ମୁମ୍ବାଇ: ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ୍ ଶୃଙ୍ଖଳା ଲାଗି ଗୁରୁବାର ଅଜିତ ଅଗରକରଙ୍କ ନେତୃତ୍ବାଧୀନ ବିସିସିଆଇ ବରିଷ୍ଠ ଚୟନ ସମିତି ୧୫ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଇଂଲଣ୍ଡରେ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିବା ଯୁବ ତାରକା ଶୁବମନ୍ ଗିଲ୍ ଅଧିନାୟକ ପଦ ବଜାୟ ରଖିଛନ୍ତି। ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ପ୍ରଥମ ଥର ଲାଗି ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ନିଯୁକ୍ତ ହେବା କିନ୍ତୁ ଉଲ୍ଲେଖନୀୟ ରହିଛି। ଜାଡ଼େଜା ପୂର୍ବରୁ ଭାରତୀୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳର ଉପଅଧିନାୟକ ଦାୟିତ୍ବ ତୁଲାଇ ସାରିଛନ୍ତି। ହେଲେ କେବେବି ଟେଷ୍ଟ୍ ଦଳର ଉପଅଧିନାୟକ ହୋଇ ନଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ଗସ୍ତରେ ବାଛିବାଛି ମ୍ୟାଚ୍ ଖେଳିଥିବା ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଭାରତୀୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେ ଦୁଇଟି ଯାକ ମ୍ୟାଚ୍ ଲାଗି ଉପଲବ୍ଧ ରହିବେ ବୋଲି ଅଗରକର ଘୋଷଣା କରିଛନ୍ତି। ତା’ ସହିତ ବୁମ୍ରାଙ୍କୁ ବିସିସିଆଇ ସ୍ବତନ୍ତ୍ର ବ୍ୟବହାର କରୁଥିବା ନେଇ ହୋଇ ଆସୁଥିବା ଚର୍ଚ୍ଚା ଓ ଆଲୋଚନାକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି।
ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ଲାଗି ଭାରତୀୟ ଟେଷ୍ଟ୍ ଦଳ ଘୋଷିତ
ଗିଲ୍ଙ୍କ ନେତୃତ୍ବରେ ପ୍ରଥମ ଘରୋଇ ଶୃଙ୍ଖଳା
ଅକ୍ଷର, ପଡିକଲ୍ ଫେରିଲେ, ୧୫ଜଣିଆ ଦଳରେ ବୁମ୍ରା
କରୁଣ ନାୟର, ଅଭିମନ୍ୟୁ ଈଶ୍ବରନଙ୍କ ରାସ୍ତା ବନ୍ଦ
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ରେ ଆହତ ହୋଇଥିବା ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ପୂରା ଫିଟ୍ ହୋଇ ନଥିବାରୁ ତାଙ୍କୁ ଦଳରେ ନିଆଯାଇନି। ତା’ ବଦଳରେ ଧ୍ରୁବ ଜୁରେଲ ଏବଂ ତାମିଲନାଡ଼ୁର ନାରାୟଣ ଜଗଦୀଶାନ ରୂପରେ ଦୁଇଜଣ ବିଶେଷଜ୍ଞ ୱିକେଟ୍ରକ୍ଷକଙ୍କୁ ଚୟନକର୍ତ୍ତା ଦଳରେ ରଖିଛନ୍ତି। ତେବେ ଧ୍ରୁବ ଜୁରେଲ ପ୍ରଥମ ପସନ୍ଦର ୱିକେଟ୍ରକ୍ଷକ ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ରହିଛି। ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳରୁ ଅଭିମନ୍ୟୁ ଈଶ୍ବରନ୍, କରୁଣ ନାୟର, ଆକାଶ ଦୀପ, ଅଂଶୁଲ କମ୍ବୋଜ, ଅର୍ଶଦୀପ ସିଂହ ଓ ଶାର୍ଦୁଳ ଠାକୁର ବାଦ୍ ପଡ଼ିଛନ୍ତି। ଅକ୍ଷଣ ପଟେଲ, ଦେବଦତ୍ତ ପଡ଼ିକଲ୍ଙ୍କ ସହ ଜଗଦୀଶାନ ଫେରିଛନ୍ତି। ପନ୍ତ ଆହତ ହେବା ପରେ ଜଗଦୀଶାନ ସଂରକ୍ଷିତ ୱିକେଟ୍ରକ୍ଷକ ଭାବେ ଇଂଲଣ୍ଡ ଗସ୍ତ କରିଥିଲେ। ୭ବର୍ଷ ପରେ ଜାତୀୟ ଦଳକୁ ଫେରି ଇଂଲଣ୍ଡ ଗସ୍ତର ୮ଟି ପାଳିରୁ ମାତ୍ର ୨୫୭ ରନ୍ କରିଥିଲେ ନାୟର। ନାୟରଙ୍କ ସହ ଅଧିକାଂଶ ସମୟ ସଂରକ୍ଷିତ ଓପନର୍ ଭାବେ ଟେଷ୍ଟ୍ ଦଳରେ ରହିଥିଲେ ମଧ୍ୟ ପଦାର୍ପଣ କରି ନଥିବା ଈଶ୍ବରନ୍ଙ୍କ ଭବିଷ୍ୟତ ଯୋଜନାରେ ସେମାନେ ଆଉ ଦେଖୁନାହାନ୍ତି ବୋଲି ଅଗରକର ସ୍ପଷ୍ଟ କରିବା ପରେ ତାଙ୍କ ରାସ୍ତା ଏକପ୍ରକାର ବନ୍ଦ ହୋଇଯାଇଛି। ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ନୀତୀଶ କୁମାର ରେଡ୍ଡୀ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି।
ସୂଚନାଯୋଗ୍ୟ ଯେ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରୁ ଅହମଦାବାଦରେ ଖେଳାଯିବ। ଦ୍ବିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରୁ ନୂଆଦିଲ୍ଲୀରେ ଆୟୋଜିତ ହେବ।
ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ବି ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ୍, ଧ୍ରୁବ ଜୁରେଲ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଡ଼େଜା (ଉପଅଧିନାୟକ), ୱାସିଂଟନ୍ ସୁନ୍ଦର, ଯଶପ୍ରୀତ୍ ବୁମ୍ରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ନାରାୟଣ ଜଗଦୀଶାନ।