ଭୁବନେଶ୍ବର : ତାମିଲନାଡୁର ତିରୁଭନମଲାଇରେ ଚାଲିଥିବା ୨୦ ବର୍ଷରୁ କମ୍‌ ଫେଡେରେସନ୍‌ କପ୍‌ ଦୌଡ଼କୁଦରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ୧୦୦ ମିଟର ପୁରୁଷ ଦୌଡ଼ରେ ଡି.ଏମ୍. ଜୟରାମ ସ୍ବର୍ଣ୍ଣ ଜିତିଥିଲା ବେଳେ ୧୦୦ ମିଟର ମହିଳା ବାଧାଦୌଡ଼ରେ ସବିତା ଟୋପ୍ପୋ ରୌପ୍ୟ ପଦକ ପାଇଛନ୍ତି। ପୁରୁଷ ଦୌଡ଼ରେ ଜୟରାମ ୧୦.୫୫ ସେକେଣ୍ଡ ସମୟ ନେଇ ୧୦୦ ମିଟର ଦୂରତା ଅତିକ୍ରମ କରିଥିଲା ବେଳେ ତାଙ୍କ ପଛକୁ ଆନ୍ଧ୍ରପ୍ରଦେଶର ଭଲ୍ଲିପି ୧୦.୭୯ ସେକେଣ୍ଡ ଓ ହରିୟାଣାର କୌସ୍ତୁଭ ଡିକୋଷ୍ଟା ୧୦.୯୪ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି।

Advertisment

ଓଡ଼ିଶାର ଅନ୍ୟତମ ଧାବକ ମହେନ୍ଦ୍ର ସାନ୍ତା ୧୧.୦୯ ସେକେଣ୍ଡ ସହ ଷଷ୍ଠ ସ୍ଥାନରେ ରହିଥିଲେ। ସେହିପରି ମହିଳା ବାଧାଦୌଡ଼ରେ କର୍ଣ୍ଣାଟକର ଉନ୍ନତି ଆୟାପ୍ପା ବୋଲାଣ୍ଡ ୧୪.୧୭ ସେକେଣ୍ଡ ସହ ସ୍ବର୍ଣ୍ଣ, ସବିତା ୧୪.୩୪ ସେକେଣ୍ଡ ସହ ରୌପ୍ୟ ଓ ତେଲେଙ୍ଗାନାର ନାମୟୀ ରୁଚିତା ୧୪.୪୩ ସେକେଣ୍ଡ ସମୟ ସହ କାଂସ୍ୟ ପଦକ ପାଇଛନ୍ତି। କିନ୍ତୁ ମହିଳା ଲମ୍ବଡିଆଁରେ ସବିତା ଟୋପ୍ପୋ ୫.୫୦ ମିଟର ସହ ସପ୍ତମ ସ୍ଥାନରେ ରହିଥିଲେ।