ହର୍ଷଲ ଭୁଲି ପାରୁ ନାହାନ୍ତି ଜାଦେଜାଙ୍କ ଛକା ମାଡ଼

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ଚଳିତ ଆଇପିଏଲ୍‌ରେ ସର୍ବାଧିକ ୧୩ ୱିକେଟ୍ ନେଇଛନ୍ତି। ସେଥିପାଇଁ ନାରଙ୍ଗୀ ଟୋପିକୁ ନିଜ ପାଖରେ ରଖିଛନ୍ତି। ତେବେ ରବିବାରର ଆର୍‌ସିବି-ସିଏସ୍‌କେ ମ୍ୟାଚ୍‌ରେ ନିଜ ପ୍ରଥମ ୩ ଓଭରରେ ମାତ୍ର ୧୪ ରନ୍ ଦେଇ ୩ ୱିକେଟ୍ ନେଇଥିବା ହର୍ଷଲଙ୍କ ଚତୁର୍ଥ ଓଭରରେ ରବୀନ୍ଦ୍ର ଜାଦେଜା ଅବିଶ୍ବସନୀୟ ଭାବେ ୩୭ ରନ୍ ଅମଳ କରିଥିଲେ। ଯାହା ଆଇପିଏଲ୍‌ ଇତିହାସର ଯୁଗ୍ମ ମହଙ୍ଗା ଓଭର ଥିଲା। ହର୍ଷଲଙ୍କ ସେହି ଓଭରରେ ଜାଦେଜାଙ୍କ ରନ୍ ସଂଗ୍ରହ ଧାରା ଥିଲା ୬, ୬, ୭ (ନୋ ବଲ୍), ୬, ୨, ୬, ୪। ଜାଦେଜାଙ୍କ ସେହି ଛକା ବର୍ଷାକୁ ହର୍ଷଲ ଆଦୌ ଭୁଲି ପାରୁ ନାହାନ୍ତି। ରବିବାରର ସେହି ରନ୍ ମାଡ଼ ତାଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଛି। ହେଲେ ଆଇପିଏଲ୍‌ର କୌଣସି ଏକ ଓଭରରେ ୩୦ରୁ ଅଧିକ ରନ୍ ସଂଗ୍ରହ ହେବାର ଏହା ପ୍ରଥମ ଘଟଣା ନଥିଲା।

ଜାଦେଜାଙ୍କ ପୂର୍ବରୁ କ୍ରିସ୍ ଗେଲ୍, ସୁରେଶ ରାଇନା ଜଣେ ବୋଲରଙ୍କ ଗୋଟିଏ ଓଭରରୁ ୩୦ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି। ଗୋଟିଏ ଓଭରରୁ ଠିକ୍ ୩୦ ରନ୍ ସଂଗ୍ରହ ହେବା ଭଳି ଘଟଣା ଆଇପିଏଲ୍ ଇତିହାସରେ ୬ ଥର ଘଟିଛି। ଏଭଳି ସଫଳତା ପାଇଥିବା ଖେଳାଳିମାନେ ହେଲେ ବୀରେନ୍ଦ୍ର ସେହବାଗ (ଦିଲ୍ଲୀ ବନାମ ଡେକାନ, ୨୦୦୮), ସନ୍ ମାର୍ସ (ପଞ୍ଜାବ ବନାମ ଆର୍‌ସିବି, ୨୦୧୧), କ୍ରିସ୍ ଗେଲ୍ (ଆର୍‌ସିବି ବନାମ ପୁଣେ, ୨୦୧୨), ବିରାଟ କୋହଲି (ଆର୍‌ସିବି ବନାମ ଗୁଜରାଟ, ୨୦୧୬), ରାହୁଲ ତିୱାତିଆ (ରାଜସ୍ଥାନ ବନାମ ପଞ୍ଜାବ, ୨୦୨୦), ପ୍ୟାଟ୍ କମିନ୍ସ (କେକେଆର୍‌ ବନାମ ସିଏସ୍‌କେ, ୨୦୨୧)।

 ରବୀନ୍ଦ୍ର ଜାଦେଜା ଚେନ୍ନାଇ ପାଳିର ଶେଷ ଓଭରରେ ପାଞ୍ଚଟି ଛକା‌ ମାରିଥିଲେ। ଆଇପିଏଲ୍ ଇତିହାସର ଏହା ତୃତୀୟ ଘଟଣା ଥିଲା। ଏହା ପୂର୍ବରୁ ୨୦୧୨ ଏପ୍ରିଲ ୧୭ରେ ଆର୍‌ସିବିର କ୍ରିସ୍ ଗେଲ୍ ପୁଣେର ରାହୁଲ ଶର୍ମାଙ୍କୁ ଏବଂ ୨୦୨୦, ସେପ୍ଟେମ୍ବର ୨୭ରେ ରାଜସ୍ଥାନର ରାହୁଲ ତିୱାତିଆ ପଞ୍ଜାବର ସେଲଡନ୍ କର୍ଟେଲଙ୍କ ଗୋଟିଏ ଓଭରରେ ୫ ଛକା ମାରିଥିଲେ।
 ଅର୍ଦ୍ଧଶତକ ଅର୍ଜନ କରିବା ସହ ୩ ୱିକେଟ୍ ନେବାରେ ଚେନ୍ନାଇ ସୁପରକିଙ୍ଗ୍ସର ଜାଦେଜା ପ୍ରଥମ ଓ ଏକମାତ୍ର ଅଲରାଉଣ୍ଡର ହୋଇଥିଲେ। ଏହି କ୍ରମରେ ସେ ଯୁବରାଜ ସିଂହ (୩ ଥର), ସେନ୍ ୱାଟସନ୍ (୨ ଥର), ୟୁସୁଫ ପଠାନ, ପଲ୍ ଭାଲଥାଟି, କ୍ରିସ୍ ଗେଲ୍, କିରଣ ପୋଲାର୍ଡ, ଜେପି ଡୁମିନି, ମାର୍କସ ଷ୍ଟୋଇନିସ୍ ଓ ହାର୍ଦିକ ପାଣ୍ଡ୍ୟା (ଥରେ ଲେଖାଏଁ)ଙ୍କ କ୍ଲବ୍‌ରେ ଯୋଗ ଦେଇଥିଲେ।
 ଚଳିତ ଆଇପିଏଲ୍‌ରେ ୧୦୦ରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଜାଦେଜାଙ୍କ ଷ୍ଟ୍ରାଇକ୍ ରେଟ୍ (୧୯୨.୪୫) ସର୍ବାଧିକ ରହିଛି।
 ଆର୍‌ସିବି ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗ୍ସ ରନ୍ ବ୍ୟବଧାନରେ ଦ୍ବିତୀୟ ସର୍ବବୃହତ୍ ବିଜୟ (୬୯) ହାସଲ କଲା। ୨୦୦୯ରେ ପୋର୍ଟ ଏଲିଜାବେଥ୍‌ଠାରେ ଚେନ୍ନାଇ ସର୍ବାଧିକ ୯୨ ରନ୍‌ରେ ଆର୍‌ସିବିକୁ ହରାଇଥିଲା।

ସମ୍ବନ୍ଧିତ ଖବର