ମୁମ୍ବାଇ: ବାମହାତୀ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଦେଜାଙ୍କ ଅବିଶ୍ବସନୀୟ ଶେଷ ଓଭର ବ୍ୟାଟିଂ ଏବଂ ଯାଦୁକରୀ ବୋଲିଂ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍କୁ ରବିବାର ଅପରାହ୍ଣ ଓ ସଂଧ୍ୟାରେ ବିଜୁଳିରେ ଝଲସାଇ ଦେଇଥିଲା। ଶେଷ ଓଭରରୁ ୫ ଛକା ଓ ୧ ଚୌକା ସହ ୩୭ ରନ୍ ଆଦାୟ କରିବା ପରେ ଜାଦେଜା ୪-୧-୧୩-୩ ବୋଲିଂ ଚିତ୍ର ସହ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ର ବିଜୟ ଯାତ୍ରାକୁ ରୋକି ଦେଇଥିଲେ। ଲଗାତାର ୪ ମ୍ୟାଚ୍ ଜିତିଥିବା ବିରାଟ କୋହଲିଙ୍କ ବାଙ୍ଗାଲୋରକୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସ ୬୯ ରନ୍ର ବଡ଼ ବ୍ୟବଧାନରେ ହରାଇ ଦେଇଥିଲା। ଏହି ବିଜୟ ସହ ବାଙ୍ଗାଲୋରକୁ ଗାଦିଚ୍ୟୁତ କରି ଚେନ୍ନାଇ ମଧ୍ୟ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି।
ଟସ୍ ଜିତି ମାହି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫର୍ମରେ ଥିବା ଋତୁରାଜ ଗାଏକ୍ବାଡ ଏବଂ ଫାପ୍ ଡୁ ପ୍ଲେସିସ୍ ପାୱାର ପ୍ଲେ ୬ ଓଭର୍ ଭିତରେ ବିନା କ୍ଷତିରେ ୫୧ ରନ୍ କରିନେଇଥିଲେ। ପ୍ରଥମ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଗାଏକ୍ବାଡଙ୍କୁ ଚହଲ୍ ଶିକାର କରିବାରୁ ଏହି ଯୋଡ଼ି ଅଲଗା ହୋଇଥିଲା। ୧୩ ଓଭର ବେଳକୁ ସିଏସ୍କେ ୧ ୱିକେଟ୍ ହରାଇ ୧୧୦ ରନ୍ କରି ଦୃଢ଼ ସ୍ଥିତିରେ ଥିଲା। ହଠାତ୍ ଲଗାତାର ବଲ୍ରେ ହର୍ଷଲ ପଟେଲ୍ ସୁରେଶ ରାଇନା ଓ ଫାପ୍ ଡୁ ପ୍ଲେସିସ୍ଙ୍କୁ ଆଉଟ୍ କରି ବାଙ୍ଗାଲୋର୍କୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଅମ୍ବାତି ରାୟୁଡୁଙ୍କୁ କିଛି ସମୟ ପରେ ତୃତୀୟ ଶିକାର କରିଥିଲେ ପଟେଲ୍। ଫଳରେ ରନ୍ ପାଇଁ ସଂଘର୍ଷ କରି ୧୯ ଓଭର ବେଳକୁ ଚେନ୍ନାଇ ୧୫୪ ରନ୍ କରିଥିଲା।
ଶେଷ ଓଭର୍ରୁ ୩୭
ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଚଳିତ ବର୍ଷର ଶେଷ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ରବୀନ୍ଦ୍ର ଜାଦେଜାଙ୍କର ହିଁ ଥିଲା। ଚେନ୍ନାଇ ସୁପର୍ କିଙ୍ଗ୍ସର ଶେଷ ଓଭରରୁ ଅବିଶ୍ବସନୀୟ ଭାବେ ୩୭ ରନ୍ ଆଦାୟ କରି ରବୀନ୍ଦ୍ର ଜାଦେଜା ନାୟକ ପାଲଟିଥିଲେ। ବ୍ୟକ୍ତିଗତ ଭାବେ ୪ ବଲ୍ ଖେଳି ଖାତା ଖୋଲିନଥିବା ବେଳେ ଜାଦେଜା ଦେଇଥିବା କ୍ୟାଚ୍କୁ ଡାନିଏଲ୍ କ୍ରିଷ୍ଟିଆନ୍ ହାତଛଡ଼ା କରିଥିଲେ। ଏହା ହିଁ ଆର୍ସିବିକୁ ମହଙ୍ଗା ପଡ଼ିଥିଲା। ପରବର୍ତୀ ୨୪ ବଲ୍ରୁ ୬୨ ରନ୍ କରିଥିଲେ ଜାଦେଜା। ଶେଷ ଓଭର ବୋଲିଂ କରିଥିବା ହର୍ଷଲ୍ ପଟେଲ୍ଙ୍କଠାରୁ ୩୭ ରନ୍ ଆଦାୟ କରିଥିଲେ ଜାଦେଜା। ସେ ପର୍ଯ୍ୟନ୍ତ ହର୍ଷଲ୍ ପଟେଲ୍ ୩-୦-୧୪-୩ ବୋଲିଂ ଚିତ୍ରରେ ଥିଲେ। କିନ୍ତୁ ଗୋଟିଏ ଓଭର ଏହି ପର୍ପଲ୍ କ୍ୟାପ୍ଧାରୀଙ୍କୁ ଅପ୍ରତ୍ୟାଶିତ ଭାବେ ଖଳନାୟକ ସଜାଇ ଦେଇଥିଲା। ଜାଦେଜା ପଡିଆର ଚାରିଆଡକୁ ଖେଳି କ୍ରମାନ୍ବୟରେ ୬, ୬, ୭ (ନୋ ବଲ୍କୁ ଛକା), ୬, ୨, ୬, ୪ ମାରି ସବୁ ଓଲଟପାଲଟ୍ କରି ଦେଇଥିଲେ।
