କଟକ: ବାରବାଟୀ ଲଢ଼େଇର ଇଂଲଣ୍ଡ ପାଳିରେ ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ରବିବାର ଚମତ୍କାର ପ୍ରଦର୍ଶନ କରିଥିଲେ। ୧୦ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ୩୫ ରନ୍ ବିନିମୟରେ ୩ ୱିକେଟ୍ ନେବା ସହ ତିନିଟି ଆକର୍ଷଣୀୟ କ୍ୟାଚ୍ ନେଇ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ଜାଡ଼େଜା ଠିକଣା ସମୟରେ ବେନ୍ ଡକେଟ୍, ଜୋ ରୁଟ୍ ଓ ଜାମି ଓଭରଟନ୍ଙ୍କୁ ଆଉଟ୍ କରି ବାରବାଟୀ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲେ। ଜାଡ଼େଜା ମଧ୍ୟ ବାରବାଟୀରେ ସର୍ବାଧିକ ୱିକେଟ୍ ନେବାରେ କିଂବଦନ୍ତି ସ୍ପିନର ଅନିଲ କୁମ୍ବଲେ, ଈଶାନ୍ତ ଶର୍ମା ଓ ଅଜିତ ଅଗରକରଙ୍କୁ ଟପି ଯାଇଥିଲେ। କୁମ୍ବଲେ (୩ ମ୍ୟାଚ୍) , ଈଶାନ୍ତ (୩ ମ୍ୟାଚ୍) ଓ ଅଗରକର (୫ ମ୍ୟାଚ୍) ବାରବାଟୀରେ ପ୍ରତ୍ୟେକ ୭ ୱିକେଟ୍ ଲେଖାଏଁ ନେଇଥିଲା ବେଳେ ଜାଡ଼େଜା ନିଜ ୱିକେଟ୍ ସଂଖ୍ୟା ୧୦ରେ ପହଞ୍ଚାଇଛନ୍ତି। ଏଠାରେ ତାଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର ରହିଛି ୪/୩୨। ରବିବାର ସେ ନିଜ ଖେଳ ଜୀବନର ଦ୍ବିତୀୟ ଶ୍ରେଷ୍ଠ ବୋଲିଂ ଚିତ୍ର (୩/୩୫) ପାଇଥିଲେ।
ରୋହିତଙ୍କ ପ୍ରଥମ ଟସ୍
ଭାରତୀୟ ଅଧିନାୟକ ରୋହିତ ଶର୍ମା ବାରବାଟୀରେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟା୍ରେ ନେତୃତ୍ବ ନେଇଛନ୍ତି। ୨୦୧୭ ଡିସେମ୍ବରରେ ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ରେ ରୋହିତ ଅବଶ୍ୟ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ତେବେ ଦିନିକିଆ ମ୍ୟାଚ୍ରେ ପ୍ରଥମ ଥର ଟସ୍ ପାଇଁ ଯାଇଥିଲେ। ଏଠାରେ ନିଜ ପ୍ରଥମ ଏକଦିବସୀୟ ଟସ୍କୁ କିନ୍ତୁ ହାରି ଯାଇଥିଲେ ସେ। ହେଲେ ଧାରା ବିପରୀତରେ ଯାଇ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। କାରଣ ବାରବାଟୀରେ ପୂର୍ବରୁ ଖେଳାଯାଇଥିବା ୧୯ ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ମାତ୍ର ୭ ଥର ଜିତିଥିଲା ବେଳେ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ୧୨ ଥର ବିଜୟୀ ହୋଇଥିଲେ। ରବିବାରର ଭାରତ-ଇଂଲଣ୍ଡ ଟକ୍କର ପୂର୍ବରୁ ବିରାଟ କୋହଲି ୨୦୧୪, ୨୦୧୭ ଓ ୨୦୧୯ରେ ଯଥାକ୍ରମେ ଶ୍ରୀଲଙ୍କା, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାରବାଟୀରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ସେଥିମଧ୍ୟରୁ ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷରେ ଟସ୍ ହାରିଥିଲା ବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଜିତିଥିଲେ।
ବରୁଣଙ୍କ ପଦାର୍ପଣ, ଦ୍ବିତୀୟ ବୟୋଜ୍ୟେଷ୍ଠ
ଶୃଙ୍ଖଳା ନିର୍ଣ୍ଣାୟକ ଥିବାରୁ ଉଭୟ ଦଳ ନିଜ ନିଜ ଦଳରେ ଏକାଧିକ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲେ। ଟସ୍ ପରେ ଯେତେବେଳେ ବିରାଟ କୋହଲି ଭାରତୀୟ ଦଳକୁ ଫେରିଛନ୍ତି ବୋଲି ଅଧିନାୟକ ରୋହିତ ଶର୍ମା ଘୋଷଣା କରିଥିଲେ, ସେତେବେଳେ ବାରବାଟୀ ଦର୍ଶକ ଖୁସିରେ ଉତ୍ଫୁଲିତ ହୋଇଯାଇଥିଲେ। କୋହଲି......କୋହଲି ରଡ଼ିରେ ଷ୍ଟାଡିୟମ୍ ପୂରା କମ୍ପି ଉଠିଥିଲା। ଭାରତ ଯଶସ୍ବୀ ଜୟସ୍ବାଲଙ୍କ ସ୍ଥାନରେ କୋହଲିଙ୍କୁ ସାମିଲ କରିଥିଲା। ସେହିଭଳି କଚଟି ସ୍ପିନର କୁଲଦୀପ ୟାଦବଙ୍କୁ ବିଶ୍ରାମ ଦେଇ ରହସ୍ୟମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା। ବାରବାଟୀରେ ପଦାର୍ପଣ କରିଥିବା ଖେଳାଳିଙ୍କ ମଧ୍ୟରେ ବରୁଣ ସାମିଲ ହୋଇଯାଇଥିଲେ। ଏହା ପୂର୍ବରୁ ବରୁଣ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୧୪ ୱିକେଟ୍ ନେଇ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫଳରେ ଶେଷ ମୁହୂର୍ତ୍ତରେ ଚୟନକର୍ତ୍ତା ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରିଥିଲେ। ୩୩ ବର୍ଷ ୧୬୪ ଦିନ ବୟସରେ ପଦାର୍ପଣ କରି ବରୁଣ ଟିମ୍ ଇଣ୍ଡିଆର ଅନ୍ୟତମ ବୟୋଜ୍ୟେଷ୍ଠ ଏକଦିବସୀୟ କ୍ରିକେଟର୍ ହୋଇଥିଲେ। ଫାରୁକ୍ ଇଞ୍ଜିନିୟର (୩୬ ବର୍ଷ ୧୩୮ ଦିନ)ଙ୍କ ପରେ ଦିନିକିଆରେ ଦ୍ବିତୀୟ ବୟୋଜ୍ୟେଷ୍ଠ ଦିନିକିଆ ପଦାର୍ପଣକାରୀ ହୋଇଥିଲେ। ବରୁଣଙ୍କ ପଦାର୍ପଣ ପରେ ଏହି ଶୃଙ୍ଖଳାରେ ପଦାର୍ପଣ କରିଥିବା ଭାରତୀୟ ଖେଳାଳିଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ହର୍ଷିତ ରାଣା ଓ ଯଶସ୍ବୀ ଜୟସ୍ବାଲ ପଦାର୍ପଣ କରିଥିଲେ। ଭାରତ ଭଳି ଇଂଲଣ୍ଡ ମଧ୍ୟ ନିଜ ଚୂଡ଼ାନ୍ତ ଏକାଦଶରେ ତିନିଟି ପରିବର୍ତ୍ତନ କରିଥିଲା। ଜୋଫ୍ରା ଆର୍ଚର, ଜ୍ୟାକବ ବେଥେଲ ଓ ବ୍ରାଇଡନ୍ କାର୍ସଙ୍କ ସ୍ଥାନରେ ମାର୍କ ଉଡ୍, ଗସ୍ ଆଟ୍କିନସନ୍, ଜାମି ଓଭରଟନଙ୍କୁ ଖେଳାଯାଇଥିଲା। ବେଥେଲ ଆହତ ଥିବାରୁ ୧୫ଜଣିଆ ଦଳରେ ଟମ୍ ବାଣ୍ଟନଙ୍କୁ ସ୍ଥାନ ମିଳିଥିଲା।
ବିରାଟଙ୍କ ବିଫଳତା ଜାରି
ଭାରତୀୟ ପାଳିର ସପ୍ତଦଶ ଓଭରରେ ଯୁବ ତାରକା ଶୁବମନ୍ ଗିଲ୍ ଆଉଟ୍ ହେବା ପରେ କିଂବଦନ୍ତି କୋହଲି ପଡ଼ିଆ ଭିତରକୁ ପଶିବା କ୍ଷଣି ବାରବାଟୀରେ ପାଖାପାଖି ୫୦,୦୦୦ ଦର୍ଶକ ତାଙ୍କୁ ବଡ଼ ପାଟି କରି ସ୍ବାଗତ କରିଥିଲେ। କୋହଲି ନିଜ ଚତୁର୍ଥ ବଲ୍କୁ ଚୌକା ମାରି ଖାତା ଖୋଲିବା ସହ ତାଙ୍କ ଜୟଗାନରେ ବାରବାଟୀ ଉଚ୍ଛୁଳି ପଡ଼ିଥିଲା। ହେଲେ ମାତ୍ର ୧ ରନ୍ ପରେ ଆଦିଲ ରସିଦଙ୍କ ବଲ୍ରେ ଇଂଲଣ୍ଡ ୱିକେଟ୍ରକ୍ଷକ ଫିଲ୍ ସଲ୍ଟ ତାଙ୍କୁ କ୍ୟାଚ୍ କରିବା ପରେ ପୂରା ଷ୍ଟାଡିୟମ୍ ସ୍ତବ୍ଧ ହୋଇଯାଇଥିଲା। ଦର୍ଶକ ଏହାକୁ ଆଦୌ ବିଶ୍ବାସ କରି ନପାରି ନଥିଲେ। ଢେର୍ ସମୟ ପର୍ଯ୍ୟନ୍ତ ଷ୍ଟାଡିୟମ୍ ଦୁଃଖରେ ନିରବ ହୋଇଯାଇଥିଲା। ଟେଲିଭିଜନ୍ ରିପ୍ଲେରୁ ସେ ଆଉଟ୍ ହୋଇଥିବା ସ୍ପଷ୍ଟ ହେବା ପରେ ହତାଶ କୋହଲି ମଧ୍ୟ ମୁହଁ ତଳକୁ କରି ପ୍ୟାଭିଲିୟନ ଫେରି ଯାଇଥିଲେ। ବଲ୍ ଆଶାଠାରୁ ଅଧିକ ଟର୍ଣ୍ଣ ହେବା ପରେ କୋହଲିଙ୍କ ବ୍ୟାଟ୍ ଧାର ଛୁଇଁ ସଲ୍ଟଙ୍କ ଗ୍ଲୋଭ୍ସକୁ ଚାଲି ଯାଇଥିଲା। ରସିଦ ନିଜ କ୍ୟାରିୟର୍ରେ ତାଙ୍କୁ ତୃତୀୟ ଥର ପାଇଁ ଶିକାର କରି ନେଇ ନିଆରା ଆନନ୍ଦ ଉତ୍ସବ ପାଳିଥିଲେ। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଆଣ୍ଠୁ ଯନ୍ତ୍ରଣା ପାଇଁ କୋହଲି ଖେଳି ନଥିଲେ। ତା ପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ସଂଘର୍ଷ କରିଥିଲେ।
