ଚେନ୍ନାଇକୁ ଜିତାଇଲେ ଜାଦେଜା

ଆବୁ ଧାବି: ବିନା ଅର୍ଦ୍ଧଶତକର ଉଭୟ ପାଳିରୁ ବଡ଼ ସ୍କୋର୍‌ ହୋଇଥିଲା। ମ୍ୟାଚ୍‌ର ଫଳାଫଳ ପାଇଁ ବି ଶେଷ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷ ଓଭରରୁ ୪ ରନ୍‌ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଶେଷ ବଲ୍‌ରୁ ଏକ ରନ୍‌ ସହ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଉତ୍କଣ୍ଠାପୂର୍ଣ୍ଣ ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୨ ୱିକେଟ୍‌ରେ ହରାଇ ଦେଇଥିଲା। ଅଭିଜ୍ଞ ରବୀନ୍ଦ୍ର ଜାଦେଜାଙ୍କ ଗୋଟିଏ ଓଭର ଆକ୍ରମଣ ସବୁ ଓଲଟ ପାଲଟ କରି ଦେଇଥିଲା। ଏହି ବିଜୟ ସହ ଚେନ୍ନାଇ ମଧ୍ୟ ୧୦ରୁ ୮ ବିଜୟ ସହ ଶୀର୍ଷକୁ ଉଠିଛି ଏବଂ ପ୍ଲେ ଅଫ୍‌ ଦ୍ବାରରେ ପହଞ୍ଚିଯାଇଛି। କୋଲ୍‌କାତା ନାଇଟ୍ ରାଇଡର୍ସ ଦଶମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ସହ ୮ ପଏଣ୍ଟରେ ସୀମିତ ରହିଛି। ଷଷ୍ଠ ଥର ପାଇଁ ଶେଷ ବଲ୍‌ରେ ହାରିଲା କୋଲକାତା। ଚେନ୍ନାଇ ସପ୍ତମ ଥର ପାଇଁ ଶେଷ ବଲ୍‌ରେ ବିଜୟ ପାଇଥିଲା। ଉଭୟ କୀର୍ତ୍ତିମାନ ପୂର୍ବରୁ ମୁମ୍ବାଇ ନାମରେ ଥିଲା।

ରବିବାରର ଏହି ଦିବାଲୋକ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବ୍ୟାଟିଂ କରିଥିଲା। ଶୁବମନ ଗିଲ୍ ଏବଂ ଭେଙ୍କଟେଶ ଆୟରଙ୍କଠାରୁ ଏଥର ଭଲ ଭାଗୀଦାରି ମିଳିନଥିଲା। ଗିଲ୍‌ଙ୍କ ରନ୍‌ ଆଉଟ୍ ପରେ ଆୟରଙ୍କୁ ଠାକୁର କଟ୍ ବିହାଇଣ୍ଡ୍‌ କରାଇ ଦେଇଥିଲେ। ଅଧିନାୟକ ଇଅନ ମୋର୍ଗାନ୍‌ ମଧ୍ୟ ବିଫଳ ହୋଇଥିଲେ। ରାହୁଲ ତ୍ରିପାଠୀ (୪୫, ୩୩ ବଲ୍‌) ଏବଂ ନୀତିଶ ରାଣା (୩୭*, ୨୭ ବଲ୍)ଙ୍କ ବ୍ୟାଟିଂ ଦଳର ପାଳିକୁ ସଜାଡ଼ିଥିଲା। ଆନ୍ଦ୍ରେ ରସେଲ (୨୦, ୧୫ ବଲ୍‌) ଏବଂ ଦୀନେଶ କାର୍ତ୍ତିକ (୨୬, ୧୧ ବଲ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ କେକେଆର୍‌ ୧୭୧ ରନ୍‌ କରିଥିଲା। ଚେନ୍ନାଇ ପକ୍ଷରୁ ଶାର୍ଦୁଳ ଠାକୁର (୨/୨୦), ଜୋସ ହାଜେଲଉଡ୍ (୨/୪୦) ଏବଂ ରବୀନ୍ଦ୍ର ଜାଦେଜା (୧/୨୧) ବଢ଼ିଆ ବୋଲିଂ କରିଥିଲେ।

ଜବାବରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ପ୍ରଥମ ୩ ଜଣ ଋତୁରାଜ ଗାଏକ୍ବାଡ (୪୦, ୨୮ ବଲ୍), ଫାପ୍ ଡୁ ପ୍ଲେସିସ୍‌ (୪୩, ୩୦ ବଲ୍‌) ଏବଂ ମୋଇନ୍ ଅଲୀ (୩୨, ୨୮ ବଲ୍‌) ଦୃଢ଼ ମୂଳଦୁଆ ପକାଇଥିଲେ। ଦଳ ବିଜୟ ପଥରେ ରହିଥିଲା। ମଧ୍ୟକ୍ରମରେ ଅମ୍ବାତି ରାୟୁଡୁ (୧୦), ସୁରେଶ ରାଇନା (୧୧), ମହେନ୍ଦ୍ର ସିଂହ ଧୋନି (୧)ଙ୍କ ବିଫଳତା ଚିନ୍ତା ବଢ଼ାଇଥିଲା। ତେବେ ୧୯ତମ ଓଭରରେ ପ୍ରସିଦ୍ଧ କୃଷ୍ଣଙ୍କଠାରୁ ରବୀନ୍ଦ୍ର ଜାଦେଜା ୨୨ ରନ୍ (୧,୧,୬,୬,୪,୪) ଆଦାୟ କରିବା ଦଳର ଚିନ୍ତା କମାଇଥିଲା। ତଥାପି ଶେଷ ଓଭର ନେଇ ଆସିଥିବା ରହସ୍ୟମୟ ବୋଲର ସୁନିଲ ନାରାୟଣ ୪ ରନ୍‌ ବ୍ୟୟ କରିବାକୁ ଶେଷ ବଲ୍‌ ପର୍ଯ୍ୟନ୍ତ ବୋଲିଂ କରିଥିଲେ। ରବୀନ୍ଦ୍ର ଜା‌ଦେଜାଙ୍କ ୱିକେଟ୍‌ ନେଇଥିଲେ ମଧ୍ୟ ଦୀପକ ଚହର ଶେଷ ବଲ୍‌ରୁ ସିଙ୍ଗଲ୍‌ ରନ୍‌ (ମିଡ୍‌ୱିକେଟ୍‌ ଅଞ୍ଚଳରୁ) ସଂଗ୍ରହ କରି ବିଜୟ ଶେଷ କରିଥିଲେ। ରବୀନ୍ଦ୍ର ଜାଦେଜା ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କୋଲ୍‌କାତାର ଦୁଇ ବୋଲର ସୁନିଲ ନାରାୟଣ (୪ ଓଭରରେ ୪୧) ଏବଂ ପ୍ରସିଦ୍ଧ କୃଷ୍ଣ (୪ ଓଭରରେ ୪୦)ଙ୍କ ସ୍ପେଲ୍‌ରେ ବିପରିତ ଗତି ଦେଖିବାକୁ ମିଳିଥିଲା। ନାରାୟଣ ପ୍ରଥମ ୩ ଓଭରରେ ୩୭ ରନ୍ ଦେଇଥିଲେ ମଧ୍ୟ ଶେଷ ଓଭରରେ ୪ ରନ୍ ବ୍ୟୟ କରିଥିଲେ। ପ୍ରସିଦ୍ଧ କିନ୍ତୁ ପ୍ରଥମ ୩ ଓଭରରେ ୧୮ ରନ୍ ଦେଇ ଶେଷ ଓଭରରେ ୨୨ ରନ୍ ଦେଇଥିଲେ।

ସମ୍ବନ୍ଧିତ ଖବର