ଏହି ଓଭର ପାଇଁ ଚେନ୍ନାଇ ୧୯୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଜାଦେଜା ଏହି ଓଭର ପୂର୍ବରୁ ୨୧ ବଲ୍ରୁ ୨୬ ରନ୍ କରିଥିଲେ। କିନ୍ତୁ ଶେଷକୁ ୨୮ ବଲ୍ରୁ ୬୨* ରନ୍ କରି ଅପରାଜିତ ରହିଥିଲେ। ବୋଲିଂ ବେଳକୁ ମଧ୍ୟ ଯଦୁ (ଜାଦେଜା)ଙ୍କ ଯାଦୁ କାମ କରିଥିଲା। ପ୍ରଥମ ଓଭରରେ ୱାସିଂଟନ୍ ସୁନ୍ଦରଙ୍କୁ ଶିକାର କରିବା ପରେ ଆର୍ସିବିର ଦୁଇ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ଏବି ଡି’ଭିଲିୟର୍ସଙ୍କୁ ବୋଲ୍ଡ କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ୧୯୧ ରନ୍କୁ ପିଛା କରି ଆର୍ସିବି ୧୨୨/୯ରେ ସୀମିତ ରହିଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।
କୀର୍ତ୍ତିମାନ ସମକକ୍ଷ
ଗୋଟିଏ ଓଭରରୁ ୩୭ ରନ୍ ଆଦାୟ କରି ରବୀନ୍ଦ୍ର ଜାଦେଜା ମଧ୍ୟ ଆଇପିଏଲ୍ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ପୂର୍ବରୁ ୨୦୧୧ ସଂସ୍କରଣରେ କୋଚି ଟସ୍କର୍ସର ପରମେଶ୍ବରନଙ୍କ ବିପକ୍ଷରେ ଆର୍ସିବିର କ୍ରିସ୍ ଗେଲ୍ ମଧ୍ୟ ୩୭ ରନ୍ ଆଦାୟ କରିଥିଲେ। ଟ୍ବେଣ୍ଟି-୨୦ କ୍ରିକେଟ ଇତିହାସରେ କିନ୍ତୁ ଚତୁର୍ଥ ଥର ପାଇଁ ଏଭଳି ଦେଖିବାକୁ ମିଳିଛି। ଗୋଟିଏ ଓଭରରୁ ସର୍ବାଧିକ ୩୮ ରନ୍ର କୀର୍ତ୍ତିମାନ ନ୍ୟୁଜିଲାଣ୍ଡ୍ର ସ୍କଟ୍ ଷ୍ଟାଇରିସ୍ଙ୍କ ନାମରେ ରହିଛି। ୨୦୧୨ ମସିହାରେ ସେ ସସେକ୍ସ ବିପକ୍ଷରେ ୩୭ ବଲ୍ରୁ ୧୦୦ ରନ୍ କରିବା ଅବସରରେ ଗୋଟିଏ ଓଭରରୁ ୩୮ ରନ୍ ଆଦାୟ କରିଥିଲେ।
ଦ୍ବିଶତକ ଛକା କ୍ଲବ୍ରେ ରାଇନା
ଆଇପିଏଲ୍ରେ ୨୦୦ ଛକା ପୂର୍ଣ୍ଣ କରିବାରେ ସୁରେଶ ରାଇନା ବିଶ୍ବର ସପ୍ତମ ଖେଳାଳି ହୋଇଛନ୍ତି। ସୋମବାର ରାଇନା କ୍ରିଜ୍କୁ ଆସିବା ମାତ୍ରେ ସମ୍ମୁଖୀନ ହୋଇଥିବା ତୃତୀୟ ବଲ୍କୁ ଛକା ମାରି ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ। ୟୁଜବେନ୍ଦ୍ର ଚହଲ୍ଙ୍କୁ ଲଙ୍ଗ୍ଅନ୍ ଉପରେ ଖେଳି ଏହି କ୍ଲବ୍ରେ ସାମିଲ ହୋଇଥିଲେ। ଏହା ପରେ ସେ ଆଉ ୨ ଛକା ମଧ୍ୟ ମାରି ୧୮ ବଲ୍ରୁ ୨୪ ରନ୍ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଆଇପିଏଲ୍ରେ ସର୍ବାଧିକ ଛକା କ୍ଲବ୍ରେ କ୍ରିସ୍ ଗେଲ୍ (୩୫୪), ଏବି ଡି’ଭିଲିୟର୍ସ (୨୪୦), ରୋହିତ ଶର୍ମା (୨୨୨), ମହେନ୍ଦ୍ର ସିଂହ ଧୋନି (୨୧୭), ବିରାଟ କୋହଲି (୨୦୪), କିରଣ ପୋଲାର୍ଡ (୨୦୨) ରହିଥିଲେ। ରାଇନା ମଧ୍ୟ ୨୦୨ ଛକା ହାସଲ କରିଛନ୍ତି।