ନୂଆଦିଲ୍ଲୀ: ଓପନର୍ ଯଶସ୍ବୀ ଜୟସ୍ବାଲଙ୍କ ପରେ ନୂଆ ଅଧିନାୟକ ଶୁବମନ୍ ଗିଲ୍ଙ୍କ ଶତକୀୟ ପାଳି ବଳରେ ନୂଆଦିଲ୍ଲୀ ଟେଷ୍ଟ୍ରେ ଭାରତ ୫୧୮/୫ରେ ଜଲ୍ଦି ପାଳି ଘୋଷଣା କରିଦେଇଛି। ତା’ ସହିତ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ସୁଦ୍ଧା ୧୪୦ ରନ୍ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ର ୪ ୱିକେଟ୍ ନେଇ ପୂରା ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍ ଏକପ୍ରକାର ଭାରତ ନିୟନ୍ତ୍ରଣରେ ଥିିଲେ ମଧ୍ୟ ଅପରାଜିତ ଓପନର୍ ଯଶସ୍ବୀ ଜୟସ୍ବାଲ ଶନିବାର ଖେଳ ଆରମ୍ଭ ହେବାର ଦ୍ବିତୀୟ ଓଭରରେ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇ ଦ୍ବିଶତକରୁ ବଞ୍ଚିତ ହେବା ପ୍ରଶଂସକଙ୍କୁ କିଛିଟା ନିରାଶ କରିଛି। ଅନ୍ୟପକ୍ଷରେ ହାତରେ ୬ ୱିକେଟ୍ ଥାଇ ଇଣ୍ଡିଜ୍ ଏବେ ୩୭୮ ରନ୍ର ପଛରେ ରହିବାର କଠିନ ପରିସ୍ଥିତିରେ ପଡ଼ିଛି। ଶୃଙ୍ଖଳାର ପ୍ରଥମ ଅର୍ଦ୍ଧଶତକୀୟ ଭାଗୀଦାରି କରିବାର ସାନ୍ତ୍ବନା ପାଇଥିଲେ ମଧ୍ୟ ଭଲ ଆରମ୍ଭକୁ ପୁଣି ଥରେ ଏହି ଦଳର ଶୀର୍ଷକ୍ରମ ବ୍ୟାଟର୍ ବେକାର ଯିବାକୁ ଦେଇଛନ୍ତି। ଓପନର୍ ଜନ୍ କ୍ୟାମ୍ପବେଲ୍ ୧୦ ରନ୍ଆଗକୁ ବଢ଼ି ନପାରିବା ଏବଂ ଅଧିନାୟକ ରସ୍ତନ୍ ଚେଜ୍ ଖାତା ଖୋଲିବା ପୂର୍ବରୁ ନିଜ ୱିକେଟ୍ ଫିଙ୍ଗିଦେବା ଇଣ୍ଡିଜ୍କୁ ପୁଣି ଥରେ ଅଡ଼ୁଆରେ ପକାଇଛି। ଆଜିର ଖେଳ ବନ୍ଦ ବେଳକୁ ସାଇ ହୋପ୍ ୩୧* ଏବଂ ୱିକେଟ୍ରକ୍ଷକ ତେଭିନ୍ ଇମ୍ଲାକ ୧୪* ରନ୍ କରି ଅପରାଜିତ ଅଛନ୍ତି। ଇଣ୍ଡିଜ୍ର ପତନ ହୋଇଥିବା ୪ରୁ ୩ଟି ୱିକେଟ୍ ନେଇ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ପୁଣି ଥରେ ନିଜ ସ୍ପିନ୍ ଯାଦୁ ଦେଖାଇଛନ୍ତି।
ଜୟସ୍ବାଲ ଦ୍ବିଶତକରୁ ବଞ୍ଚିତ
