ଆଇପିଏଲ୍‌ ନିଲାମ ପୂର୍ବରୁ ରିଲିଜ୍‌ ହେଲେ ୱିଲିୟମସନ୍‌, ବ୍ରାଭୋ, ପୂରନ: ଶୁଭ୍ରାଂଶୁ, ଜାଦେଜାଙ୍କୁ ରଖିଲା ସିଏସ୍‌କେ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ଲାଗି ଡିସେମ୍ବର ୨୩ରେ ନିଲାମ ହେବ। ଏହା ପୂର୍ବରୁ ମଙ୍ଗଳବାର ଖେଳାଳି ରିଟେନ୍‌ସନ୍‌ ଏବଂ ରିଲିଜ୍‌ ସମୟସୀମା ଶେଷ ହୋଇଛି। ଫ୍ରାଞ୍ଚାଇଜ୍‌ଗୁଡ଼ିକ ଏହି ସମୟସୀମା ମଧ୍ୟରେ ନିଜ ନିଜ କାର୍ଯ୍ୟ ସାରିଦେଇଛନ୍ତି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ସବୁଠୁ କମ୍‌ ଖେଳାଳି ୫ ଜଣ ଲେଖାଏଁ ରିଲିଜ୍‌ କରିଛନ୍ତି। ସବୁଠୁ ଅଧିକ ଖେଳାଳି ରିଲିଜ୍‌ କରିଛି‌ କୋଲ୍‌କାତା ନାଇଟ୍‌ ରାଇଡର୍ସ (୧୬)। ଏହା ପଛକୁ ରହିଛି ମୁମ୍ବାଇ ଇଣ୍ଡିଆନ୍ସ (୧୩) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (୧୨)। ଖେଳାଳି ରିଲିଜ୍‌ ପରେ ହାଇଦ୍ରାବାଦ ପାଖରେ ସବୁଠୁ ଅଧିକ ଅର୍ଥ ରାଶି ୪୨.୨୫ କୋଟି ବଳକା ‌ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶୁଭ୍ରାଂଶୁ ସେନାପତି ଓ ରବୀନ୍ଦ୍ର ଜାଦେଜାଙ୍କୁ ନିଜ ପାଖରେ ରଖିଥିଲା ‌ବେଳେ ଡ୍ବେନ୍‌ ବ୍ରାଭୋ, ରବିନ ଉଥପ୍ପା, କ୍ରିସ ଜୋର୍ଡାନଙ୍କ ସହ ୮ ଜଣଙ୍କୁ ବିଦା କରିଛି। ଏମାନେ ବିଦା ହେବା ପରେ ଦଳ ପାଖରେ ୨୦.୪୫ କୋଟି ଟଙ୍କା ରହିଛି।
ପୂର୍ବତନ ଅଧିନାୟକ ମୟଙ୍କଙ୍କୁ ଛାଡ଼ିଲା ପଞ୍ଜାବ କିଙ୍ଗ୍ସ ମୋହାଲି ଭିତ୍ତିକ ଦଳ ପଞ୍ଜାବ କିଙ୍ଗ୍ସ ତା’ର ପୂର୍ବତନ ଅଧିନାୟକ ‌ମୟଙ୍କ ଅଗ୍ରୱାଲଙ୍କ ସହ ୯ ଜଣ ଖେଳାଳିଙ୍କୁ ଛାଡ଼ିଦେଇଛି। ଫଳରେ ଦଳ ପାଖରେ ୩୨.୨ ‌ କୋଟି ଟଙ୍କା ବଳକା ରହିଛି। ନୂଆ ଅଧିନାୟକ ଶିଖର ଧାୱନଙ୍କ ସହ ଜନି ବେୟା‌ରଷ୍ଟୋ, ଲିଅମ ଲିଭିଙ୍ଗଷ୍ଟୋନ୍‌, କାଗିସୋ ରବାଦା, ଅର୍ଶଦୀପ ‌ସିଂହ ଓ ରାହୁଲ ଚହରଙ୍କୁ ରଖିଛି।

୧୩ ଖେଳାଳିଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ
୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ଆଇପିଏଲ୍‌ ପୂର୍ବରୁ ୧୩ ଜଣ ଖେଳାଳିଙ୍କୁ ଛାଡ଼ି ଦେଇଛି। ଏଥି‌ରେ ଡାନିଏଲ୍‌ ସାମ୍ସ, ବାସିଲ ଥାମ୍ପି ଓ ଜୟଦେବ ଉନାଦକଟଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ଏମାନେ ବିଦା ହେବା ପରେ ଦଳ ପାଖରେ ୨୦.୫୫ କୋଟି ଟଙ୍କା ବଳକା ରହିଛି।

ୱିଲିୟମ୍ସ ଓ ପୂରନଙ୍କୁ ଛାଡ଼ିଲା ହାଇଦ୍ରାବାଦ
କେନ୍‌ ୱିଲିୟମ୍‌ସନ, ନିକୋଲାସ ପୂରନଙ୍କ ଭଳି ତାରକା ଖେଳାଳିଙ୍କ ସହ ୧୨ ଜଣଙ୍କୁ ବିଦା କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ଫଳରେ ଆଗାମୀ ନିଲାମ ଲାଗି ଦଳ ଖାତାରେ ୪୨.୨୫ କୋଟି ଟଙ୍କା ଆସିଯାଇଛି। ଦଳ ଭୁବନେଶ୍ବର କୁମାର, ଉମ୍ରାନ ମଲ୍ଲିକ, ଏଦେନ ମାର୍‌କ୍ରମ, ରାହୁଲ ତ୍ରିପାଠୀ ଓ ଗ୍ଲେନ୍‌ ଫିଲିପ୍ସଙ୍କ ସହ ୧୨ ଜଣଙ୍କୁ ରିଟେନ୍‌ କରିଛି।

