ସିଏସ୍‌କେ ସଂପର୍କିତ ପୋଷ୍ଟ ହଟାଇଲେ ଜାଦେଜା, ପ୍ରଶଂସକ ଚକିତ

ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଦେଜା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଦଳ ସଂପର୍କିତ ୨୦୨୧ ଓ ୨୦୨୨ ଋତୁର ସମସ୍ତ ପୋଷ୍ଟକୁ ହଟାଇ ଦେଇଛନ୍ତି। ଫଳରେ ଜାଦେଜା ଏବଂ ସିଏସ୍‌କେ ସଂପର୍କରେ ବଡ଼ ଫାଟ ସୃଷ୍ଟି ହୋଇଥିବାର ସ୍ପଷ୍ଟ ସଙ୍କେତ ମିଳିଛି। ଚଳିତବର୍ଷ ସିଏସ୍‌କେ ଜାଦେଜାଙ୍କୁ ତା’ର ନୂଆ ଅଧିନାୟକ ନିଯୁକ୍ତ କରିଥିଲା। ହେଲେ ଋତୁ ଅଧାରୁ ସେ ଅଚାନକ ନିଜ ପଦ ଛାଡ଼ି ଦେଇଥିଲେ।

ଏହା ପରେ ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳି ସିଏସ୍‌କେ ଲଜ୍ଜାଜନକ ଭାବେ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଜାଦେଜା କିନ୍ତୁ ତାଙ୍କୁ ଅଧିନାୟକ ପଦରୁ ବିଦା କରାଯିବା ନେଇ ବେଶ୍ ଅସନ୍ତୁଷ୍ଟ ଥିଲେ। ଏପରିକି ଧୋନି ଏବଂ ତାଙ୍କ ମଧ୍ୟରେ ମତାନ୍ତର ହୋଇଥିବାର ଖବର ବି ପଦାକୁ ଆସିଥିଲା ସଂଯୋଗବଶତଃ ଜାଦେଜା ମଧ୍ୟ ଧୋନିଙ୍କୁ ତାଙ୍କ ୪୧ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇ ନଥିଲେ। ପୂର୍ବରୁ କିନ୍ତୁ ପ୍ରତିବର୍ଷ ଏହା କରିଆସୁଥିଲେ ସେ। ଏବେ ସିଏସ୍‌କେ ସଂପର୍କିତ ପୋଷ୍ଟକୁ ହଟାଇ ଆସନ୍ତା ଋତୁରେ ଏହି ଦଳ ପକ୍ଷରୁ ଖେଳିବେ ନାହିଁ ବୋଲି ଜାଦେଜା ନିଜ ଆଡ଼ୁ ସଙ୍କେତ ଦେଇଥିବାର ଚର୍ଚ୍ଚା ହେଉଛି। ପ୍ରଶଂସକ କିନ୍ତୁ ଜାଦୁଙ୍କ ଏଭଳି ପଦକ୍ଷେପରେ ଚକିତ ହୋଇଛନ୍ତି। ଅମ୍ବାତି ରାୟୁଡୁ ଏବଂ ଦୀପକ ଚହର ମଧ୍ୟ ସିଏସ୍‌କେ ଛାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହା ଏହି ଦଳର ପ୍ରଶଂସକଙ୍କୁ ମଧ୍ୟ ଚିନ୍ତାର ପକାଇଛି।

ସମ୍ବନ୍ଧିତ ଖବର