ପ୍ରଥମ ଦିନରେ ପ୍ରଭାବୀ କ୍ରିକେଟ୍ ଖେଳିଥିବା ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଦ୍ବିଶତକଠାରୁ ମାତ୍ର ୨୭ ରନ୍ ଦୂରରେ ଥିବାରୁ ଶନିବାର ସେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଥିଲା। ହେଲେ ତାଙ୍କର ଏହି ଆଶା ମାତ୍ର ୭ଟି ବଲ୍ ପରେ ହିଁ ମଉଳି ଯାଇଥିଲା। ଗିଲ୍ଙ୍କ ସହ ହୋଇଥିବା ମସ୍ତବଡ଼ ଭୁଲ୍ ବୁଝାମଣା ପାଇଁ ବ୍ୟକ୍ତିଗତ ସ୍କୋର୍ରେ ମାତ୍ର ୨ ରନ୍ ଯୋଡ଼ି ରନ୍ଆଉଟ୍ ହୋଇଯାଇଥିଲେ ସେ। ଏକଥା ଜୟସ୍ବାଲଙ୍କୁ ଏତେ ବାଧିଥିଲା ଯେ କ୍ରିଜ୍ ଉପରେ ଥାଇ ହିଁ ଗିଲ୍ଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିବା ଦର୍ଶାଇଥିଲେ। ସଅଳ ବଡ଼ ମାଛକୁ ଶିକାର କରିଥିବା ୱେଷ୍ଟଇଣ୍ଡିଜ୍ ଏଥିରୁ କିନ୍ତୁ ବିଶେଷ ଫାଇଦା ଉଠାଇ ପାରି ନଥିଲା। ନୀତୀଶ କୁମାର ରେଡ୍ଡୀଙ୍କ ସହ ମିଶି ଗିଲ୍ ଚତୁର୍ଥ ୱିକେଟ୍ରେ ୯୧ ରନ୍ ଯୋଡ଼ିବା ସହ ଅଧିନାୟକ ଭାବେ ନିଜ ସପ୍ତମ ଟେଷ୍ଟ୍ରୁ ପଞ୍ଚମ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ଦ୍ରୁତ ଓ ଦମ୍ଦାର ବ୍ୟାଟିଂ କରୁଥିବା ନୀତୀଶ ସେପଟେ ଅର୍ଦ୍ଧଶତକର ୭ ରନ୍ ପୂର୍ବରୁ ପ୍ୟାଭିଲିୟନ ଫେରିଯାଇଥିଲେ। ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ ଏହା ପରେ ଗିଲ୍ଙ୍କ ସାଥୀ ହୋଇଥିଲେ। ତ୍ରୁଟିହୀନ ପାଳିଖେଳୁଥିବା ଗିଲ୍ ଅପୂର୍ବ ଏକାଗ୍ରତା ଏବଂ ଆକ୍ରମଣର ପରିଚୟ ଦେଇ ୧୭୭ ବଲ୍ରୁ ଚଳିତ ବର୍ଷର ପଞ୍ଚମ ଏବଂ ମୋଟଉପରେ ଦଶମ ଶତକ ପୂରଣ କରି ନେଇଥିଲେ। ଜୁରେଲ ମଧ୍ୟ ଅର୍ଦ୍ଧଶତକ ଆଡ଼କୁ ଆତ୍ମବିଶ୍ବାସର ସହ ମାଡ଼ି ଚାଲିଥିଲେ। ଡ୍ରିଙ୍କ୍ସର ଗୋଟିଏ ଓଭର ପୂର୍ବରୁ ଚେଜ୍ ତାଙ୍କୁ ବୋଲ୍ଡ କରିବା ପରେ ପରେ ଗିଲ୍ ପାଳି ଘୋଷଣା ସଙ୍କେତ ଦେଇଥିଲେ। ଭାରତର ପାଳି ଘୋଷଣା ପରେ ଇଣ୍ଡିଜ୍ ୨୧ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। କ୍ୟାମ୍ପବେଲ୍ଙ୍କୁ ଆଉଟ୍ କରି ଜାଡ଼େଜା ଭାରତକୁ ପ୍ରଥମ ୱିକେଟ୍ ଉପହାର ଦେବା ପରେ ଆଉ ଦୁଇଟି ୱିକେଟ୍ କରାୟତ୍ତ କରି ଇଣ୍ଡିଜ୍କୁ ଘାଇଲା କରିଥିଲେ। ସର୍ବୋଚ୍ଚ ସ୍କୋରର୍ଆଲିକ୍ ଆଥନେଜ୍ଙ୍କୁ କୁଲଦୀପ ଶିକାର କରି ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୩୪.୨ ଓଭରରେ ୫୧୮/୫, ଘୋଷଣା (ଯଶ୍ବସୀ ଜୟସ୍ବାଲ-୧୭୫, ଶୁବମନ୍ ଗିଲ୍-୧୨୯*, ସାଇ ସୁଦର୍ଶନ-୮୭, ଧ୍ରୁବ ଜୁରେଲ-୪୪, ନୀତୀଶ କୁମାର ରେଡ୍ଡୀ-୪୩, ଜୋମେଲ ୱାରିକାନ୍-୩/୯୮)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୪୩ ଓଭରରେ ୧୪୦/୪ (ଆଲିକ୍ ଆଥନେଜ୍୪୧, ତେଜନାରାୟଣ ଚନ୍ଦରପଲ୍-୩୪, ସାଇ ହୋପ୍-୩୧*, ରବୀନ୍ଦ୍ର ଜାଡ଼େଜା ୩/୩୭, କୁଲଦୀପ ଯାଦବ-୧/୪୫)।
କୋହଲିଙ୍କ ସହ ସମକକ୍ଷ ହେଲେ ଗିଲ୍
ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ଅଧିନାୟକ ଭାବେ ସର୍ବାଧିକ ଶତକ ଅର୍ଜନ କରିବାରେ ଶୁବମନ୍ ଗିଲ୍ ପୂର୍ବତନ ଅଧିନାୟକ ତଥା କିଂବଦନ୍ତି କ୍ରିକେଟର୍ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। କୋହଲି ଅଧିନାୟକ ଭାବେ ୨୦୧୭ ଓ ୨୦୧୮ରେ ଲଗାତାର ଦୁଇବର୍ଷ ପାଇଁ ୫ଟି ଲେଖାଏଁ ଶତକ ଅର୍ଜନ କରିଥିଲେ। ଗିଲ୍ ମଧ୍ୟ ଚଳିତ ବର୍ଷ ଅଧିନାୟକ ଭାବେ ସମାନ ୫ଟି ଶତକ ହାସଲ କରିଛନ୍ତି। ତେବେ ଅଧିନାୟକ ଜୀବନ ଆରମ୍ଭ କରିବାର ପ୍ରଥମ ବର୍ଷରେ ସର୍ବାଧିକ ଶତକ ଅର୍ଜନ କରିବାର ରେକର୍ଡ ୨୬ ବର୍ଷୀୟ ଗିଲ୍ ନିଜ ନାଁରେ କରି ନେଇଛନ୍ତି। ଅଧିନାୟକ ଭାବେ ୫ଟି ଶତକ ଅର୍ଜନ କରିବାରେ ଗିଲ୍ ୧୨ଟି ପାଳି ନେଇଛନ୍ତି। କେବଳ ଇଂଲଣ୍ଡର ଆଲେଷ୍ଟର୍ କୁକ୍ (୯ ପାଳି) ଏବଂ ଲିଟିଲ ମାଷ୍ଟର୍ ସୁନୀଲ ଗାଭାସ୍କର (୧୦) ତାଙ୍କଠାରୁ କମ୍ ପାଳି ନେଇ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ମ୍ୟାଚ୍ ଅନୁସାରେ ଗିଲ୍, ଅଷ୍ଟ୍ରେଲିଆର ମହାନ କ୍ରିକେଟର୍ ଡନ୍ ବ୍ରାଡମ୍ୟାନ୍ଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଅଧିନାୟକ ଭାବେ ୭ଟି ଲେଖାଏଁ ମ୍ୟାଚ୍ ଖେଳି ପ୍ରଥମ ୫ଟି ଶତକ ଅର୍ଜନ କରିଛନ୍ତି। କୁକ୍ ୫ ଏବଂ ଗାଭାସ୍କର୍ ୬ଟି ମ୍ୟାଚ୍ ଖେଳି ଏହି ରେକର୍ଡ ଛୁଇଁଥିଲେ। ଦ୍ବିଶତକରୁ ବଞ୍ଚିତ ହୋଇଥିବା ଯଶସ୍ବୀ ଜୟସ୍ବାଲ୍ ୨୪ ବର୍ଷ ପୂରିବା ପୂର୍ବରୁ ୫ଟି ୧୫୦ରୁ ଅଧିକ ସ୍କୋର୍ କରି କେବଳ ବ୍ରାଡମ୍ୟାନ୍ (୮)ଙ୍କ ପଛକୁ ରହିଛନ୍ତି।