କୋଳକାତା: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିଛନ୍ତି। ଗମ୍ଭୀର ଆସିବା ମାତ୍ରେ ହ୍ବାଇଟ ବଲ୍ ଏବଂ ରେଡ୍ ବଲ୍ କ୍ରିକେଟ୍ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରିଛନ୍ତି। ବିଭିନ୍ନ ଫର୍ମାଟ ପାଇଁ ଅଲଗା ଦଳ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ତିନୋଟି ଫର୍ମାଟରେ ଦଳର ଦାୟିତ୍ବକୁ ଗମ୍ଭୀରଙ୍କୁ ଦେବା ନେଇ ପ୍ରଶ୍ନର କଡ଼ା ଜବାବ୍ ଦେଇଛନ୍ତି।

Advertisment

ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା ବେଳେ ଜୟ ଶାହାଙ୍କୁ ପଚରାଯାଇଥିଲା ଯେ ଟିମ୍ ଇଣ୍ଡିଆକୁ ତିନୋଟି ଭିନ୍ନ ଫର୍ମାଟରେ ପୃଥକ କୋଚ୍ ଦେବା ପାଇଁ କାହିଁକି ଧ୍ୟାନ ଦିଆଯାଉ ନାହିଁ? ଏହା ଉପରେ ବିସିସିଆଇ ସଚିବ କହିଛନ୍ତି, "ଥରେ ଆମେ ଜଣେ କୋଚ୍ ନିଯୁକ୍ତ କରିବା ପରେ ତାଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଆବଶ୍ୟକ।

ଆମେ ଗ‌ୌତମ ଗମ୍ଭୀରଙ୍କୁ କୋଚ୍ ଭାବରେ ନିଯୁକ୍ତ କରିଛୁ, ଯଦି ସେ ତିନୋଟି ଫର୍ମାଟରେ କୋଚିଂ ଦେବାକୁ ଚାହାନ୍ତି ତେବେ ମୁଁ ଏନେଇ ମୁହଁ ଖୋଲିବାକୁ କିଏ ? କୌଣସି ନିର୍ଦ୍ଦିଷ୍ଟ ଫର୍ମାଟରେ କୋଚିଂ ପାଇଁ ସେ ଫିଟ୍ ନୁହନ୍ତି ବୋଲି କହିବାର ଅଧିକାର ମୋର ନାହିଁ। ସାଧାରଣତଃ ୭୦ ପ୍ରତିଶତ ଖେଳାଳି ସମସ୍ତ ତିନୋଟି ଫର୍ମାଟରେ ଖେଳୁଛନ୍ତି।

ଜୟ ଶାହାଙ୍କୁ ମଧ୍ୟ ପଚରାଯାଇଥିଲା ଯେ ଯଦି ବ୍ୟାକ୍ ଅପ୍ କୋଚ୍ ଆବଶ୍ୟକ ହୁଏ ତେବେ କେଉଁ ନିଷ୍ପତ୍ତି ନିଆଯିବ? ଏହା ଉପରେ ସେ କହିଛନ୍ତି ଯେ ଏନସିଏ ବିଶ୍ୱସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ୱାରା ପରିପୂର୍ଣ୍ଣ। ଏହା ବ୍ୟତୀତ ସେ ଏନସିଏ ସଭାପତି ଭିଭିଏସ୍ ଲକ୍ଷ୍ମଣଙ୍କ ଉଦାହରଣ ନେଇଥିଲେ, ଯିଏକି ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ଦାୟିତ୍ବ ଗ୍ରହଣ କରୁଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ, ସମ୍ପ୍ରତି ଶ୍ରୀଲଙ୍କା ଗସ୍ତ ସମୟରେ ଗୌତମ ଗମ୍ଭୀର ପ୍ରଥମ ଥର ପାଇଁ କୋଚ୍ ଭାବରେ ଟିମ୍ ଇଣ୍ଡିଆର ଦାୟିତ୍ବ ଗ୍ରହଣ କରିଥିଲେ। ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଜିତିବାରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲା କାରଣ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ପଡୋଶୀ ଦେଶକୁ ୩-୦ରେ ପରାସ୍ତ କରି ସିରିଜ୍ ଜିତିଛି।

କିନ୍ତୁ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଟିମ୍ ଇଣ୍ଡିଆ ୨-୦‌ରେ ପରାଜିତ ହୋଇ ସିରିଜ୍ ହାରିଛି। ଏହା ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିରିଜର ପ୍ରଥମ ମ୍ୟାଚ୍ ଏକ ଟାଇ ହୋଇଥିବାବେଳେ ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ହାରିଛି।