ନୂଆଦିଲ୍ଲୀ: ଟେଷ୍ଟ୍ କ୍ରିକେଟ୍ରେ ଭାରତର ବାମହାତୀ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ୍ ୱେଷ୍ଟଇଣ୍ଡିଜ୍ର ମହାନ୍ କ୍ରିକେଟର୍ ବ୍ରାଏନ୍ ଲାରାଙ୍କ କୀର୍ତ୍ତିମାନକୁ ଭାଙ୍ଗିପାରିବେ। ଭାରତରେ ଆଇପିଏଲ୍ ଚାଲୁଥିବା ସମୟରେ ଜୟସ୍ବାଲ୍ଙ୍କ ଟେଷ୍ଟ୍ ଭବିଷ୍ୟତକୁ ଏଭଳି ଭାବେ ବଖାଣିଛନ୍ତି ଲାରା। ମୋର ପ୍ରତ୍ୟେକ କୀର୍ତ୍ତିମାନ ସହିତ ଅପରାଜିତ ୪୦୦* ରନ୍ କୀର୍ତ୍ତିମାନକୁ ମଧ୍ୟ ଜୟସ୍ବାଲ୍ ଭାଙ୍ଗିପାରିବେ ବୋଲି ଲାରା ଭବିଷ୍ୟବାଣୀ କରିଛନ୍ତି। ୨୨ ବର୍ଷୀୟ ଜୟସ୍ବାଲ୍ ଏପର୍ଯ୍ୟନ୍ତ ମାତ୍ର ୯ଟି ଟେଷ୍ଟ୍ ଖେଳିଛନ୍ତି। କିନ୍ତୁ ଏହାର ଢେର୍ ପୂର୍ବରୁ ଲାରା ଓ ଜୟସ୍ବାଲ୍ ଆଇପିଏଲ୍ର ବିଭିନ୍ନ ସମୟରେ ପରସ୍ପର ସହିତ ଆଲୋଚନା କରିଛନ୍ତି। ତେଣୁ ପୂର୍ବ ବର୍ଷଗୁଡ଼ିକରେ ଜୟସ୍ବାଲ୍ଙ୍କ ଖେଳକୁ ଜାଣିଥିବା ଓ ଗତବର୍ଷ ଭାରତୀୟ ଟେଷ୍ଟ୍ ଦଳରେ ଖେଳିବା ପରଠୁ ଲାରା ତାଙ୍କୁ ଭଲ ଭାବେ ପରଖିଥିବା କହିଛନ୍ତି।
ଏକ ସାକ୍ଷାତ୍କାରରେ ଲାରା କହିଛନ୍ତି, ମୋର କୀର୍ତ୍ତିମାନଗୁଡ଼ିକ ଏବେ ଭାଙ୍ଗିଯିବା ନେଇ ଭୟ ରହୁଛି। ଜୟସ୍ବାଲ୍ଙ୍କ ପାଖରେ କୀର୍ତ୍ତିମାନ ଭାଙ୍ଗିବା ଭଳି ସବୁ ଗୁଣ ରହିଛି। ତାଙ୍କ ପାଖରେ ଦକ୍ଷତା ରହିଛି, ଆରମ୍ଭରୁ ଦ୍ବିଶତକ ମଧ୍ୟ ମାରି ସାରିଲେଣି ବୋଲି ଏହି ୱେଷ୍ଟଇଣ୍ଡିଜ୍ କିଂବଦନ୍ତି କହିଛନ୍ତି। ଚଳିତ ଋତୁରେ ଜୟସ୍ବାଲ୍ଙ୍କ ସହିତ ତାଙ୍କର ଭେଟ ବେଳେ ସେ ବହୁତ ନମ୍ରଭାବର ବ୍ୟକ୍ତିତ୍ବ ଜଣାପଡୁଥିଲେ। ଏଥିସହ ତାଙ୍କର କାମ କରିବାକୁ ଆଗ୍ରହ ରହିଛି। ତାଙ୍କ ସହିତ ପ୍ରଥମ ସାକ୍ଷାତ ବେଳଠୁ ହିଁ ତାଙ୍କ ଭିତରେ ମୁଁ ନିଜକୁ ଦେଖିପାରୁଥିଲି। ମ୍ୟାଚ୍ ପରେ ହୋଟେଲ୍କୁ ଯାଇଥିଲି। ସେଠାରେ ବିଳମ୍ବିତ ରାତିରେ ଜୟସ୍ବାଲ୍ଙ୍କ ସହିତ ଭେଟ ହୋଇଥିଲା। ସେ ମୋଠାରୁ ପରାମର୍ଶ ନେବାକୁ ଚାହିଥିଲେ। ତାଙ୍କର ଶିକ୍ଷାଲାଭ କରିବାର ଦକ୍ଷତା ମୋତେ ଆମୋଦିତ କରିଛି। ଜୟସ୍ବାଲ୍ କିପରି ଜଣେ ଶ୍ରେଷ୍ଠ କ୍ରିକେଟର୍ ହୋଇପାରିବେ ତାହା ଉପରେ ଆଲୋଚନା ହୋଇଥିଲା ବୋଲି ଲାରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/jaiswal.jpg)