ଜାଦେଜାଙ୍କ କୀର୍ତ୍ତିମାନଭରା ଶତକ: ଭାରତ ପ୍ରଥମ ପାଳି ୫୭୪/୮ରେ ଘୋଷିତ: ଶ୍ରୀଲଙ୍କା ୧୦୮/୪

କପିଳଙ୍କ ୩୫ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଲେ ଜାଦେଜା

ମୋହାଲି: ଦୁଇ ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଅପରାଜିତ ଶତକ ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ବହୁମୂଲ୍ୟ ଅର୍ଦ୍ଧଶତକ ବଳରେ ଏଠାରେ ଚାଲିଥିବା‌ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ଜା‌ଦେଜା ୧୭୫ ରନ୍‌ରେ ଅପରାଜିତ ରହିଥିଲା ବେଳେ ଅଶ୍ବିନ୍‌ ୬୧ ରନ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଆଉଟ୍‌ ହେବା ପୂର୍ବରୁ ସେ ଜାଦେଜାଙ୍କ ସହ ସପ୍ତମ ୱିକେଟ୍‌ରେ ୧୩୦ ରନ୍ ଯୋଡ଼ି ଭାରତୀୟ କୀର୍ତ୍ତି ବହନ କରିଥିଲେ। ସନ୍ତମ ୱିକେଟ୍‌ରେ ୧୩୦ ରନ୍‌ ଭାରତ ପାଇଁ ସର୍ବୋଚ୍ଚ ଭାଗୀଦାରି ରହିଥିଲା। ତେବେ ଚା’ପାନ ବିରତି ପୂର୍ବରୁ ହିଁ ଭାରତ ୫୭୪/୮ରେ ପାଳି ଘୋଷଣା କରିଦେଇଥିଲା। ଶୁକ୍ରବାର ଅସମାପ୍ତ ପାଳି ୩୫୭/୬ରୁ ଖେଳିଥିବା ଭାରତ ଶନିବାର ଆଉ ୪୪.୨ ଓଭରରେ ୨୧୭ ରନ୍ ଯୋଡ଼ିଥିଲା। ସେଥିରେ ୨ ୱିକେଟ୍‌ ହରାଇଥିଲା। ଅଶ୍ବିନ୍‌ଙ୍କ ପରେ ଜୟନ୍ତ ଯାଦବ ଆଉଟ୍‌ ହୋଇଯାଇଥିଲା ବେଳେ ମହମ୍ମଦ ସାମିଙ୍କୁ ସାଥୀ କରି ଜାଦେଜା ଆଉ ଏକ ଶତକୀୟ ଭାଗିଦାରି ଗଢ଼ିଥିଲେ। ଦୁହେଁ ଅତୁଟ ଅଷ୍ଟମ ୱିକେଟ୍‌ରେ ୧୦୩ ରନ୍ ଯୋଡ଼ିଥିଲେ। ସେଥିରେ ସାମିଙ୍କ ଅବଦାନ ୨୦* ରହିଥିଲା। ଫଳରେ ଉଭୟଙ୍କ ୧୦୩ ରନ୍‌ ଭାଗୀଦାରିରେ କେବଳ ଜାଦେଜା ହିଁ ୮୦ ପ୍ରତିଶତ ସ୍କୋର୍‌ କରିଥିଲେ। ଜବାବରେ ଶ୍ରୀଲଙ୍କା ପ୍ରଥମ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ୧୦୮ ରନ୍‌ରେ ୪ ୱିକେଟ୍‌ ହରାଇସାରିଛି। ଅଶ୍ବିନ୍‌ ୨ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ୱିକେଟ୍‌ ପାଇଛନ୍ତି।

