ନୂଆଦିଲ୍ଲୀ : ତାରକା ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ନିଜର ଫିଟ୍‌ନେସ୍‌ ପ୍ରମାଣ ଦେବା ଲାଗି ରଣଜୀ ଟ୍ରଫିରେ ଖେଳିବେ। ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ୧୭ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ସବୁକିଛି ତାଙ୍କ ଫିଟ୍‌ନେସ୍‌ ଉପରେ ନିର୍ଭର କରିବ। ‌ତେଣୁ ୯ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଶୃଙ୍ଖଳା ପୂର୍ବରୁ ଜାଦେଜାଙ୍କୁ ମ୍ୟାଚ୍‌ ଫିଟ୍‌ନେସ୍‌ ପ୍ରମାଣ ଦେବାକୁ ପଡ଼ିବ। ଏଥିପାଇଁ ‌ଜାଦେଜା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁଥିବା ତାମିଲନାଡ଼ୁ ବିପକ୍ଷ ଫାଇନାଲ୍‌ ରାଉଣ୍ଡ ରଣଜୀ ମୁକାବିଲାରେ ସୌରାଷ୍ଟ୍ର ପକ୍ଷରୁ ଖେଳି ଏହି ପ୍ରମାଣ ଦେବେ।

Advertisment

ଗତ ସେପ୍ଟେମ୍ବରରେ ଏସିଆ କପ୍ ବେଳେ ଏହି ଅଲରାଉଣ୍ଡରଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ସମସ୍ୟା ଜଟିଳ ଥିବାରୁ ତାଙ୍କ ଡାହାଣ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ରିହାବିଲେସନ୍‌ରେ ରହିଥିଲେ। ସେଠାରେ ସେ ବୋଲିଂ ଓ ବ୍ୟାଟିଂ ଆରମ୍ଭ କରିସାରିଛନ୍ତି। ଏବେ ମ୍ୟାଚ୍‌ ଫିଟ୍‌ନେସ୍‌ ପାଇଁ ରଣଜୀ ଖେଳିବେ। ‘‘ଜାଦେଜା ସୌରାଷ୍ଟ୍ର ପକ୍ଷରୁ ଖେଳିଲେ ଭଲ ହେବ। ସେ ଖେଳିବା ପ୍ରାୟ ନିଶ୍ଚିତ ଅଛି। ଏହା ଛଡ଼ା ଆମ ପାଖରେ ଆଉ କିଛି ଖବର ନାହିଁ’’ ବୋଲି ସୌରାଷ୍ଟ୍ର କ୍ରିକେଟ୍‌ ସଂଘର ସଭାପତି ଜୟଦେବ ଶାହ କହିଛନ୍ତି। ଜାଦେଜା ୨୦୧୭ରୁ ୧୯ ପର୍ଯ୍ୟନ୍ତ ଟେଷ୍ଟ ଖେଳି ୨୧.୪୬ ହାରରେ ୮୨ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥିରେ ୩ଟି ୫ ୱିକେଟ୍‌ ସଫଳତା ରହିଛି। ଏଥିସହ ବ୍ୟାଟିଂରେ ସେ ୫୨.୮୨ ହାରାହାରି ଏବଂ ୨ ଶତକ ଓ ୭ ଅର୍ଦ୍ଧଶତକ ବଳରେ ୮୯୮ ରନ୍‌ ସଂଗ୍ରହ କରିଛନ୍ତି।