ଜାଦେଜାଙ୍କ ଅନୁପସ୍ଥିତି ଭାରତ ପାଇଁ ଶକ୍ତ ଧକ୍କା: ଜୟବର୍ଦ୍ଧନେ

କଲମ୍ବୋ: ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି ଭାରତ ପାଇଁ ଏକ ଶକ୍ତ ଧକ୍କା। ତଥାପି ବିରାଟ କୋହଲି ଓ ଯଶପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ଭାରତ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅନ୍ୟତମ ଦାବିଦାର। ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ। ୩୩ ବର୍ଷୀୟ ଜାଦେଜା ୟୁଏଇରେ ଆୟୋଜିତ ଏସିଆ କପ୍‌ ଅବସରରେ ଆହତ ହୋଇଥିଲେ। ଫଳରେ ମାତ୍ର ଦୁଇଟି ମ୍ୟାଚ୍ ପରେ ଏହି ପ୍ରତିଯୋଗିତା ଖେଳିପାରି ନଥିଲେ। ଆଣ୍ଠୁ ଅସ୍ତ୍ରୋପଚାର ହେବାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବି ବାଦ୍‌ ପଡ଼ିଥିଲେ। ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି ଜୟବର୍ଦ୍ଧନେ କହିଛନ୍ତି ଯେ ଭାରତ ପାଇଁ ନିଶ୍ଚିତ ଭାବେ ଏହା ଏକ ବଡ଼ ଆହ୍ବାନ। ୫ ନମ୍ବରରେ ଜାଦେଜା ବହୁତ ଭଲ ଖେଳୁଥିଲେ। ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଉପସ୍ଥିତି ଯୋଗୁଁ ଭାରତ ପାଇଁ ଶ୍ରେଷ୍ଠ ୬ ମଧ୍ୟରେ ଦୁଇ ଜଣ ଅଲରାଉଣ୍ଡର୍‌ ଉପଲବ୍ଧ ହେଉଥିଲେ। ଭାରତର ବ୍ୟାଟିଂକ୍ରମରେ ମଧ୍ୟ ନମନିୟତା ଓ ସନ୍ତୁଳନ ରହିଥିଲା। ଜାଦେଜା ବାଦ୍ ପଡ଼ିବା ପରେ ଭାରତ ପାଖରେ ବାମହାତୀ ବିକଳ୍ପର ଅଭାବ ରହିବ। ସେଥିପାଇଁ ସେମାନେ ଦୀନେଶ କାର୍ତ୍ତିକଙ୍କୁ ବାଦ୍ ଦେଇ ଋଷଭ ପନ୍ତଙ୍କୁ ଖେଳାଉଛନ୍ତି। ବିଶ୍ବକପ୍ ପୂର୍ବରୁ କିନ୍ତୁ ଭାରତକୁ ଜାଦେଜାଙ୍କ ବିକଳ୍ପ ଖୋଜି ବାହାର କରିବାକୁ ହେବ। ଅବଶ୍ୟ କୋହଲି ଦୀର୍ଘ ୧୦୨୦ ଦିନ ପରେ ଶତକ ଅର୍ଜନ କରିବା ପରେ ଭାରତୀୟ ଦଳର ମନୋବଳ ନିଶ୍ଚିତ ବଢ଼ିଥିବ।

ସମ୍ବନ୍ଧିତ ଖବର