ଜଗଦୀଶାନଙ୍କ ବିଶ୍ବ କୀର୍ତ୍ତିମାନ ୨୭୭*: ଲିଷ୍ଟ ‘ଏ’ରେ ପ୍ରଥମେ ୫୦୦ ଟପିଲା ତାମିଲନାଡୁ, ୪୩୫ ରନ୍‌ରେ ଜିତିଲା

ବେଙ୍ଗାଲୁରୁ: ତାମିଲନାଡୁ ବ୍ୟାଟର୍‌ ନାରାୟଣ ଜଗଦୀଶାନଙ୍କ ନାମ ସୋମବାର ବିଶ୍ବ କୀର୍ତ୍ତିମାନ ତାଲିକାରେ ଯୋଡ଼ି ହୋଇଯାଇଛି। ପୁରୁଷ ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ପାଳି ଖେଳିଛନ୍ତି ନାରାୟଣ (୨୭୭* ରନ୍‌, ୧୪୧ ବଲ୍‌, ୨୫‌ ଚୌକା, ୧୫ ଛକା)। ସୋମବାର ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ବିଜୟ ହଜାରେ ଟ୍ରଫିର ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଜଗଦୀଶାନ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏହି କୀର୍ତ୍ତିମାନ କାଉଣ୍ଟି କ୍ରିକେଟର୍‌ ଆଲିଷ୍ଟର୍ ବ୍ରାଉନ୍‌ (୨୬୮ ବନାମ ଗ୍ଲାମରଗନ୍‌, ୨୦୦୨)ଙ୍କ ନାମରେ ଥିଲା। ସମସ୍ତ ଶ୍ରେଣୀଭୁକ୍ତ ଲିଷ୍ଟ୍ ‘ଏ’ରେ ଜଗଦୀଶାନଙ୍କ ପାଳି ମଧ୍ୟ ଶୀର୍ଷରେ ପହଞ୍ଚିଛି। ୨୦୦୭ରେ ଶ୍ରୀଲଙ୍କାର ମହିଳା ଦିନିକିଆ କ୍ରିକେଟ୍‌ରେ ଶ୍ରୀପଲି ବୀରାକୁଡି ୨୭୧* ରନ୍‌ର ପାଳି ଖେଳିଥିଲେ।

ଜଗଦୀଶାନ ମଧ୍ୟ ଏଥି ସହିତ ପ୍ରଥମ କ୍ରିକେଟର୍ ଭାବେ ପୁରୁଷ ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ଲଗାତାର ୫ ପାଳିରେ ଶତକ ହାସଲ କରିଛନ୍ତି। ପୂର୍ବରୁ କୁମାର ସାଙ୍ଗାକାରା, ଅଲଭିରୋ ପିଟରସନ୍‌, ଦେବଦତ୍ତ ପଡ଼ିକଲ ସର୍ବାଧିକ ଲଗାତାର ୪ ପାଳିରେ ଶତକ ମାରିଥିଲେ। ଜଗଦୀଶାନଙ୍କ ୨୭୭* ଏବଂ ସାଇ ସୁଦର୍ଶନ (୧୫୪ ରନ୍‌, ୧୦୨ ବଲ୍) ଶତକ ବଳରେ ତାମିଲନାଡୁ ୫୦ ଓଭରରେ ୨ ୱିକେଟ୍ ହରାଇ ୫୦୬ ରନ୍‌ ସଂଗ୍ରହ କରିଥିଲା। ୫୦୦ ରନ୍‌ ଅତିକ୍ରମ କରିବାରେ ତାମିଲନାଡୁ ମଧ୍ୟ ପ୍ରଥମ ଦଳ ଭାବେ ଆଉ ଏକ କୀର୍ତ୍ତିମାନ କରିଛି। ପୂର୍ବରୁ ଚଳିତ ବର୍ଷ ନେଦରଲାଣ୍ଡ୍ସ ବିପକ୍ଷରେ ଇଂଲଣ୍ଡ ୪୯୮/୪ ସ୍କୋର୍‌ କରିଥିଲା। ଜବାବରେ ଅରୁଣାଚଳ ପ୍ରଦେଶ ମାତ୍ର ୭୧ ରନ୍‌ (୨୮.୪ ଓଭର)ରେ ଅଲଆଉଟ୍ ହୋଇଯିବାରୁ ତାମିଲନାଡୁ ଏହି ମ୍ୟାଚ୍‌କୁ ୪୩୫ ରନ୍‌ରେ ଜିତିଛି। ଏହା ମଧ୍ୟ ଏକ ବିଶ୍ବ କୀର୍ତ୍ତିମାନ। ପୂର୍ବ କୀର୍ତ୍ତିମାନ ୩୪୬ ରନ୍ ବ୍ୟବଧାନ ସମରସେଟ୍ ନାମରେ ଥିଲା। ଏହି କାଉଣ୍ଟି ଦଳ ୧୯୯୦ ମସିହାରେ ୪୧୩ ରନ୍ କରିବା ପରେ ପ୍ରତିପକ୍ଷ ଡେଭନକୁ ୬୭ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ବିଜୟ ହଜାରେ ଟ୍ରଫିର ଗୋଟିଏ ଋତୁରେ ୫ ଲଗାତାର ଶତକ ମାରିବାରେ ମଧ୍ୟ ଜଗଦୀଶାନଙ୍କ ନାମରେ ପୁଣି ଏକ ରେକର୍ଡ ଯୋଡ଼ି ହୋଇଛି। ପୂର୍ବରୁ ବିରାଟ କୋହଲି (୨୦୦୮-୦୯), ଦେବଦତ୍ତ ପଡ଼ିକଲ (୨୦୨୦-୨୧), ପୃଥ୍ବୀ ସ’ (୨୦୨୦-୨୧), ଋତୁରାଜ ଗାଏକ୍ବାଡ (୨୦୨୧-୨୨) ବିଜୟ ହଜାରେ ଟ୍ରଫିରେ ଲଗାତାର ୪ ଲେଖାଏଁ ଶତକ ମାରିଥିଲେ।

ସମ୍ବନ୍ଧିତ ଖବର