଥିଲା। ଯାହା ଏକ କୁସ୍ତି ଆଖଡ଼ା ଲଢ଼େଇର ଭ୍ରମ ସୃଷ୍ଟି କରିଥିଲା। ଖେଳାଳି କ୍ରିକେଟ୍ ଅଭ୍ୟାସ କରିବା ପରିବର୍ତ୍ତେ କୁସ୍ତିଯୁଦ୍ଧରେ ମାତିବା ଭଳି ପ୍ରତୀୟମାନ ହୋଇଥିଲା। ଭାରତୀୟ ଖେଳାଳିଙ୍କୁ ଆଜି ଯୋଡ଼ାରେ ବାଣ୍ଟି ଦିଆଯାଇଥିଲା ଏବଂ ସେମାନେ ପରସ୍ପରକୁ ପଛରେ ପକାଇବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ନେଟ୍ସରେ ପହଞ୍ଚିବାରେ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜା ଗୁରୁବାରର ପ୍ରଥମ ଖେଳାଳି ଥିଲେ। ଆଉ ତୁରନ୍ତ ତାଙ୍କୁ ନିଜ ଫିଟନେସ୍‌ର ପ୍ରମାଣ ଦେବାକୁ କୁହାଯାଇଥିଲା। ଜାଦେଜା ମଧ୍ୟ ହାତରେ ବ୍ୟାଟ୍ ଧରି ୱିକେଟ୍ ଭିତରେ କ୍ଷିପ୍ର ଗତିରେ ଏପଟସେପଟ ଦୌଡ଼ିବା ସହ ସଂପ୍ରତି ସେ ଯେ ପୂରା ଫିଟ୍ ଅଛନ୍ତି, ତାହା ଦେଖାଇ ଦେଇଥିଲେ। ୪୯ ଟେଷ୍ଟ୍‌ରେ ଭାରତର ପ୍ରତିନିଧିତ୍ବ କରି ୨୧୩ ୱିକେଟ୍ ନେବା ସହ ୧୮୬୯ ରନ୍ କରିଥିବା ଜାଦେଜା ଅଷ୍ଟ୍ରେଲିଆ ବିପକ୍ଷ ‌ଶେଷ ଦୁଇ ଟ୍ବେଣ୍ଟି-୨୦ ସହ ଆଡିଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ତଥା ଗୋଲାପି ବଲ୍ ଟେଷ୍ଟ୍‌ରେ ଖେଳିପାରିନଥିଲେ। ପ୍ରଥମ ‌ଟ୍ବେଣ୍ଟି-୨୦ରେ ହିଁ ସେ ମସ୍ତିସ୍କାଘାତ ସହ ମାଂସପେଶୀ ଯନ୍ତ୍ରଣା ଅନୁଭବ କରିବାରୁ ଏଭଳି ସ୍ଥିତି ଉପୁଡ଼ିଥିଲା। ହେଲେ ମେଲବର୍ନ ଟେଷ୍ଟ୍‌ରେ ଜାଦେଜା ଦଳକୁ ଫେରିବାର ଶତପ୍ରତିଶତ ସମ୍ଭାବନା ରହିଛି।