ରାଜସ୍ଥାନ ରୟାଲ୍ସ କୁଲ୍‌ଟର, ନୀସାମଙ୍କୁ ବିଦା କଲା
ରାଜସ୍ଥାନ ରୟାଲ୍ସ ନାଥନ କୁଲ୍‌ଟର ନାଇଲ, ଜେମ୍ସ ନୀସାମଙ୍କ ସହ ୯ ଜଣଙ୍କୁ ବିଦା କରିଛି। ସଂଜୁ ସାମସନ ଅଧିନାୟକତ୍ବ ବଜାୟ ରଖିଥିଲା ବେଳେ ଯଶସ୍ବୀ ଜୟସ୍ବାଲ, ସିମ୍ରନ ହେଟମେୟର, ଦେବଦତ୍ତ ପଡ଼ିକଲ, ଜୋସ ବଟଲର, ରବିଚନ୍ଦ୍ରନ୍‌ ଅଶ୍ବିନ, ୟୁଝବେନ୍ଦ୍ର ଚହଲ ରିଟେନ୍‌ ଅଛନ୍ତି। ଦଳ ପାଖରେ ଆଉ ୧୩.୨ କୋଟି ଟଙ୍କା ବଳକା ରହିଛି।

କେକେଆର୍‌ ୧୬ଙ୍କୁ ଛାଡ଼ିଲା
କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପ୍ୟାଟ କମିନ୍ସ, ସାମ ବିଲିଙ୍ଗ୍ସ, ଆରୋନ ଫିଞ୍ଚ, ଆଲେକ୍ସ ହେଲ୍ସ, ମହମ୍ମଦ ନବିଙ୍କ ସହ ସର୍ବାଧିକ ୧୬ ଜଣଙ୍କୁ ଛାଡ଼ି ଦେଇଛି। ଏତେଜଣଙ୍କୁ ଛାଡ଼ିବା ସତ୍ତ୍ବେ ଦଳ ପାଖରେ ୭.୫ କୋଟି ଟଙ୍କା ବଳକା ରହିଛି।

ଜାସନ, ଫର୍ଗୁସନଙ୍କୁ ଛାଡ଼ିଲା ଗୁଜରାଟ ଟାଇଟାନ୍ସ
ଜାସନ ରୟ ଓ ଲୋକି ଫର୍ଗୁସନଙ୍କ ସହ ୬ ଜଣଙ୍କୁ ଛାଡ଼ିଛି ଗୁଜରାଟ ଟାଇଟାନ୍ସ। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ୧୮ ଜଣଙ୍କୁ ରିଟେନ୍‌ ରଖିଛି। ଆଗାମୀ ନିଲାମରେ ଖେଳାଳି କିଣିବା ଲାଗି ଦଳ ପାଖରେ ୧୯.୨୫ କୋଟି ଟଙ୍କା ରହିଛି।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ରୁ ଟାଏ, ହୋଲ୍‌ଡର ବିଦା
ଆଣ୍ଡ୍ର୍ୟୁ ଟ‌ାଏ ଓ ଜାସନ ହୋଲ୍‌ଡରଙ୍କ ସହ ୭ ଜଣଙ୍କୁ ବିଦା କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌। ‌ଫଳରେ ଦଳ ଖାତାକୁ ୨୩.୩୫ କୋଟି ଆସିଛି। ପୂର୍ବ ପରି କେଏଲ୍‌ ରାହୁଲ ଅଧିନାୟ ରହିଛନ୍ତି।

କେବଳ ୫ଙ୍କୁ ଛାଡ଼ିଲା ଆର୍‌ସିବି
ଜାସନ ବେହରେନଡର୍ଫଙ୍କ ସମେତ କେବଳ ୫ ଜଣଙ୍କୁ ବିଦା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଫାଫ ଡୁ’ପ୍ଲେସିସଙ୍କ ନେତୃତ୍ବାଧୀନ ଏହି ଦଳ ଅନ୍ୟ ଖେଳାଳିମାନଙ୍କୁ ନିଜ ପାଖରେ ରହିଛି। ଦଳ ପାଖରେ ମାତ୍ର ୮.୭୫ କୋଟି ଟଙ୍କା ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସରୁ ଗଲେ ୫
ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୫ ଜଣଙ୍କୁ ଛାଡ଼ିଛି। ଏଥିରେ ଶାର୍ଦୁଳ ଠାକୁର ରହିଛନ୍ତି। ଋଷଭ ପନ୍ତ ଅଧିନାୟକ ଥିଲା ବେଳେ ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଅକ୍ଷର ପଟେଲ ନିଜ ସ୍ଥାନ ବଜାୟ ରଖିଛନ୍ତି। ଦଳ ପାଖରେ ୧୯.୪୫ କୋଟି ବଳକା ରହିଛି।

ସମ୍ବନ୍ଧିତ ଖବର