ଜମିଲେ ଡକେଟ୍, ରୁଟ୍
୧୦୨ ରନ୍ର ଦଳୀୟ ସ୍କୋର୍ରେ ଡକେଟ୍ ପ୍ୟାଭିଲିୟନ ଫେରିବା ପରେ ଜୋ ରୁଟ୍ ଓ ହ୍ୟାରି ବ୍ରୁକ୍ ତୃତୀୟ ୱିକେଟ୍ରେ ଆଉ ଏକ ଉପଯୋଗୀ ଭାଗୀଦାରି ଖେଳିଥିଲେ। ଉଭୟ ୬୬ ରନ୍ ଯୋଡ଼ି ଇଂଲଣ୍ଡ ପାଳିକୁ ସଫଳତାର ସହ ଆଗେଇ ନେଇଥିଲେ। ବ୍ରୁକ୍ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ହର୍ଷିତ ରାଣା ଏକ ଅଫ୍କଟର୍ରେ ତାଙ୍କୁ ଚକ୍ମା ଦେଇଥିଲେ। ଶୁବମନ୍ ଗିଲ୍ ପଛକୁ ଦୌଡ଼ି ଲଙ୍ଗ ଅନ୍ ଅଞ୍ଚଳରେ ସୁନ୍ଦର ଭାବେ କ୍ୟାଚ୍ ପୂରଣ କରିବା ସହ ଭାରତ ଠିକଣା ସମୟରେ ବ୍ରେକ୍ ଥ୍ରୁ ପାଇଥିଲା। ଏହା ପରେ ରୁଟ୍ ଅଧିନାୟକ ଜୋସ୍ ବଟଲରଙ୍କୁ ସାଥୀ କରି ଚତୁର୍ଥ ୱିକେଟ୍ରେ ୪୧ ରନ୍ର ଆଉ ଏକ ମୂଲ୍ୟବାନ ଭାଗୀଦାରି କରିଥିଲେ। ଏହି ଯୋଡ଼ି ଆହୁରି ବିପଜ୍ଜନକ ହେବା ପୂର୍ବରୁ ବଟଲର୍ଙ୍କୁ ହାର୍ଦିକ ପାଣ୍ଡ୍ୟା ୩୪ ରନ୍ରେ ଆଉଟ୍ କରି ଭାରତୀୟ ଶିବିରକୁ ଆଶ୍ବସ୍ତ କରିଥିଲେ। ତା’ ଭିତରେ କିନ୍ତୁ ଇଂଲଣ୍ଡ ୩୫ ଓଭରରେ ୨୦୦ ରନ୍ ଛୁଇଁ ନେଇଥିଲା। ପୁଣି ରୁଟ୍ ୬୦ ବଲ୍ରୁ ୪ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୪୦ ଏବଂ ଇଂଲଣ୍ଡ ପାଳିର ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ୬୯ ରନ୍ରେ ଥିଲା ବେଳେ କିନ୍ତୁ ଜାଡ଼େଜାଙ୍କୁ ବଡ଼ ସଟ୍ ଖେଳିବା ଲୋଭରେ ଏକ୍ସଟ୍ରା କଭର ଅଞ୍ଚଳକୁ ଏକ ସହଜ କ୍ୟାଚ୍ ଦେଇଥିଲେ ରୁଟ୍। ଏହାକୁ କୋହଲି ଅନାୟସରେ କରାୟତ୍ତ କରିଥିଲେ, ଆଉ ଇଂଲଣ୍ଡ ୨୪୮ ରନ୍ରେ ପଞ୍ଚମ ୱିକେଟ୍ ହରାଇଥିଲା। ୧୦ ରନ୍ ପରେ ଜାମି ଓଭରଟନ୍ଙ୍କ ରୂପରେ ଇଂଲଣ୍ଡକୁ ଜାଡ଼େଜା ଆଉ ଏକ ଝଟ୍କା ଦେଇଥିଲେ। ଗସ୍ ଆଟକିନସନ୍ ଇଂଲଣ୍ଡ ଶେଷ ଓଭରଗୁଡ଼ିକରେ ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରି ନଥିଲା। ତଥାପି ଲିଆମ ଲିଭିଂଷ୍ଟୋନ୍ ଓ ଆଦିଲ ରସିଦଙ୍କ ବିଳମ୍ବିତ ବିସ୍ଫୋରଣ ପାଇଁ ୩୦୦ ରନ୍ ଟପି ଯାଇଥିଲା।