ଭୁବନେଶ୍ବର: ନିକଟରେ ଦକ୍ଷିଣ କୋରିଆର ୟିଞ୍ଚେନରେ ଶେଷ ହୋଇଥିବା ବିଂଶତମ ଏସୀୟ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ଜିତିଥିବା ମହମ୍ମଦ ରିୟାନ ବାଶା ଓ ଦଣ୍ଡପତି ଜୟରାମଙ୍କୁ ମଙ୍ଗଳବାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ କାଂସ୍ୟ ବିଜେତା ଭାରତୀୟ ୪ଗୁଣା୧୦୦ ମିଟର ରିଲେ ଦଳରେ ରହିଥିଲେ। ଏହି ଦୁଇ ଓଡ଼ିଆ ଖେଳାଳି ଭୁବନେଶ୍ବରସ୍ଥିତ ଓଡ଼ିଶା ରିଲାଏନ୍ସ ଉଚ୍ଚ ଗୁଣବତ୍ତା ଦୌଡ଼କୁଦ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି। ଉଭୟଙ୍କୁ ଶ୍ରୀ ବେହେରା ୧ଲକ୍ଷ ଟଙ୍କାର ପୁରସ୍କାର ରାଶିର ଚେକ୍‌ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀଙ୍କ ସହ ଓଡ଼ିଶା ରିଲାଏନ୍ସ ଉଚ୍ଚ ଗୁଣବତ୍ତା ଦୌଡ଼କୁଦ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ୱେନ୍ସ ଉପସ୍ଥିତ ଥିଲେ।