ଜାଦେଜା ଓ ଅଶ୍ବିନ୍‌ଙ୍କ କମାଲ
ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଭାରତର ପ୍ରଥମ ପାଳି ବଡ଼ ସ୍କୋର୍‌ରେ ମହତ୍ବପୂର୍ଣ୍ଣ ଅବଦାନ ଛାଡ଼ିଥିଲେ। ଦୁହେଁ ସିଂହଳୀ ବୋଲରଙ୍କୁ ନିରାଶ କରି ସପ୍ତମ ୱିକେଟ୍‌ରେ ୧୩୦ ରନ୍ ଯୋଡ଼ିଥିଲେ। ଆହତ ଯୋଗୁଁ ଚଳିତ ଋତୁରେ ୪ ‌ଟେଷ୍ଟ୍‌ରୁ ବଞ୍ଚିତ ରହିଥିବା ଜାଦେଜାଙ୍କ ପ୍ରତ୍ୟାବର୍ତନ ଚମତ୍କାର ରହିଛି। ତାଙ୍କ ୨୨୮ ବଲ୍‌ର ଅପରାଜିତ ଶତକୀୟ ପାଳି ମଧ୍ୟରେ ୧୭ ଚୌକା ଓ ୩ ଛକା ସାମିଲ ଥିଲା। ସେ ନିଜର ଦ୍ବିତୀୟ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ଏହା ମଧ୍ୟ ଜାଦେଜାଙ୍କ କ୍ୟାରିୟର ଶ୍ରେଷ୍ଠ ସ୍କୋର୍‌ ଥିଲା। ସେହିପରି ତାଙ୍କ ବୋଲିଂ ସାଥୀ ଅଶ୍ବିନ୍‌ ୮୨ ବଲ୍‌ରୁ ୮ ଚୌକା ସହାୟତାରେ ୬୧ ରନ୍‌ କରିଥିଲେ। ଉପମହାଦେଶରେ ଚମତ୍କାର ବ୍ୟାଟିଂ ରେକର୍ଡ ରଖିଥିବା ଅଶ୍ବିନ୍‌ଙ୍କର ଏହା ଟେଷ୍ଟ୍‌ରେ ଦ୍ବାଦଶ ଅର୍ଦ୍ଧଶତକ ଥିଲା। ଅଶ୍ବିନ୍‌ ଆଉଟ୍‌ ହେବା ପୂର୍ବରୁ ଜାଦେଜାଙ୍କ ସହ ମିଶି ଦଳୀୟ ସ୍କୋର୍‌କୁ ୪୬୨ରେ ପହଞ୍ଚାଇ ଦେଇଥିଲେ। ଜାଦେଜା ମଧ୍ୟ ଭାରତ ପ୍ରଥମ ପାଳି‌ରେ ତିନିଟି ଶତକୀୟ ଭାଗିଦାରିର ସଦସ୍ୟ ରହିଥିଲେ। ପ୍ରଥମେ ସେ ଋଷଭ ପନ୍ତ, ପରେ ଅଶ୍ବିନ୍‌ ଏବଂ ଶେଷରେ ସାମିଙ୍କ ସହ ଶତକୀୟ ଭାଗିଦାରୀ ଗଢ଼ି ଭାରତକୁ ବଡ଼ ସ୍କୋର୍‌ ଭେଟି ଦେଇଥିଲେ।

କୋହଲିଙ୍କୁ ଗାର୍ଡ ଅଫ୍‌ ଅନର
ମୋହାଲିରେ ଶତକୀୟ ଟେଷ୍ଟ୍‌ ଖେଳୁଥିବା ପୂର୍ବ ଅଧିନାୟକ ବିରାଟ କୋହଲିଙ୍କୁ ଶନିବାର ରୋହିତ ଶର୍ମାଙ୍କ ‌ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ଗାର୍ଡ ଅଫ୍‌ ଅନର୍‌ ସମ୍ମାନ ଜଣାଇଥିଲା। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ଭାରତ ପ୍ରଥମ ପାଳି ଘୋଷଣା କରିବା ପରେ କ୍ଷେତ୍ରରକ୍ଷଣ ପାଇଁ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେତିକିବେଳେ ପୂରା ଦଳର ଖେଳାଳିମାନେ ଦୁଇ ପଟରେ ଧାଡ଼ି ବାନ୍ଧି ଛିଡ଼ା ହୋଇ କୋହଲିଙ୍କୁ କରତାଳି ସହ ସମ୍ମାନ ଜଣାଇଥିଲେ। କୋହଲି ଏହି ସ୍ମରଣୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୪୫ ରନ୍‌ କରିଥିଲେ।

କପିଳଙ୍କ ୩୫ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଲେ ଜାଦେଜା
ରବୀନ୍ଦ୍ର ଜାଦେଜା ଶନିବାର ଭା‌ରତ ପ୍ରଥମ ପାଳିର ବଡ଼ ସ୍କୋର୍‌ରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିଲେ। ସେ ୧୭୫ ରନ୍‌ରେ ଅପରାଜିତ ରହିଥିଲା ବେଳେ ୩୫ ବର୍ଷ ତଳେ କପିଳ ଦେବଙ୍କ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ଏଥି ସହିତ ଏହି ବାମହାତୀ ବ୍ୟାଟର୍‌ ମଧ୍ୟ ଭାରତର ପ୍ରମୁଖ ଟେଷ୍ଟ୍‌ ଅଲ୍‌ରାଉଣ୍ଡର ମାନ୍ୟତାକୁ ପୁନଃ ପ୍ରମାଣିତ କରିଛନ୍ତି। ଟେଷ୍ଟ୍‌ରେ ୭ ନମ୍ବରରେ ବ୍ୟାଟିଂ କରି ଭାରତ ପାଇଁ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ ୧୭୪ ରନ୍‌ ମହାନ୍‌ ଅଲ୍‌ରାଉଣ୍ଡର କପିଳ ଦେବ କରିଥିଲେ। ୧୯୮୬ ମସିହା ଡିସେମ୍ବର ମାସରେ ଶ୍ରୀଲଙ୍କା ବିପକ୍ଷ କାନପୁର ଟେଷ୍ଟ୍‌ରେ କପିଳ ୧୬୩ ରନ୍‌ର ଦମ୍‌ଦାର ପାଳି ଖେଳିଥିଲେ। ଏହି କ୍ରମରେ ତାଙ୍କ ପରଠୁ ଆଉ କୌଣସି ଭାରତୀୟ ବ୍ୟାଟର୍‌ କପିଳଙ୍କ ସମକକ୍ଷ ହୋଇନଥିଲେ। ହେଲେ ସେହି ସମାନ ପ୍ରତିଦ୍ବନ୍ଦ୍ବୀ (ଶ୍ରୀଲଙ୍କା) ବିପକ୍ଷରେ ୩୫ ବର୍ଷ ପରେ ଜାଦେଜା ହିଁ କପିଳ ଦେବଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ତେବେ ୭ କିମ୍ବା ତା’ଠୁ ନିମ୍ନକ୍ରମରେ ବ୍ୟାଟିଂ କରି ୧୫୦ରୁ ଅଧିକ ସ୍କୋର୍‌ କରିବାରେ ଜାଦେଜା ତୃତୀୟ ଭାରତୀୟ ହୋଇଛନ୍ତି। ଜାଦେଜା ଏବଂ କପିଳଙ୍କ ବ୍ୟତୀତ ଅନ୍ୟତମ ଭାରତୀୟ ଭାବେ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଏହା କରିପାରିଛନ୍ତି। ସେ ୨୦୧୯ରେ ସିଡ୍‌ନିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବୋଲିଂବାହୀନି ଆଗରେ ୧୫୯ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଅନ୍ୟପକ୍ଷରେ ୭ ନମ୍ବର ବ୍ୟାଟର୍‌ ଭାବେ ପୂର୍ବତନ ଅଧିନାୟକ ତଥା ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ୧୪୪ ରନ୍‌ ରହିଛି। ଧୋନି ୨୦୧୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସଫଳତା ପାଇଥିଲେ।

ୱର୍ଣ୍ଣ ଓ ମାର୍ସଙ୍କ ସ୍ମୃତିରେ କଳାପଟି ବାନ୍ଧିଲେ; ନିରବ ପ୍ରାର୍ଥନା କଲେ

ଶୁକ୍ରବାର ରାତିରେ ଅକାଳରେ ପରଲୋକ ଗମନ କରିଥିବା ସ୍ପିନ୍‌ ଯାଦୁକର ସେନ୍‌ ୱର୍ଣ୍ଣ ଏବଂ ରନି ମାର୍ସଙ୍କ ପରଲୋକରେ ମୋହଲିରେ ଟେଷ୍ଟ୍‌ ଖେଳୁଥିବା ଉଭୟ ଭାରତ ଓ ଶ୍ରୀଲଙ୍କା ଖେଳାଳିମାନେ ଶନିବାର ତାଙ୍କ ସ୍ମୃତିଚାରଣ କରିଥିଲେ। ଉଭୟ ଦଳର ଖେଳାଳି ତାଙ୍କ ସ୍ମୃତିରେ ଆଜି ହାତରେ କଳା ପଟି ବାନ୍ଧି ଖେଳିଥିଲା ବେଳେ ଗୋଟିଏ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ। ଦ୍ବିତୀୟ ଦିବସ ଖେଳ ଆରମ୍ଭ ପୂର୍ବରୁ ନିରବ ପ୍ରାର୍ଥନା କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ବିବୃତି ଜାରି କରିଛି।

ସମ୍ବନ୍ଧିତ ଖବର