ଭୁବନେଶ୍ବର : ପୋଖରୀପୁଟରେ ବିହାରୀଲାଲ୍ ପଡିଆରେ ଆୟୋଜିତ ବିହାରୀଲାଲ୍ ୧୦୦ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଜାଗୃତି କ୍ରିକେଟ୍ ଏକାଡେମି ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍ରେ ଜାଗୃତି ଏକାଡେମି ୧୫ ରନ୍ରେ ରାମେଶ୍ବର ସ୍ପୋର୍ଟିଂକୁ ପରାସ୍ତ କରିଥିଲା। କାର୍ତ୍ତିକ ବିଶ୍ବାଳଙ୍କ ୨୦ ବଲ୍ ୫୦ ରନ୍ ବଳରେ ଜାଗୃତି ୧୪୦ ରନ୍ କରିଥିଲା। ରାମେଶ୍ବର କିନ୍ତୁ ଗିରିଜା ମିଶ୍ରଙ୍କ ୪୦ ରନ୍ ସତ୍ତ୍ବେ ୧୨୫ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। କାର୍ତ୍ତିକ ବିଶ୍ବାଳ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ତଥା ବିସିସିଆଇ ଚୟନକର୍ତା ଦେବାଶିଷ ମହାନ୍ତି, ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ଓଡ଼ିଶା ରଣଜୀ ଦଳ ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା, ଟ୍ରେନର୍ ମନୋଜ ବିଶ୍ବାଳ, ଜାଗୃତି ପ୍ରଶିକ୍ଷକ କ୍ଷୀରୋଦ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀବତ୍ସ ବଲ୍ଲଭ ସାମନ୍ତରାୟ, ରମେଶ ରାଉତରାୟ, ପୂର୍ବତନ କର୍ପୋରେଟର୍ ହୃଦୟବଲ୍ଲଭ ସାମନ୍ତରାୟ, ପ୍ରଲିପ୍ତ ନନ୍ଦ, ଅକ୍ଷୟ ଜେନା, ପ୍ରତାପ ଜେନା, ବୁଲୁ ଜେନା, ନିଳାଦ୍ରୀ ସ୍ବାଇଁ, କେସି ସାମନ୍ତରାୟ ପ୍ରମୁଖ ସହାୟତା କରିଥିଲେ।
ସୋମବାର ପ୍ରଥମ ସେମିଫାଇନାଲରେ ଜାଗୃତି ଏକାଡେମି ୭୩ ରନ୍ରେ କଟକର ସୋଲାର କ୍ରିକେଟ୍ ଏକାଡେମିକୁ ପରାସ୍ତ କରିଥିଲା। ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିବାରୁ ବାଦଲ ଭୋଳ (୬୧ ରନ୍, ୪୮ ବଲ୍)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ବିତୀୟ ସେମିଫାଇନାଲରେ ରାମେଶ୍ବର ସ୍ପୋର୍ଟିଂ ୫ ୱିକେଟରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଥିଲା। ୪୦ ବଲ୍ରୁ ୬୦ ରନ୍ କରିଥିବା ଗିରିଜା ମିଶ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।