ବୀରମହାରାଜପୁର: ସମ୍ବଲପୁରର ମେହେତାବ କ୍ଲବକୁ ପରାସ୍ତ କରି ଶୁକ୍ରବାର ଭୁବନେଶ୍ୱରର ଜାଗୃତି କ୍ରିକେଟ ଏକାଡେମୀ ଚମ୍ପିଅନ ହୋଇଛିା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡିଆ ଠାରେ ୨୨ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପ୍‌ର ଫାଇନାଲ ଟି-୨୦ ଓ ଟି-୧୦ ଫର୍ମାଟ ବିଶିଷ୍ଠ ମ୍ୟାଚ୍‌ ହୋଇଥିଲା । ପ୍ରଥମେ ଖେଳା ଯାଇଥିବା ଟି-୨୦ ମ୍ୟାଚରେ ସମ୍ବଲପୁର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଭିନବ ୩୮ଟି ବଲରୁ ୬୪ ରନ୍‌ କରିଥିଲେ । ଭୂବନେଶ୍ୱରର ସତ୍ୟାନନ୍ଦ ରେଡ୍ଡି ଓ ରାଜେଶ ସାହୁ ପ୍ରତ୍ୟେକ ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Advertisment

ଜବାବରେ ଜାଗୃତି ୧୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଥିଲା । ଫଳରେ ପ୍ରଥମ ଟି-୨୦ ମ୍ୟାଚଟି ଅମିମାଂଶିତ ରହିଥିଲା । ଭୂବନେଶ୍ୱରର ଇଲୁ ଗୋଛାୟତ ୩୧ ଓ ରଣଜିତ ପଶାୟତ ୯ଟି ବଲରୁ ୨୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ସମ୍ବଲପୁରର ସୟଦ ଜ୍ୟାକି ୪ଟି ଓ୍ଵିକେଟ ଅକ୍ତିଆର କରିଥିଲେ । ପରେ ଅନୁଷ୍ଠିତ ହୋଇଥିବା ଟି-୧୦ ମ୍ୟାଚରେ ଭୂବନେଶ୍ୱର ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ ହରାଇ ନିର୍ଦ୍ଧାରିତ ୧୦ ଓଭରରେ ୧୨୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦୂର୍ଗା ବେହେରା ୧୩ଟି ବଲ ଖେଳି ୩୧ ରନ, ମନୋରଂଜନ ତ୍ରିପାଠୀ ୨୪ ଓ ଅଂକୁଶ ମହାନ୍ତି ୧୭ ରନ୍‌ ସଂଗ୍ରହ କରିଥିଲେ । ବିପକ୍ଷ ସମ୍ବଳପୁର ଦଳର ସୟଦ ଜାକିର, ସଦାମ ହୁସେନ ଓ ମହମ୍ମଦ ଫୈଜଲ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

publive-image

ଜବାବରେ ସମ୍ବଲପୁର ନିର୍ଦ୍ଧାରିତ ୧୦ ଓଭରରେ ୯ ଓ୍ଵିକେଟ ହରାଇ ଆବଶ୍ୟକ ୭୮ ରନ ସଂଗ୍ରହ କରି ପରାସ୍ତ ହୋଇଥିଲେ। ଦଳର ଅଭିନବ ୨୨ରନ ସଂଗ୍ରହ କରିଥିଲେ । ଭୂବନେଶ୍ୱର ଦଳର ବାଦଳ ଭୋଳ ଓ ସତ୍ୟାନନ୍ଦ ରେଡି ୨ଟି ଲେଖାଏ ଓ୍ଵିକେଟ ଓ ରାଜେଶ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଫଳରେ ଭୂବନେଶ୍ୱର ଦଳ ୧-୦ ରେ ବିଜୟୀ ହୋଇ ଚମ୍ପିଅନ ହୋଇଥିଲା ।

ବରିଷ୍ଠ ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ଉତ୍ସବରେ ବାଲେଶ୍ୱର ଜିଲ୍ଲା ଦୌରା ଜଜ୍‌ ରାମଶଙ୍କର ହୋତା ମୁଖ୍ୟ ଅତିଥି ଓ ବୀରମହାରାଜପୁର ଉପଜିଲ୍ଲାପାଳ ଗୋପିନାଥ ସାରକା, ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ଏସୋସିଏସନର ସଭାପତି ପଠାନ ପଣ୍ଡା ସ୍ଥାନୀୟ ସରପଂଚ ସୁଜାତା ସାହୁ, ସମିତି ସଭ୍ୟ ଲବ କୁମାର ସାହୁ, ପୂବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ, ସାମ୍ବାଦିକ ରାଧାକାନ୍ତ ବାଘ, ସୁଧୀର ପଧାନ, ଆୟୋଜକ କମିଟିର ସଭାପତି ଶଶାଙ୍କ ପଧାନ, କ୍ରୀଡାବିତ୍‌ ରାମଶଙ୍କର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପୁରଷ୍କାର ବିତରଣ କରିଥିଲେ ।

ସମ୍ବଲପୁର ଦଳର ଅଭିନବ ସାମନ୍ତଙ୍କୁ ଶ୍ରେଷ୍ଠ ବ୍ୟାଟସମେନ୍‌, ଶେଖ ଜାହାଙ୍ଗିର ଶ୍ରେଷ୍ଠ ବୋଲର, ଭୂବନେଶ୍ୱର ଦଳର ଦୂର୍ଗା ବେହେରାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ମନୋରଂଜନ ତ୍ରିପାଠୀଙ୍କୁ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରଷ୍କାର ପ୍ରଦାନ କରାଯାଇଥିଲା । ଚମ୍ପିଅନ ଭୂବନେଶ୍ୱର ଦଳକୁ ଟ୍ରଫି ସହ ନଗଦ ୨୭,୦୦୧ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ୧୭,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଫାଇନାଲ ଖେଳକୁ ଅମ୍ପାୟାର ଜୟ ପ୍ରକାଶ ସାହୁ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ବାଙ୍କ ବିହାରୀ ମହାକୁର ସ୍କୋରିଙ୍ଗ୍‌ ଏବଂ ଆଶିଷ ଦେଓ, ମ୍ୟାକ୍‌ ମିଳନ, ପିତାମ୍ବର ସାହୁ ଧାରା ଧାରାବିବରଣୀ ପ୍ରଦାନ କରିଥିଲେ ।