ଭାରତର ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବଶାଳୀ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ୟର୍କର ବିଶେଷଜ୍ଞ ଟି ନଟରାଜନ ଏହା ପରେ ନେଟ୍ସକୁ ଓହ୍ଲାଇଥିଲେ। ଏକାଧିକ ଥର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ‌ଚେତେଶ୍ବର ପୂଜାରାଙ୍କୁ ଅଡ଼ୁଆରେ ପକାଇ ବକ୍ସିଂ ଡେ’ ଟେଷ୍ଟ୍ ଖେଳିବା ଲାଗି ପୁଣି ଥରେ ନିଜ ଦାବିଦାରି ଉପସ୍ଥାପନା କରିଥିଲେ‌ ସେ। ଅପରପକ୍ଷରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଥିବା ପ୍ରତୀକ୍ଷିତ ଏହି ପ୍ରାକ୍ ନୂଆବର୍ଷ ଟେଷ୍ଟ୍‌ରେ କେଏଲ୍ ରାହୁଲ ଖେଳିବା ଏକପ୍ରକାର ନିଶ୍ଚିତ। ଏଣୁ ଅନ୍ୟତମ ଯୁବ ତାରକା ତଥା ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ସହ ରାହୁଲ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଟିଂ ଅଭ୍ୟାସ କରି ନିଜ କଳା କୌଶଳକୁ ଆହୁରି ଣାଣିତ କରିଥିଲେ। ଶାରୀରିକ ଅଭ୍ୟାସ ପରେ ଖେଳାଳିମାନେ ନେଟ୍ସରେ ବ୍ୟସ୍ତ ଥିଲା ବେଳେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଅଭ୍ୟାସ ଅଧିବେଶନ ବେଳେ ଲେଖିଥିବା କିଛି ଗୁରୁତ୍ବପୂର୍ଣ୍ଣ କଥା ଉପରେ ଢେର ସମୟ ଆଲୋଚନା କରିଥିଲେ। ସେମାନେ ମଧ୍ୟ ପରସ୍ପର ସହ ନିଜ ନିଜର ଲେଖା ଅଦଳ ବଦଳ କରିଥିଲେ।

ଏହା ପରେ ସମସ୍ତେ ଅଧିନାୟକ ରାହାଣେଙ୍କ ସହ ଦୀର୍ଘ ସମୟ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ହିଁ ଶୃଙ୍ଖଳାର ପରବର୍ତ୍ତୀ ତିନିଟି ଟେଷ୍ଟ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ। ଏଣୁ ପ୍ରଶିକ୍ଷକ ମଣ୍ଡଳି ତାଙ୍କ ସହ ବିଚାରବିମର୍ଶ କରି କେଉଁ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବେ କାହାକୁ ବାଦ୍ ଦେବେ ସେ ବିଷୟରେ ଆଲୋଚନା କରୁଥିବା ଜଣାପଡ଼ିଛି। ଶାସ୍ତ୍ରୀ ମଧ୍ୟ ଏକୁଟିଆ ରାହୁଲ ଏବଂ ପନ୍ତଙ୍କ ସହ ଦୀର୍ଘ ସମୟ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଚାଇନାମ୍ୟାନ୍ ବୋଲର କୁଲୀଦପ ଯାଦବ ବି ଗୁରୁବାର ନେଟ୍ସରେ ଘଣ୍ଟାଏରୁ ଅଧିକ କାଳ ବ୍ୟାଟିଂ କରିଥିଲେ। ଫଳରେ ସେ ଦ୍ବିତୀୟ ଟେଷ୍ଟ୍ ଖେଳିବାର ଆଶା ସଂଚାର ହୋଇଛି।

ସେପଟେ ଆଡିଲେଡ୍‌ରେ ଆଧିପତ୍ୟଭରା ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଭାରତକୁ ପୁଣି ଘାଇଲା କରିବା ଲାଗି ଗୁରୁବାରଠାରୁ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ ବ୍ୟକ୍ତିଗତ ତତ୍ତ୍ବାବଧାନରେ ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନେଙ୍କ ଭଳି କଙ୍ଗାରୁ ଖେଳାଳିମାନେ ମେଲବର୍ନ କ୍ରିକେଟ୍ ପଡ଼ିଆରେ ୨ରୁ ୩ ଘଣ୍ଟା ଅଭ୍ୟାସ କରିଥିଲେ। ଶ୍ରୀଲଙ୍କାର ପୂର୍ବତନ ଅଫ୍ ସ୍ପିନର ସୁରଜ ରଣଦୀଭ ସେମାନଙ୍କୁ ଗୋଟିଏ ପଟୁ ‌ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର