ଜାଫର ମୁଖ୍ୟ ପ୍ରଶିକ୍ଷକ ରହିଲେ, ଶ୍ରୀକାନ୍ତ ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ

କଟକ: ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ଭାବେ ପୁଣି ଥରେ ଆର‌୍‌ ଶ୍ରୀକାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିପୂର୍ବରୁ ସେ ଏହି ପଦବି ସହିତ କ୍ରିକେଟ ଅପରେସନ୍‌ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ବୈଷୟିକ ନିର୍ଦ୍ଦେଶକ ପଦ ପାଇଁ ଯେଉଁ ଆବେଦନ ଆସିଥିଲା ସେଥିମଧ୍ୟରୁ ଶ୍ରୀକାନ୍ତଙ୍କୁ ଯୋଗ୍ୟ ଭାବେ କ୍ରିକେଟ ପରାମର୍ଶଦାତା ସମିତି ଚୟନ କରିଥିଲା। ଶ୍ରୀକାନ୍ତ ଓଡ଼ିଶାରୁ ଏକମାତ୍ର ପ୍ରଶିକ୍ଷକ ଭାବେ ବିସିସିଆଇ ଲେଭଲ-୩ ପ୍ରଶିକ୍ଷକ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ଏନ୍‌ସିଏ ଓ ଜେଡ୍‌ସିଏର ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ସେ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ବ୍ୟତୀତ ଓଡ଼ିଶା କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ ଵାସିମ ଜାଫର ତାଙ୍କ ପଦ ବଜାୟ ରଖିଛନ୍ତି।

ଆସନ୍ତା ୨୦୨୨-୨୩ ଋତୁ ପାଇଁ ସେ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ ବୋଲି କ୍ରିକେଟ ପରାମର୍ଶଦାତା ସମିତି ହୃଦ୍‌ବୋଧ କରିଛି। ସେହି ଅନୁଯାୟୀ ଓସିଏ ପକ୍ଷରୁ ତାଙ୍କର ନିଯୁକ୍ତିକୁ ଆଉ ଗୋଟିଏ ବର୍ଷ ବଢାଇ ଦିଆଯାଇଛି। ଜାଫରଙ୍କ ଅଧିନରେ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫିରେ ଦୁଇଟି ପାଳି ପରାଜୟ ସହିତ ଆଉ ଏକ ମ୍ୟାଚ‌୍ ଅମୀମା˚ସିତ ରଖିଥିଲା। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ମାତ୍ର ୧ ବିଜୟ ଓ ୪ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଭଲ ପ୍ରଦର୍ଶନ କରି ୩ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ବେଳେ ୨ ମ୍ୟାଚ୍‌ରେ ପରାଜିତ ହୋଇଥିଲା।

ସମ୍ବନ୍ଧିତ ଖବର